
ପୁରୀ : ବଗଲା ଧର୍ମଶାଳା ଜମିକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଏ ଭିତରେ ପୁଣିଥରେ ଆଉ ୬ଜଣ ଲଜ୍ ମାଲିକଙ୍କୁ ଏହି ଜମି ଟେକିଦେବାକୁ ଚକ୍ରାନ୍ତ କରିଛି ଜିଲ୍ଲା ପ୍ରଶାସନ। ବଗଲା ଧର୍ମଶାଳାର ବଳକା ଜମିରେ ଏହି ୬ଜଣଙ୍କୁ ଥଇଥାନ ପାଇଁ ଉଦ୍ୟମ ଚାଲିଛି। ଏହା ବିରୋଧରେ ଆଜି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସମାଜସେବୀ ଜଗନ୍ନାଥ ବସ୍ତିଆ। ହାଇକୋର୍ଟଙ୍କ ନିକଟରେ ଏକ ମିସ୍ କେସ୍ ଫାଇଲ୍ କରିବା ସହ ଦାନସୂତ୍ରରେ ମିଳିଥିବା ଏହି ଜମିର ସୁରକ୍ଷା ସହ ଜିଲ୍ଲାପାଳଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ସେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି।
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦ ପରେ ବିସ୍ଥାପିତ ୬ ଜଣ ଲଜିଂ ମାଲିକଙ୍କୁ ବଗଲା ଧର୍ମଶାଳା ଜମିରେ ଥଇଥାନ ପାଇଁ ଚକ୍ରାନ୍ତ କରିଥିଲା ଜିଲ୍ଲା ପ୍ରଶାସନ। ସେ ସମୟରେ ଏହାକୁ ଦୃଢ଼ ବିରୋଧ କରିଥିଲେ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ। ବିଜେପି ଓ କଂଗ୍ରେସ ବି ଏହା ବିରୋଧରେ ଧାରଣା ଦେଇଥିଲେ। ବଗଲା ଜମି ଦାନ ସୂତ୍ରରେ ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ମିଳିଥିବାରୁ କୌଣସି ପରିସ୍ଥିତିରେ ଏହାକୁ ଅନ୍ୟ ହାତକୁ ଟେକି ଦିଆ ନଯାଉ ବୋଲି ଦାବି ରଖିଥିଲେ। ଏହି ଘଟଣାକୁ ନେଇ ଦୁଇଟି ଜନସ୍ବାର୍ଥ ମାମଲା ବି ହାଇକୋର୍ଟଙ୍କ ବିଚାରାଧୀନ ରହିଛି। ଏହି ବିବାଦ କିଛି ଦିନ ଥମିଛି କି ନାହିଁ ପୁଣିଥରେ ଲଜିଂ ମାଲିକଙ୍କୁ ଜମି ଟେକିଦେବାକୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟଙ୍କ ନିକଟରେ ଜନସ୍ବାର୍ଥ ମାମଲା କରିଥିବା ସମାଜସେବୀ ଶ୍ରୀ ବସ୍ତିଆ ପୁଣିଥରେ ଏହା ବିରୋଧରେ ମିସ୍ କେସ୍(ଆଇଏ ନଂ-୭୦୯୨) କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି କି ବଳଗଣ୍ଡି ମୌଜାର ୨୪୨ ନମ୍ବର ପ୍ଲଟ୍ରେ ଥିବା ବଗଲା ଧର୍ମଶାଳାର ୨.୫୭୪ ଏକର ଜମିରୁ ୦.୩୪୦ ଏକର ଜମିକୁ ୨୦୨୦ ମସିହାରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ୬ଜଣ ଲଜିଂ ମାଲିକଙ୍କୁ ଟେକିଦେବାକୁ ଗୁପ୍ତ ଭାବେ ବିକ୍ରୟ କବଲା କରିଥିଲେ। ଯାହା ସଂପୂର୍ଣ୍ଣ ବେଆଇନ୍ ଥିଲା। ଏ ସଂପର୍କରେ ସେ ଜନସ୍ବାର୍ଥ ମାମଲା ଦାୟର କରିବା ପରେ ହାଇକୋର୍ଟ ଗତ ଜାନୁଆରି ୧୧ ତାରିଖରେ ମାମଲାର ଶୁଣାଣି କରି ପ୍ରତିପକ୍ଷ ଜିଲ୍ଲାପାଳଙ୍କ ସମେତ ଅନ୍ୟମାନଙ୍କୁ ଜବାବ ରଖିବାକୁ ଆଦେଶ ଦେଇଛନ୍ତି।

