କଟକ : ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନିଗମ, ସଂସ୍ଥା ଓ କାର୍ଯ୍ୟାଳୟରେ ପରାମର୍ଶଦାତା, ଅଧ୍ୟକ୍ଷ, ସଦସ୍ୟ ଓ ସଂପାଦକ ଭାବେ ପ୍ରଦାନ କରାଯାଇଥିବା ରାଜନୈତିକ ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ମାମଲା ଖାରଜ ହୋଇଯାଇଛି। ୩୬ଟି ଏପରି ପଦବିରେ ରାଜନୈତିକ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଏହି ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦର୍ଶାଇ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ। ଲୋକାୟୁକ୍ତ ଏହି ମାମଲାକୁ ଖାରଜ କରିଦେଇଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ବି.ସି. ସାହୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସେ ଦର୍ଶାଇଥିଲେ ଯେ, ସମାଜରୁ ଦୁର୍ନୀତି ଲୋପ ପାଇଁ ଏପରି ‘ହ୍ବାଇଟ୍‌ କଲର୍‌ କଲ୍‌ପ୍ରିଟ୍‌’ଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ୩୬ଟି ଏପରି ପଦବିରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ଠିକଣା, ବାପାଙ୍କ ନାଁ/ସ୍ବାମୀଙ୍କ ନାଁ, ବୟସ, ଶିକ୍ଷାଗତ ଯୋଗ୍ୟତା, ଅନୁଭବ ପ୍ରସଂଗରେ କୌଣସି ଉଲ୍ଲେଖ କରାଯାଇ ନାହିଁ। ବିଭିନ୍ନ ଉଚ୍ଚ ସରକାରୀ ପଦପଦବିରୁ ଅବସର ନେଉଥିବା ବ୍ୟକ୍ତିଙ୍କ ସହିତ କେତେକ ରାଜନୈତିକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ଏଭଳି ନିଯୁକ୍ତି ବେଆଇନ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଜଷ୍ଟିସ୍‌ ସି.ଆର୍‌. ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ କାଏମ୍‌ ରଖିବା ସହିତ ରିଟ୍ ଆବେଦନକୁ ଖାରଜ କରିଛନ୍ତି।

The post ରାଜନୈତିକ ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ମାମଲା ଖାରଜ first appeared on Sambad.

from ଜିଲ୍ଲା | Sambad https://ift.tt/3gwWpbv