
ଜହ୍ନକ୍ଷପଙ୍କ: ବର୍ତ୍ତମାନ କରୋନା ମହାମାରୀ ଦ୍ୱିତୀୟ ଲହରୀ ମୁକାବିଲା ପାଇଁ ବିଭିନ୍ନ ବ୍ୟବସାୟ ମାନ୍ଦା ଅବସ୍ଥା ଫଳରେ ବୌଦ୍ଧ ବ୍ଲକର ବୁଣାକାର ମାନଙ୍କ ଜୀବନ ଜୀବିକା ଦୋହଲି ପଡିଛି। ଦୀର୍ଘ ଦିନ ହେଲା ସୁତା, ପକ୍ଷଟ, ରଙ୍ଗ, ଆଦି ଦୋକାନ ବଜାର ବନ୍ଦ ସାଙ୍ଗକୁ ଜିଲ୍ଲା ସୀମା ସିଲ ଯୋଗୁଁ ଶାଢ଼ୀ ବୁଣିବା ପାଇଁ ଆବଶ୍ୟକ କଞ୍ଚାମାଲ ଉପଲବ୍ଧ ହେଉନାହିଁ। ବୁଣାକାର ଯଦି ନିଜ ସଂଚିତ ଅର୍ଥରୁ ଶାଢ଼ୀ ପ୍ରସ୍ତୁତ କରେ ତେବେ ତାକୁ ବିକିବ କେଉଁଠି ତାକୁ ନେଇ ବୁଣାକାର ପରିବାର ଚିନ୍ତାରେ ରହିଛନ୍ତି। ଫଳରେ ବୁଣାକାର ମାନଙ୍କ ତନ୍ତଶାଳରେ ତାଳ ଝୁଲୁଛି। ବୁଣାକାର ତଥା ସେମାନଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରେ ବର୍ତମାନ ୧୩, ୭୮୩ ଜଣ ବୁଣାକାର ଥିବା ବେଳେ ସମୁଦାୟ ୩୨୫୮ ତନ୍ତ ରହିଛି। ବିଶେଷ ଭାବେ ବୌଦ୍ଧ ବ୍ଲକର ନାରାୟଣନଗରରେ ୪ ଟି ସମବାୟ ସହଯୋଗ ସମିତି ଥିବା ବେଳେ ଏହି ସମିତିରେ ଲକ୍ଷ୍ମୀପ୍ରସାଦ, ନାରାୟଣନଗର, ଜଗତୀ, ସୁବର୍ଣ୍ଣପୁର, ଆନନ୍ଦପୁର, ହରିପୁର, ଗୌତମପାଲି, ଖୁଣ୍ଟବନ୍ଧ, କନିକିପୁର ପ୍ରଭୁତି ଗ୍ରାମର ବୁଣାକାର ପରିବାର ସଦସ୍ୟ ରହିଛନ୍ତି। ଏହି ସମିତି ମଧ୍ୟମରେ ଲୁଗା ବୁନା କାର୍ଯ୍ୟ ହେଉନଥିବା ବେଳେ ବେସରକାରୀ ଭାବେ ବୁଣାକାର ମାନେ ବେପାରୀ ମାନଙ୍କ ଠାରୁ ସୁତା ମଜୁରୀ ନେଇ ଲୁଗା ବୁନୁଛନ୍ତି। ନାମକୁ ମାତ୍ର କାଗଜ କଲମରେ କାର୍ଯ୍ୟାଳୟ ଚାଲୁଥିବା ବେଳେ ୫ଶହରୁ ଉର୍ଦ୍ଧ ବୁଣାକାର ପରିବାର ଏହି ଘଡିସନ୍ଧି ମୁହୂର୍ତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଜିଲ୍ଲାରେ ଥିବା ୧୩ ହଜାର ବୁଣାକାର ତଥା ୩୧୪୦ ପରିବାରଙ୍କ ଦୁର୍ଦଶା ମଧ୍ୟରେ ଗତି କରିବାକୁ ଆରମ୍ଭ କଲାଣି। ଦେଶର ଏହି ଭଳି ଘଡିସନ୍ଧି ସମୟରେ କୋଟିକୋଟି ଲୋକେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ବୁଣାକାର ପରିବାରକୁ ସରକାର ସାବତ ପୁଅ ଭଳି ବ୍ୟବହାର କାହିଁକି ବୋଲି ବୁଣାକାର ମାନେ ପ୍ରଶ୍ନ କରୁଛନ୍ତି।