ଏବେ ମାମଲା ବିଚାରାଧୀନ ଥିବାବେଳେ କ୍ଷମତାର ଅପବ୍ୟବହାର କରି ବର୍ତ୍ତମାନର ପୁରୀ ଜିଲ୍ଲାପାଳ ଗତ ମାର୍ଚ୍ଚ ୨ ତାରିଖରେ ଆଉ ଏକ ନୋଟିସ୍ ଜାରି ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁସାରେ ୨୪୨ ନମ୍ବର ଖାତାର ପ୍ଲଟ୍ ନମ୍ବର ୪୫୯ ଓ ୪୯୬ରେ ଆଉ ୬ଜଣ ଲଜିଂ ମାଲିକଙ୍କୁ ଥଇଥାନ ପାଇଁ ଯୋଜନା କରିଛନ୍ତି। ଜମି ଅଧିଗ୍ରହଣ ଆଇନର ୧୯ ଧାରା ଅନୁଯାୟୀ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ଏହା ବିରୋଧ ସେ ଗତ ମାର୍ଚ୍ଚ ୧୯ ତାରିଖରେ ଜିଲ୍ଲାପାଳଙ୍କୁ ଏକ ଆପତ୍ତିପତ୍ର ଦେଇଥିଲେ। ଯେଉଁଥିରେ ଧର୍ମଶାଳା ଜମିରେ ଲଜିଂ ମାଲିକଙ୍କୁ ଥଇଥାନ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସେ ଅନୁରୋଧ କରିଥିଲେ। କିନ୍ତୁ ଜିଲ୍ଲାପାଳ ତାହାକୁ ବିଚାରକୁ ନ ନେଇ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ବଳୟରୁ ଉଚ୍ଛେଦ ହେବାକୁ ଥିବା ଆଉ ୬ଜଣ ଲଜିଂ ମାଲିକଙ୍କୁ ବଗଲା ଧର୍ମଶାଳା ଜମିରେ ଥଇଥାନ କରିବାକୁ ଉଦ୍ୟମ ଚଳାଇଥିବା ଶ୍ରୀ ବସ୍ତିଆ ଅଭିଯୋଗ କରିଛନ୍ତି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ସମେତ ମୋକଦ୍ଦମା ବିଚାର ଶେଷ ହେବା ପର୍ଯ୍ୟନ୍ତ ଧର୍ମଶାଳା ଜମିରେ ଘରୋଇ କୋଠା ଏବଂ ଲଜିଂ ନିର୍ମାଣ ବନ୍ଦ ରଖିବାକୁ ଶ୍ରୀ ବସ୍ତିଆ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି।
ସୂଚନାଯୋଗ୍ୟ, ଦୁଇଦିନ ତଳେ ବଗଲାର ଏହି ବିବାଦୀୟ ଜମିରେ କିଛି ସେବାୟତ ଓ ଲଜିଂ ମାଲିକଙ୍କ କାର୍ଯ୍ୟକୁ ନେଇ ବିରୋଧ ଦେଖା ଦେଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏ ଦିଗରେ ନିରବ ରହିବାରୁ ଲଜିଂ ମାଲିକମାନେ ଦାନରେ ମିଳିଥିବା ଏହି ଜମିରେ ବେଆଇନ୍ ନିର୍ମାଣ ଆରମ୍ଭ କରିଛନ୍ତି। ଧର୍ମଶାଳା ଫାଟକ ତାଡ଼ି ଜେସିବି ଭର୍ତ୍ତି କରି ଖନନ କାର୍ଯ୍ୟ ଜାରି ରଖିଛନ୍ତି।
The post ବଗଲା ଜମିରେ ଆଉ ୬ ଲଜ୍ ମାଲିକଙ୍କୁ ଥଇଥାନ ଚକ୍ରାନ୍ତ; ପୁଣି ହାଇକୋର୍ଟରେ ମାମଲା, ରହିତାଦେଶ ଆବେଦନ first appeared on Sambad.from ଜିଲ୍ଲା | Sambad https://ift.tt/3nzPW1d
0 Comments