ଗାଁକୁ ଶବ ଆଣିବାକୁ ମନା କଲେ ଗ୍ରାମବାସୀ
ସାମାଜିକ କର୍ମୀଙ୍କ ସହାୟତାରେ ବାପାଙ୍କ ଦାହସଂସ୍କାର କଲା ପୁଅ

ବଲାଙ୍ଗୀର : କରୋନା କାଳରେ ମାନବିକତା ହରାଇ ଦେଉଛି ମଣିଷ। ବାପା, ମା’ଙ୍କୁ ନେଇ ଡାକ୍ତରଖାନାକୁ ଆସିଥିବା ପୁଅ ଏବେ ଏ ଦୁଆରୁ ସେ ଦୁଆର। ମା’ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ଘଟିଛି। ଆଉ ବାପାଙ୍କ ଶବକୁ ଗାଁକୁ ବି ନେବାକୁ ସାହସ ଜୁଟାଇ ପାରିନି ପୁଅ। କାରଣ ଗ୍ରାମବାସୀଙ୍କ କଟକଣା। ଏଣୁ ବଲାଙ୍ଗୀରରେ ସାମାଜିକ ସଂଗଠନଙ୍କ ସହାୟତାରେ ଦାହସଂସ୍କାର କରିଛି ପୁଅ।

ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ର ଦେଢେଲ ଗାଁର ଘନଶ୍ୟାମ ସାହୁ। ବାପା ଅନାର୍ଯ୍ୟ ସାହୁ (୫୪) ଓ ମାଙ୍କୁ ଜ୍ୱର ହେବା ପରେ ସେ ବଲାଙ୍ଗୀର ଆଣିଥିଲେ। କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଅବସ୍ଥା ଗୁରୁତର ଥିବାରୁ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଥିବା ସମୟରେ ବାପା ଅନାର୍ଯ୍ୟଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିଲା। ପାଖାପାଖି ରାତି ୧୦ଟାରେ ଶବ ୱାର୍ଡରୁ ବାହାରିବା ପରେ ଘନଶ୍ୟାମ ଗାଁର ସଂପର୍କୀୟଙ୍କୁ ଜଣାଇଥିଲେ। କିନ୍ତୁ କରୋନା ଶବ ଗାଁରେ ପୂରାଇ ଦେବେ ନାହିଁ ବୋଲି କହିଥିଲେ ଗାଁ ଲୋକେ। ବାପାଙ୍କ ଶବକୁ କେଉଁଠି ସତ୍କାର କରିବେ ଭାବି ଭାବି କାନ୍ଦିଥିଲେ। ବଲାଙ୍ଗୀର ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସଦସ୍ୟମାନେ ଖବର ପାଇବା ପରେ ପହଞ୍ଚି ଦାହସଂସ୍କାର କରିବାକୁ ସବୁ ପ୍ରକାର ସହାୟତା କରିଥିଲେ। ଏପଟେ ଘନଶ୍ୟାମଙ୍କ ମା’ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହୋଇ କରୋନା ସହ ସଂଗ୍ରାମ କରୁଥିବା ବେଳେ ବାପାଙ୍କ ମୃତ୍ୟୁ ଘଟଣାକୁ ନେଇ ଭାଙ୍ଗି ପଡ଼ିଥିଲେ। ଶେଷରେ ବିଳମ୍ବିତ ରାତିରେ ଘନଶ୍ୟାମ ବଲାଙ୍ଗୀର ଆର୍‌ଟିଓ ଛକସ୍ଥିତ ଶ୍ମଶାନରେ ବାପାଙ୍କ ଶବସଂସ୍କାର କରିଥିଲେ।

The post ଡାକ୍ତରଖାନାରେ ମା’, ଜୁଇରେ ଜଳିଲେ ବାପା first appeared on Sambad.

from ଜିଲ୍ଲା | Sambad https://ift.tt/2QWTz56