ପୁରୀ : ଗତବର୍ଷ କୋଭିଡ୍‌ ସଂକ୍ରମଣ ଯୋଗୁ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନେକ କସରତ କରିବାକୁ ପଡ଼ିଥିଲା। କଥା ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା। ଏଥିପାଇଁ ଚଳିତବର୍ଷ ରଥଯାତ୍ରାର ବହୁ ପୂର୍ବରୁ ସତର୍କତା ଅବଲମ୍ବନ କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରା, ସ୍ନାନଯାତ୍ରା, ଚନ୍ଦନଯାତ୍ରାର ନୀତିକାନ୍ତି ନିର୍ବିଘ୍ନରେ ସମ୍ପାଦନ ପାଇଁ ଆଜିଠାରୁ ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ବନ୍ଦ ଘୋଷଣା କରାଯାଇଛି। ମେ’୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଯଥାରୀତି ଚାଲିବ। ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ କୋଭିଡ୍‌ ଟିକା ଦେବାକୁ ସ୍ଥିର କରାଯାଇଛି।

କରୋନାର ଦ୍ବିତୀୟ ଲହର ଯୋଗୁ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜି ଛତିଶାନିଯୋଗର ଏକ ଜରୁରୀ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କନୱର ବିଶାଲ୍ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ନିଯୋଗର ସଭାପତି, ସମ୍ପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। କରୋନାର ଦ୍ବିତୀୟ ଲହରରେ ପୁରୀ ଜିଲ୍ଲାର ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ଥିବାରୁ ସଂକ୍ରମଣମୁକ୍ତ ପରିବେଶରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ ଉପରେ ସେବାୟତମାନେ ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ କିଛିଦିନ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବା ଉପରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତମାନେ ମତ ରଖିଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି ନିର୍ବିଘ୍ନରେ ଅନୂପାଳନ ସହ ପ୍ରତିଦିନ ସେବାପୂଜା ନିର୍ବାହ କରୁଥିବା ସେବାୟତଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବାକୁ ଜୋର୍‌ ଦେଇଥିଲେ।

ଆସନ୍ତା ମେ ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ସହ ଚନ୍ଦନଯାତ୍ରା ଆରମ୍ଭ ହେଉଥିବାରୁ ସଂକ୍ରମଣମୁକ୍ତ ପରିବେଶରେ ଯେଭଳି ଏହି ନୀତିକାନ୍ତି ଅନୁଷ୍ଠିତ ହେବ ସେ ଉପରେ ବି ଗୁରୁତ୍ବ ଦେଇଥିଲେ। ଶେଷରେ ସର୍ବସମ୍ମତିକ୍ରମେ ଶ୍ରୀମନ୍ଦିର ପ୍ରଶାସନ ମେ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ବନ୍ଦ କରିବାକୁ ଘୋଷଣା କରିଛି। ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ସହାୟତାରେ ପରିଚାଳିତ ହେବ। ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ ସହ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସେବାୟତ, ସେମାନଙ୍କ ପରିବାର ସଦସ୍ୟ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଓ କୋଭିଡ୍‌ ଟେଷ୍ଟ କରାଯିବ। ଏ ଭିତରେ ବଡ଼ଦାଣ୍ଡ ମରିଚିକୋଟ ଛକରେ ଥିବା ନୀଳାଚଳ ଯାତ୍ରୀ ନିବାସକୁ ସେବାୟତ ସଙ୍ଗରୋଧ କେନ୍ଦ୍ର ଭାବେ ଘୋଷଣା କରାଯାଇଥିବା ବେ‌ଳେ ଏଠାରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରାଯିବ। ଗୁରୁତର ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ତଥା ତୁରନ୍ତ ଭୁବନେଶ୍ବର ସ୍ଥାନାନ୍ତର ବ୍ୟବସ୍ଥା କରାଯିବ। ଭୁବନେଶ୍ବର ସ୍ଥିତ ସମ୍ ହସ୍‌ପିଟାଲ ଅବା ଅନ୍ୟ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏଥିପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ନୋଡାଲ୍‌ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ମାସ୍କ ଓ ସାନିଟାଇଜର୍‌ ନିୟମିତ ବ୍ୟବହାର ସହ ସାମାଜିକ ଦୂରତ୍ବ ରକ୍ଷା ଉପରେ ବ୍ୟାପକ ସଚେତନତା କରାଯିବ। ରଥ ନିର୍ମାଣର ସମସ୍ତ କାର୍ଯ୍ୟକ୍ରମ ପରମ୍ପରା ଅନୁଯାୟୀ ଜାରି ରହିବ। ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରାର ପୂର୍ବପ୍ରସ୍ତୁତି ସ୍ବରୂପ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ମାସ୍କ ଓ ସାନିଟାଇଜର୍ ଯୋଗାଇ ଦିଆଯିବ। ଆବଶ୍ୟକ ମାସ୍କ ଓ ସାନିଟାଇଜର କିଣିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ।

The post ମେ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ, ଏବେଠୁ ରଥଯାତ୍ରା, ସ୍ନାନଯାତ୍ରା ଚିନ୍ତା first appeared on Sambad.

from ଜିଲ୍ଲା | Sambad https://ift.tt/2PozpR4