
ଖଣ୍ଡପଡ଼ା : ରାଜ୍ୟ ସରକାର ଦୁର୍ନୀତି ହଟାଇବା ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର କିଛି ସରକାରୀ ବାବୁଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବା ଭଳି ମନେହେଉନାହିଁ। ସରକାରୀ ଯୋଜନା ଅନୁଯାୟୀ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଏବେବି ମାତ୍ରାଧିକ ପିସି କାରବାର ହେଉଥିବା ଜଣାପଡ଼ିଛି। ଖଣ୍ଡପଡ଼ା ବ୍ଲକ୍ ବଳଭଦ୍ରପ୍ରସାଦ ପଞ୍ଚାୟତ ଅଧୀନ କନ୍ଧପଥରା ଗ୍ରାମରେ ନିର୍ମାଣାଧୀନ ଅଙ୍ଗନବାଡ଼ି ଗୃହର ବିଲ୍ ପାଇଁ ଦସ୍ତଖତ କରାଇଦେବାକୁ ୪ ହଜାର ଟଙ୍କା ଲାଞ୍ଚ ମାଗିଛନ୍ତି ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈଷ୍ଣବ ପ୍ରସାଦ ରଥ।
ଅଭିଯୋଗ ଅନୁଯାୟୀ, ଗ୍ରାମ ସଂଯୋଜକଙ୍କ ନାମରେ କାର୍ଯ୍ୟାଦେଶ ଥିବା ଉକ୍ତ ସେଣ୍ଟର୍ର ବିଲ୍ ପାଇବା ପାଇଁ ଗଣେଶ୍ବର ନାଏକ ନାମକ ଜଣେ ଯୁବକ ପ୍ରାୟ ୧୫ ଦିନ ହେବ ବିଲ୍ ପାଇଁ ବ୍ଲକ୍ ଅଫିସ୍କୁ ଦୌଡ଼ୁଛନ୍ତି। ମାତ୍ର କରିତକର୍ମା ବାବୁ ଜଣକ ବିଭିନ୍ନ ଆଳ ଦେଖାଇ ଦସ୍ତଖତ ନ କରିବା ସହ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଆଦିବାସୀ ଅଧ୍ୟୁଷିତ କନ୍ଧପଥରା ଗ୍ରାମଟି ବ୍ଲକ୍ ସଦର ମହକୁମାରୁ ପ୍ରାୟ ୨୫ କିମି ଦୂରରେ। ଗତକାଲି ବିଲ୍ରେ ଦସ୍ତଖତ କରାଇବା ପାଇଁ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଶ୍ରୀ ରଥ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଅନ୍ୟ ଉପାୟ ନ ପାଇ ଗଣେଶ ତାଙ୍କର ବାସଭବନକୁ ଯାଇ ନେହୁରା ହୋଇଥିଲେ ମଧ୍ୟ ବାବୁଙ୍କ ପିସି ଲୋଭ କମିନଥିଲା। ‘‘କହିଲି ପରା ପଇସା ନ ଦେଲେ ଦସ୍ତଖତ କରିବିନି, ତୁ ୪ ହଜାର ଦେଲେ ଦସ୍ତଖତ କରିବି ନହେଲେ ନାଇଁ’’ ଭଳି ଫିଲ୍ମ ସଂଳାପ ଶୁଣାଇଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ।
ଅନ୍ୟ ଉପାୟ ନ ପାଇ ଶେଷରେ ଅଧିକାରୀଙ୍କ କାର୍ନାମାକୁ ମୋବାଇଲ୍ରେ ରେକର୍ଡ କରିଥିଲେ ଗଣେଶ। ଏ ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ଶ୍ରୀ ରଥଙ୍କ ପ୍ରତିକ୍ରିୟା ନେବାରୁ ରାଗରେ ଉତ୍କ୍ଷିପ୍ତ ହୋଇ ନାଲିଆଖି ଦେଖାଇବା ସହ ‘‘ଟଙ୍କା ମାଗିଛି, କ’ଣ ଅସୁବିଧା ହେଲାକି’’ ବୋଲି ପାଲଟା ପ୍ରଶ୍ନ କରିଥିଲେ। ଘଟଣା ବାବଦରେ ଖଣ୍ଡପଡ଼ା ବିଡିଓଙ୍କ ପ୍ରତିକ୍ରିୟା ନେବାରୁ, ଅଭିଯୋଗ ଆସିଲେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ସେହିପରି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ସମ୍ପୂର୍ଣ ଘଟଣା ଶୁଣିବା ପରେ ବିଡିଓଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି (ଶୁକ୍ରବାର) ଏହି କରିତକର୍ମା ବାବୁ ଜଣକ ଅବସର ଗ୍ରହଣ କରୁଥିବା ବେଳେ ତଦନ୍ତ ଆଉ ଅଭିଯୋଗ ଆଳ ଦେଖାଇ ପ୍ରଶାସନ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଗତବର୍ଷ ଜୁନ୍ରେ ଖଣ୍ଡପଡ଼ା ବ୍ଲକ୍ରେ ଯୋଗ ଦେଇଥିବା ଶ୍ରୀ ରଥ ଯଦି ୧ ଲକ୍ଷ ପାଇଁ ୪ ହଜାର ବିଲ ମାଗୁଛନ୍ତି, ତେବେ କୋଟି କୋଟି ଟଙ୍କାର ବିଲ୍ରେ ତାଙ୍କର ଭାଗ କେତେ ଥିବ ସହଜରେ ଅନୁମେୟ। ଖାଲି ସେତିକି ନୁହେଁ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ବ୍ଲକ୍ ପ୍ରଶାସନର ଆହୁରି ଅନେକ ଅଧିକାରୀ ଅଂଶୀଦାର ସାଜିଥିବା ଏବଂ ତାଙ୍କ ନିର୍ଦ୍ଦେଶରେ ମୋଟା ଅଙ୍କର କାରବାର ହେଉଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ‘ମୋ ସରକାର ଓ ୫ଟି’ ଉପରେ ଭରସା କରି ବିଲ୍ ପାଇଁ ଆସୁଥିବା ଅନେକ ବ୍ୟକ୍ତିବିଶେଷ ଅଫିସର୍ଙ୍କ ଦଲାଲିରେ କିଭଳି ଶୋଷଣର ଶିକାର ହେଉଥିବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଭଳି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି। ଗଣେଶ ଏ ବାବଦରେ ନୟାଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ମୋ ସରକାରରେ ତାଙ୍କୁ କେବେ ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା।
The post ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଲାଞ୍ଚଖୋର ମନୋବୃତ୍ତି, ‘ପଇସା ନ ଦେଲେ ଦସ୍ତଖତ କରିବିନି’ first appeared on Sambad.from ଜିଲ୍ଲା | Sambad https://ift.tt/3t5MSLq
0 Comments