
ମାଲକାନଗିରି: ସୋମାଲିଆରେ ଯେପରି ଦାରିଦ୍ର୍ୟର ତାଡନାରେ ଲୋକେ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବାର ଦୃଶ୍ୟ ସେତେବେଳେ ସମଗ୍ର ପୃଥିବୀକୁ ଆଚମ୍ବିତ କରିଥିଲା। ସେହିଭଳି ଏକ ଦୃଶ୍ୟ ମାଲକାନଗିରି ସଦର ମହକୁମାରେ ଆଜି ଦେଖିବାକୁ ମିଳିଥିଲା। ଜଣେ ଅସହାୟ ବୃଦ୍ଧା କିପରି ତଳେ ପଡିଥିବା ତରକାରିକୁ ଗୋଟାଇ ଖାଉଥିଲେ ତାହା ହୃଦୟସ୍ପର୍ଶୀ ଥିଲା।
ବୃଦ୍ଧାଙ୍କ ବୟସ ୭୦ ଡେଇଁବଣି। ଚାଲିବା ପାଇଁ ବଳ ପାଉ ନାହିଁ। ବୃଦ୍ଧାଙ୍କୁ କେହି ଜଣେ ଟିଫିନ ଦେଇଥିଲେ। ତେବେ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ୍ ରାସ୍ତା ଉପରେ ତରକାରି ଜରିଟି ଖସି ପଡିଥିଲା। ଜରିଟି ଖସିପଡିବା ଫଳରେ ତରକାରି ରାସ୍ତାରେ ବଛେଇ ହୋଇଯାଇଥିଲା। ତରକାରି ଜରି ତଳେ ପଡିଯିବାରୁ ସେ ବହୁ ଦୁଃଖ ପ୍ରକାଶ କରିଥିଲେ ଏବଂ ସେଠାରେ ହିଁ ବସି ପଡିଥିଲେ। ବୃଦ୍ଧା ଜଣକ ମିଳିଥିବା ପୁରି ପ୍ୟାକେଟକୁ ଖୋଲି ପୁରୀକୁ ସେହି ତଳେ ପଡିଥିବା ତରକାରି ସହ ଖାଇଥିଲେ। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ବୃଦ୍ଧା ଜଣକ ଠିକ ଭାବେ କଥା କହିପାରୁନଥିବା ବେଳେ ନିଜ ନାମକୁ ମଧ୍ୟ ସେ ସ୍ପଷ୍ଟ କହିପାରୁ ନଥିଲେ।
ଜିଲ୍ଲାରେ ବୃଦ୍ଧାଶ୍ରମ ଥିବା ବେଳେ ଏଭଳି ଅସହାୟ ବୃଦ୍ଧାଙ୍କୁ ଚିହ୍ନଟ କରି ସେଠାରେ ରଖାଯିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବୃଦ୍ଧା ଜଣକ ଭତ୍ତା ପାଉଛନ୍ତି କି ନାହିଁ ତାହା ପଚାରିବାରୁ ମଧ୍ୟ କିଛି କହିପାରି ନଥିଲେ। ପାଟି ଖନେଇ ଯାଉଥିବା ବେଳେ ହାତ ଥରୁଥିଲା।
ହାତ ଥରୁଥିବାରୁ ହିଁ ତରକାରି ପ୍ୟାକେଟ ତଳେ ପଡିଯାଇଥିଲା। ଦୀର୍ଘ ସମୟ ଧରି ସେ ରାସ୍ତା ଉପରେ ହିଁ ବସି ରହିଥିଲେ। ପୁଣି ତରକାରି ଆଣିଦେବାକୁ କହିବା ପରେ ମଧ୍ୟ ସେ କିଛି ଶୁଣି ନଥିଲେ। ହାତରେ ମୁଣିଟିଏ ନେଇ ଅଣ୍ଟା ନଇଁ ନଇଁ ଧିରେ ଧିରେ ସେଠାରୁ ସେ ଚାଲିଯାଇଥିଲେ। ତେବେ ମାଲାକନଗିରିରେ ଏହି ଜଣେ ଅସହାୟ ବୃଦ୍ଧା ହିଁ ନୁହନ୍ତି, ବରଂ ଶତାଧିକ ଏଭଳି ବୃଦ୍ଧ ଓ ବୃଦ୍ଧା ସହରରେ ବୁଲୁଛନ୍ତି। ଯେଉଁମାନଙ୍କର କେହି ନଥିବା ବେଳେ କିଏ ଦୟା କରି କିଛି ଦେଲେ ତାକୁ ଖାଇ ରୁହନ୍ତି।
The post ଅଭାବନୀୟ ଦୃଶ୍ୟ : ରାସ୍ତାରେ ପଡିଥିବା ତରକାରିକୁ ସାଉଁଟି ଖାଇଲେ ଅସହାୟ ବୃଦ୍ଧା first appeared on Sambad.from ଜିଲ୍ଲା | Sambad https://ift.tt/3tjuAHq
0 Comments