କଟକ : ଗ୍ୟାଙ୍ଗ୍‌ଷ୍ଟର ହାଇଦର‌‌ ଓ ତା’ର ପରିବାର ଲୋକ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ବାଟ ଦେଇ ବଙ୍ଗୋପସାଗରରେ ବୋଟ୍‌ରେ ବାଂଲାଦେଶ ଚାଲିଯାଇଛନ୍ତି! କିମ୍ବା ସପରିବାର ବାଂଲାଦେଶ ଚାଲିଯିବା ପାଇଁ ଯୋଜନା କରୁଛନ୍ତି। ଏହିଭଳି ଖବର ହସ୍ତଗତ ହେବା ପରେ ଆଜି କଟକ କମିସନରେଟ୍‌ ପୁଲିସ୍‌ର ଏକ ଟିମ୍‌ ଜମ୍ବୁର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଜଳେଶ୍ବର ଅଞ୍ଚଳରେ ଆଉ ଏକ ପୁଲିସ ଟିମ୍‌ ଛାନଭିନ୍ ଜାରି ରଖିଛି।

ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ହାଇଦର‌ ଶନିବାର ବଡ଼ ମେଡିକାଲ୍‌ରୁ ଅପରାହ୍ନ ପ୍ରାୟ ୪ଟାରୁ ୪ଟା ୩୦ ଭିତରେ ଯାଇଥିବା ବେଳେ କମିସନରେଟ୍‌ ପୁଲିସ ରାତି ପ୍ରାୟ ୭ଟା ବେଳକୁ ଖବର ପାଇଥିଲା। ଏହି ସମୟ ଭିତରେ ହାଇଦର‌କୁ ଖସିଯିବାକୁ ପରୋକ୍ଷରେ ଏକପ୍ରକାର ସୁଯୋଗ ଦିଆଯାଇଥିବା କୁହାଯାଉଛି। ବଡ଼ ମେଡିକାଲ୍‌କୁ ଶନିବାର ଆସିଥିବା ହାଇଦର‌ର ମଝିଆ ପୁଅ ଆଝାରୁଦ୍ଦିନ ସମେତ ଭାଇ କାଳିଆ, ପୁତୁରା କାଲା, ଶାଳକ ଗୋରା ଏବ˚ ସାନ ଜ୍ବାଇଁଙ୍କ ମୋବାଇଲ୍‌ ପାଖାପାଖି ୪ଟା ୩୦ ବେଳେ ମଙ୍ଗଳାବାଗ ଅଞ୍ଚଳରେ ହିଁ ସୁଇଚ୍‌ ଅଫ୍‌ ହୋଇଛି। ତା’ ପରଠାରୁ ସେମାନଙ୍କ ମୋବାଇଲ୍‌ ଆଉ ଖୋଲା ଯାଇନାହିଁ। ଏବେ ହାଇଦର‌ର ବଡ଼ ପୁଅ ସେକ୍‌ ମୁନ୍ନା ଜେଲ୍‌ରେ ଥିବାବେଳେ ବାହାରେ ଥିବା ମଝିଆ ପୁଅ ସେକ୍‌ ଆଝାରୁଦ୍ଦିନ, ସାନ ପୁଅ ସେକ୍‌ ଚୁନ୍ନେଇ, ଭାଇ, ପୁତୁରା, ସଳା ଓ ସାନ ଜ୍ବାଇଁଙ୍କ ପତ୍ତା ମିଳୁନାହିଁ। ହାଇଦର‌ ସହିତ ଏମାନେ ଥିବାବେଳେ ଅଧାରାସ୍ତାରୁ ଅଲଗା ଅଲଗା ହୋଇ ବାଂଲାଦେଶ ଆଡ଼କୁ ଯାଇଥିବା କୁହାଯାଉଛି। ପୁଲିସର ଆଉ ଚାରିଟି ଟିମ୍‌ କୋଲକାତା ସମେତ ଝାଡ଼ଖଣ୍ତ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଯାଇଥିବା ସୂଚନା ମିଳିଛି।

ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାରେ ହାଇଦର‌‌ର ଅନେକ ସମ୍ପର୍କୀୟ ରହୁଛନ୍ତି। ସେମାନେ ହାଇଦର‌କୁ ଦେଶ ବାହାରକୁ ଖସାଇଦେବାକୁ ଯୋଜନା କରୁଥିବା କୁହାଯାଉଛି। କଟକ ଖଟବିନ ସାହି ଅଞ୍ଚଳରେ ହାଇଦର‌‌ର ଜଣେ ସମ୍ପର୍କୀୟଙ୍କୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।

The post ହାଇଦରର ପୂରା ପରିବାର ଫେରାର, ଜମ୍ବୁ ରାସ୍ତାରେ ବାଂଲାଦେଶ ଛୁ’! first appeared on Sambad.

from ଜିଲ୍ଲା | Sambad https://ift.tt/2Q1JzHr