ସୁନ୍ଦରଗଡ଼ : କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଗଲା, ଦାହ ସଂସ୍କାର ବି ସରିଗଲା। କିନ୍ତୁ ପରିବାର ଲୋକଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ମୃତ୍ୟୁର ୪ ଦିନ ପରେ ମୃତକଙ୍କ ଭାଇ ହସ୍ପିଟାଲକୁ ଯାଇ ଖୋଜାଖୋଜି କରିବା ପରେ ମୃତ୍ୟୁ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରିବାର ଲୋକେ ମୃତକଙ୍କ ଦାହ ସଂସ୍କାରରେ ତ ସାମିଲ ହୋଇପାରିଲେ ନାହିଁ, ଚାରି ଦିନ ଧରି ପରମ୍ପରା, ପ୍ରଥା ଅନୁଯାୟୀ ସାମାଜିକ ଶୁଦ୍ଧିକରଣ ବି କରିବାକୁ ସୁଯୋଗ ପାଇ ନଥିଲେ।

ମାନବୀୟ ସମ୍ବେଦନକୁ ଦୋହଲାଇ ଦେଲା ଭଳି ସବୁଠାରୁ ବଡ଼ କଥାଟି ହେଲା, ୪ ଦିନ ଧରି ପରିବାରରୁ ଯାଉଥିବା ଖାଦ୍ୟ ସୁରକ୍ଷାକର୍ମୀ ହସ୍ପିଟାଲ ଭିତରକୁ ନେଇ ଯାଉଥିଲେ, କିନ୍ତୁ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ଅର୍ଥାତ ୪ ଦିନ ମୃତକଙ୍କ ପାଇଁ ଖାଦ୍ୟ ପହଞ୍ଚାଇ ଚାଲିଥିଲେ। ପଚାରିଲେ, ଉତ୍ତର ମିଳୁଥିଲା ରୋଗୀ ଭଲ ଅଛନ୍ତି। ଅବ୍ୟବସ୍ଥା ଓ ସମ୍ବେଦନହୀନତାର ଏହି ଗମ୍ଭୀର ଅଭିଯୋଗଟି ଆସିଛି ଏନଟିପିସି କୋଭିଡ୍ କେନ୍ଦ୍ର ନାମରେ। ମୃତକଙ୍କ ଭାଇ ଆଜି ଟାଉନଥାନାରେ ଏତଲା ଦେଇ ନ୍ୟାୟ ମାଗିଛନ୍ତି।

ଅଭିଯୋଗ ଅନୁସାରେ, ସୁନ୍ଦରଗଡ଼ ଅରଣ୍ୟନଗରର ଜଣେ ବ୍ୟକ୍ତି କରୋନା ସଂକ୍ରମଣରେ ଅସୁସ୍ଥ ହେବାରୁ ତାଙ୍କୁ ଗତ ୧୯ ତାରିଖରେ ଏନଟିପିସି କୋଭିଡ୍ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକେ ନିୟମିତ ଘରୁ ଖାଦ୍ୟ ପହଞ୍ଚାଉଥିଲେ। କିନ୍ତୁ ସଂକ୍ରମଣ ଦୃଷ୍ଟିରୁ ଭିତରକୁ ସମ୍ପର୍କୀୟଙ୍କ ଯିବା ବାରଣ ଥିବାରୁ ସୁରକ୍ଷାକର୍ମୀ ଖାଦ୍ୟ ନେଇ ଯାଉଥିଲେ। ଏପରିକି ରୋଗୀଙ୍କୁ ଭେଟିବାକୁ ବି ଦିଆଯାଉ ନଥିଲା। ତେବେ ଆଜି ରୋଗୀଙ୍କ ସାନ ଭାଇ ପଇଡ଼ ପାଣି ନେଇ ପହଞ୍ଚିଥିଲେ ହସ୍ପିଟାଲରେ। ଯେମିତି ହେଉ ଭାଇଙ୍କୁ ଭେଟିବେ ଓ ସ୍ବାସ୍ଥ୍ୟବସ୍ଥା ନିଜ ଆଖିରେ ଦେଖିବେ ବୋଲି ମନସ୍ଥ କରିଥିଲେ। କିନ୍ତୁ ତାଙ୍କୁ ଭିତରକୁ କେହି ଛାଡ଼ି ନଥିଲେ। ଶେଷକୁ ଦୁଇ ଜଣ ସ୍ବାସ୍ଥ୍ୟସେବିକା ୨୪ ତାରିଖରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବା ଓ ତାଙ୍କ ଦାହ ସଂସ୍କାର କରି ଦିଆଯାଇଥିବା ପ୍ରକାଶ କରିବା ପରେ ସାନ ଭାଇଙ୍କ ହତଚକିତ ହୋଇଯାଇଥିଲେ। ସେ ହସ୍ପିଟାଲର ସୂଚନା ଅଧିକାରୀଙ୍କୁ ଭାଇଙ୍କ ମୃତ୍ୟୁ ଖବର ପଚାରିଥିଲେ। ଏହା ସତ୍ତ୍ବେ ତାଙ୍କୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିଲା। ଶେଷକୁ ସେ ଅପରାହ୍ନରେ ଟାଉନଥାନାକୁ ଯାଇ ଏ ସମ୍ପର୍କରେ ଏତଲା ଦେଇଛନ୍ତି। ଘଟଣାଟି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

The post କରୋନା କୋହ: ଦାହ ସଂସ୍କାରର ୪ ଦିନ ପରେ ପରିବାରକୁ ମିଳିଲା ସୂଚନା first appeared on Sambad.

from ଜିଲ୍ଲା | Sambad https://ift.tt/2PEt3gy