କଟକ : ଗ୍ୟାଙ୍ଗ୍‌ଷ୍ଟର୍‌ ସେକ୍ ହାଇଦର୍‌ ଫେରାର୍‌ ହେବାପଛରେ ଏକ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ସାମ୍‌ନାକୁ ଆସିଛି। ଯେଉଁଦିନ ଏହି ଘଟଣା ଘଟିଥିଲା, ସେହିଦିନ ସର୍ଜରି ବିଭାଗର ସିସି କ୍ୟାମେରାର ସୁଇଚ୍‌ ବନ୍ଦ କରିଦିଆଯାଇଥିଲା। ସେହି ସର୍ଜରି ବିଭାଗର ୫ ନମ୍ବର କ୍ୟାବିନ୍‌ରେ ଚିକିତ୍ସିତ ହେଉଥିଲା ହାଇଦର୍‌। ସୁବଦିନ‌ ସିସି କ୍ୟାମେରା ଚାଲୁଥିବାବେଳ ସେଦିନ କାହିଁକି ଓ କେମିତି ବନ୍ଦ ରହିଥିଲା, ତାହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରୀ ବ୍ୟବସ୍ଥା ଅନୁଯାୟୀ, ରୋଗୀ ଗୁରୁତର ଥିଲେ ଡାକ୍ତରଙ୍କ ଅନୁମୋଦନପତ୍ର ଅନୁସାରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କ୍ୟାବିନ୍‌ ପାଇଁ ଆବେଦନ କରାଯାଇଥାଏ। କିନ୍ତୁ ହାଇଦର କ୍ଷେତ୍ରରେ ସବୁ କିଛି ଆଗୁଆ ବୁକିଂ ହୋଇସାରିଥିଲା। ହାଇଦର ପହଞ୍ଚିବା ମାତ୍ରେ ହିଁ କ୍ୟାବିନ୍‌ ପ୍ରସ୍ତୁତ ହୋଇଯାଇଥିଲା। ହାଇଦର ଏସ୍‌ସିବିର ଜଣେ ବରିଷ୍ଠ ଡାକ୍ତରଙ୍କ ପାଖରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲା। ଉକ୍ତ ଡାକ୍ତରଙ୍କ ସୁପାରିସରେ ଅତି ଜରୁରୀ ରୋଗରେ ଆକ୍ରାନ୍ତ ନହୋଇ ବି ହାଇଦର ୧୯ଦିନ ଧରି କ୍ୟାବିନ୍‌ରେ ଭିଆଇପି ସେବା ପାଇ ଆସୁଥିଲା ବୋଲି ଜଣାପଡ଼ିଛି। ହାଇଦର ଏପ୍ରିଲ ୧୨ ତାରିଖ, ସୋମବାର ଦିନ ଡିସଚାର୍ଜ କରାଯିବ ବୋଲି ଏପ୍ରିଲ ୧୦ ତାରିଖ ସକାଳେ ରାଉଣ୍ଡରେ ଆସିଥିବା ଡାକ୍ତର କହିଥିଲେ। କିନ୍ତୁ ସେହିଦିନ ସର୍ଜରି ବିଭାଗର ସିସି କ୍ୟାମେରା ସୁଇଚ୍ ବନ୍ଦ ରହିଲା ଆଉ ହାଇଦର ଏସ୍‌ସିବିରୁ ଚମ୍ପଟ ମାରିଲା। ତେଣୁ ହାଇଦରକୁ ଫେରାର୍‌ କରିବା ପଛରେ ହୁଏତ ଏସ୍‌ସିବିର ନିର୍ଦ୍ଦିଷ୍ଟ ଡାକ୍ତର, କର୍ମଚାରୀ ସଂପୃକ୍ତ ଥିବା ଅନୁମାନ କରାଯାଉଛି।

ଆମର ଭୁଲ୍ ନାହିଁ, ସୁରକ୍ଷା ଦାୟିତ୍ବରେ ଥିଲା ପୁଲିସ: ଜେଲ୍ ଡିଆଇଜି
ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଜେଲ୍ ଭୂମିକାକୁ ନେଇ ସନ୍ଦେହ ଉଠିଛି। ସମ୍ବଲପୁର ଜେଲ୍ ଭିତରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ସେହିପରି ଜେଲରୁ ସିଧା କେମିତି କଟକ ଏସସିବି ମେଡିକାଲ ସ୍ଥାନାନ୍ତର ହେଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଜେଲ୍ ମୁଖ୍ୟାଳୟ ଡିଆଇଜି ଶୁଭକାନ୍ତ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଥିରେ ଜେଲ୍‌ର କୌଣସି ଭୂମିକା ନାହିଁ। ସୁରକ୍ଷା ଦାୟିତ୍ବରେ ପୁଲିସ ରହିଥିଲା। ତେଣୁ ଏଥିରେ ଆମର କିଛି ଦୋଷତ୍ରୁଟି ନାହିଁ। ଯଦି ଜେଲ୍‌ର କୌଣସି କର୍ମଚାରୀଙ୍କର ସମ୍ପୃକ୍ତି ନେଇ ପ୍ରାମାଣିକ ତଥ୍ୟ ମିଳେ ତା’ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

The post ଗ୍ୟାଙ୍ଗ୍‌ଷ୍ଟର୍‌ ସେକ୍ ହାଇଦର୍‌ ଚମ୍ପଟ ପଛରେ ଡାକ୍ତର, କର୍ମଚାରୀ! first appeared on Sambad.

from ଜିଲ୍ଲା | Sambad https://ift.tt/2RwjMaU