ବିଶ୍ୱବାପି ମହାମାରୀ କରୋନା ପାଇଁ ସାରା ବିଶ୍ୱ ମୁକାବିଲା ପାଇଁ ଲକଡାଉନ ଥିବା ବେଳେ ବୁଣାକାର ପରିବାରକୁ କଞ୍ଚାମାଲ ମିଳୁ ନାହିଁ ଅନ୍ୟ ପକ୍ଷରେ ତିଆରି କରି ରଖିଥିବା ଶାଢ଼ୀ ବିକ୍ରି ହେଉନଥିବାରୁ ବୁଣାକାର ପରିବାର ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସାହୁକାର ଠାରୁ ଶାଢ଼ୀ ବୁଣି ଦେଲେ ପରେ ଶାଢ଼ୀ ବିକ୍ରି ହେଉନଥିବା ଯୋଗୁଁ ଶାଡିର ମଜୁରୀ ଅନୁପକ୍ଷରୁ ୨୦ ଭାଗ ମଜୁରୀ ଦେଉଛନ୍ତି। ଯାହାକି ବୁଣାକାର ପରିବାରକୁ ତେଲଲୁଣର ସଂସାର ଚାଲିବା କାଠିକର ପାଠ ହେବାକୁ ବସିଛି। ସମଗ୍ର ପଶ୍ଚିମ ଓଡିଶା ତଥା ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ବୁଣାକାର ମାନଙ୍କ ଦୟନୀୟ ସ୍ଥିତି ଦେଖିବାକୁ ମିଳୁଛି। ଏ ମହାମାରୀ କରୋନା ସମୟର ସଙ୍ଗୀନ ସ୍ଥିତିରେ ଲୁଗା ବୁଣା ବ୍ୟତିତ ଏମାନଙ୍କୁ ଅନ୍ୟକାମ କିଛି ଜଣାନଥାଏ। ପେଟ ଚାଖଣ୍ଡକ ପାଇଁ ଏମାନଙ୍କ ଭରସା ସୂତା, ରଙ୍ଗ ସହ ନିଜର ଚିର ସାଥି ମଙ୍ଗା। ସଟ୍ଡାଉନ୍ ହେବା ଫଳରେ କପଡା ବଜାର ବନ୍ଦ ଥିବାରୁ ଗ୍ରାମାଞ୍ଚଳ ମାନଙ୍କୁ ବ୍ୟବସାୟୀ ମାନେ ଆସି କମ ଦରରେ ବୁଣାକାର ମାନଙ୍କ ଠାରୁ ହସ୍ତତନ୍ତ ଲୁଗା କିଣି ବ୍ୟବସାୟୀ ଏ ପଟେ ମାଲେମାଲ ହେଉଥିବା ବେଳେ ବୁଣାକାର ବେହାଲ ସ୍ଥିତିରେ ଗତି କରୁଛି। ସଟ୍ ଡାଉନ୍ ସମୟରେ ସୂତା କମ ମିଳୁଥିବାରୁ ସୂତା ଦର ମଧ୍ୟ ବଢିବାରେ ଲାଗିଥିବା ବେଳେ ଜଣେ ସାମାନ୍ୟ ବୁଣାକାରକୁ ଚଲିବା ପାଇଁ ବହୁ କଷ୍ଟ ସହିବାକୁ ପଡିଛି। ଏଭଳି ସଙ୍ଗୀନ ସ୍ଥିତିରେ କରୋନା ମାଡ଼ ଆଉ କେତେ ଦିନ ସହିବାକୁ ପଡ଼ିବ ତାହା ଦେଖିବାକୁ ବୁଣାକାର ମାନେ ଅନାଇ ବସିଛନ୍ତି। କେବେ ଏ କରୋନା ଦାଉରୁ ରକ୍ଷା ମିଳିବ, କେବେ ସଟ୍ଡାଉନ୍ ଖୋଲିବ, କେବେ ବଜାରରେ ଠିକ୍ ଦରରେ ଲୁଗା ବିକ୍ରୟ ସ୍ୱାଭାବିକ ହେବ ଏବଂ ନିଜ ପରିବାରକୁ ଭଲରେ ଗଣ୍ଡାଏ ଖାଇବାକୁ ଦେବ ତାହା ଏବେ ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇ ପଡ଼ିଛି। ଏଣୁ ବୁଣାକାର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
The post ଜୀବନ ଜୀବିକା ଚିନ୍ତାରେ ବୁଣାକାର ପରିବାର; କମ ଦରରେ ଲୁଗା ବିକୁଛନ୍ତି ଲୁଗା ବ୍ୟବସାୟୀ first appeared on Sambad.from ଜିଲ୍ଲା | Sambad https://ift.tt/3xCB86o
0 Comments