ମାଲକାନଗିରି : ମାଲକାନଗିରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଘଟିଥିବା ଗୋଟିଏ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାକୁ କେନ୍ଦ୍ରକରି ଗତ ୩ଦିନ ହେଲା କୋର୍ଟ ପରିସରରେ ଅନେକ ଚର୍ଚ୍ଚା ଚାଲିଥିଲା। ଆଉ ଏହି ଚର୍ଚ୍ଚାର କେନ୍ଦ୍ରରେ ଥିଲେ କୋର୍ଟରେ କାର୍ଯ୍ୟରତ ଜଣେ ୱାଚ୍‌ମ୍ୟାନ୍‌ । ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଭିଯୋଗ କ୍ରମେ ୱାଚ୍‌ମ୍ୟାନ୍‌ଙ୍କୁ ପୁଲିସ ଗିରଫ କରିଥିଲା। ଆଜି ଜାମିନ ମିଳିବା ପରେ ବିଚାର ବିଭାଗୀୟ ହାଜତରୁ ମୁକୁଳିଛନ୍ତି ସେ।

ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଦିନ ସକାଳେ ସ୍ବାଭାବିକ ଭାବେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ୱାଚ୍‌ମ୍ୟାନ୍‌ ଘନଶ୍ୟାମ ଦୋରା ସମୟ ହୋଇଯାଇଥିବା ଦର୍ଶାଇ ଅତିରିକ୍ତ ଜିଲ୍ଲାଜଜ୍‌ଙ୍କ କୋର୍ଟରେ ତାଲା ପକାଇ ଦେଇଥିଲେ। ସେତେବେଳକୁ ଅତିରିକ୍ତ ଜିଲ୍ଲାଜଜ୍‌ଙ୍କ ସମେତ ଅନ୍ୟ କର୍ମଚାରୀ ମାମଲା ସଂପର୍କିତ କାମ କରୁଥିଲେ। କୋର୍ଟରେ ଗୁରୁତ୍ବପୂର୍ଣ୍ଣ କାମ ଚାଲିଥିବା ବେଳେ ଜଣେ ୱାଚ୍‌ମ୍ୟାନ୍‌ ଏଭଳି ଦାୟିତ୍ବହୀନ କାର୍ଯ୍ୟ କରିଥିବାରୁ ଥାନାରେ ଏତଲା ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାଜଜ୍‌ଙ୍କ ପକ୍ଷରୁ ଏହି ଏତଲା ମାମଲକାନଗିରି ଥାନାରେ ଦିଆଯାଇଥିଲା। ଅଭିଯୋଗ ମିଳିବା ପରେ ଗତକାଲି ହିଁ ଅଭିଯୁକ୍ତ ୱାଚ୍‌ମ୍ୟାନ୍‌ ଘନଶ୍ୟାମ ଦୋରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ବୋଲି ଆଇଆଇସି ରାମ ପ୍ରସାଦ ନାଗ କହିଛନ୍ତି। ତେବେ ଘନଶ୍ୟାମଙ୍କୁ ଜାମିନରେ ମୁକୁଳାଇବା ପାଇଁ କେହି ବାହାରି ନଥିଲେ। ଏମିତି ସ୍ଥିତିରେ ପତ୍ନୀ କୋର୍ଟ ପରିସରରେ ଅସହାୟ ହୋଇ ବୁଲୁଥିଲେ। ଶେଷରେ ଆଜି ଆଇନଜୀବୀ ନୃସିଂହ ଚରଣ ମହାନ୍ତି ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଜାମିନ୍ ମିଳିବା ପରେ ଘନଶ୍ୟାମ ମୁକୁଳିଥିବା ଜଣାପଡ଼ିଛି।

The post ଜଜ୍‌ଙ୍କୁ ତାଲା ପକାଇ ୱାଚ୍‌ମ୍ୟାନ୍‌ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3dIicvl