ବ୍ରହ୍ମପୁର: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗଞ୍ଜାମରେ ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ର ବେଳାଭୂମି, ପଡ଼ିଆ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆସନ୍ତାକାଲିଠାରୁ ଏହି କଟକଣା ଜାରି ହେବ । ଏହି ସମୟରେ ସଂପୃକ୍ତ ସ୍ଥାନଗୁଡିକୁ ବିଶୋଧନ କରାଯିବ । ଆସନ୍ତା ୨୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ବି ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ୮୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଛି। ଏହାଛଡ଼ା ହିଞ୍ଜିଳିକାଟୁ, ଆସ୍କା, ଭଞ୍ଜନଗର, ଓ ବ୍ରହ୍ମପୁରଠାରେ କୋଭିଡ୍‌ କେୟାର୍‌ ସେଣ୍ଟର୍‌କୁ କାର୍ଯ୍ୟକ୍ଷମ କରାଯାଇଛି। ଠିକ୍‌ ସେହିପରି ବ୍ରହ୍ମପୁରଠାରେ ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ୍‌କୁ ପୁନର୍ବାର ଖୋଲାଯାଇଛି। ଖୁବ୍ ଶୀଘ୍ର ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ସେ ସୂଚନା ଦେଇ କହିଛନ୍ତି।

The post ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ first appeared on Sambad.

from ଜିଲ୍ଲା | Sambad https://ift.tt/32d36Y5