
ବରଗଡ଼ : ବରଗଡ଼ ଜିଲ୍ଲାରେ ମଣିଷ-ହାତୀ ସଂଘର୍ଷ ଜାରି ରହିଛି। ଦେଢ଼ ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ବରଗଡ଼ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସଦ୍ୟଭାବେ ମେଲଛାମୁଣ୍ତା ଥାନା ଅର୍ନ୍ତଗତ ଖଲିଆମୁଣ୍ତା ଗ୍ରାମରେ ବୁଧବାର ସକାଳେ ଗୋଟିଏ ହାତୀ ଦେବେନ୍ଦ୍ର ବଢେଇ (୬୦)ଙ୍କୁ ଦଳି ମାରି ଦେଇଛି। କିନ୍ତୁ ଏହି ଅବଧି ଭିତରେ କୌଣସି ହାତୀ ମୃତାହତ ହୋଇନାହାନ୍ତି। ଗତ ବର୍ଷ ଏପ୍ରିଲ ୬ ତାରିଖ ଗୋଟିଏ ନରହନ୍ତା ଦନ୍ତା ପଦ୍ମପୁର ବ୍ଲକ୍ରେ ଆତଙ୍କ ଖେଳାଇଥିଲା। ପଦ୍ମପୁର ରଜାପଡ଼ା ସ୍ବସ୍ତିକନଗରର ଦ୍ବାରିକାନାଥ ପାଣ୍ଡେ (୭୫), ପୁଅ ମଲେଇ ପାଣ୍ଡେ ଏବଂ ନାତି ଚିଣ୍ଟୁ(୭), ବାଜେନମୁଣ୍ଡାର ହେମସାଗର ସାହା(୫୦) ହାତୀ ଆକ୍ରମଣର ଶିକାର ହୋଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ମେଲଛାମୁଣ୍ତା ଥାନା ଅନ୍ତର୍ଗତ ଦୀପ୍ତିପୁର ସେକ୍ସନ ଅଧୀନସ୍ଥ ଘନାମାଲ ଗାଁର ସପ୍ତ ନାଏକ (୪୮)ଙ୍କୁ ହାତୀ ଦଳି ଦେଇ ମାରି ଦେଇଥିଲେ।
କିଛି ମାସ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ହାତୀ ଆତଙ୍କ ଲାଗି ରହିଛି। ବିଶେଷକରି ପଦ୍ମପୁର, ପାଇକମାଳ, ଘେଁସ୍, ମେଲ୍ଛାମୁଣ୍ଡା ଅଂଚଳରେ ହାତୀ ଉପଦ୍ରବ ବଢ଼ୁଛି। ହାତୀ-ମଣିଷ ସଂଘର୍ଷ ଜାରି ରହିଛି। ତେବେ ମଣିଷ ଉପରେ ହାତୀଙ୍କ ପଲା ଭାରି ରହିଛି। ମଣିଷ ମୁଣ୍ଡ ହିଁ ହାତୀ ଆକ୍ରମଣରେ ଗଡ଼ୁଛି। କିନ୍ତୁ ଜୀବନହାନୀ ଘଟୁଥିଲେ ହେଁ ପ୍ରତିଟି ଘଟଣାରେ ହାତୀଙ୍କ ଗତିବିଧି ଠାବ କରିବାରେ ବନବିଭାଗ ଫେଲ୍ ମାରୁଛି। ବାସ୍ତବରେ ଜିଲ୍ଲାରେ ହାତୀଙ୍କ ସଠିକ୍ ସଂଖ୍ୟା କାହାରି ପାଖରେ ନାହିଁ। କିଛି ହାତୀ ଛତିଶଗଡ଼ରୁ ମହାନଦୀ ଡେଇଁ ଆସୁଛନ୍ତି। କିଛି ଦିନ ଜଂଗଲରେ ରହି ଛତିଶଗଡ଼ ପଳାଉଛନ୍ତି। ତେଣୁ ପରିସଂଖ୍ୟାନ ନଥିବାରୁ ହାତୀଙ୍କ ଗତିବିଧି ଠାବ କରିବାରେ ବନବିଭାଗକୁ ବିଫଳତା ହିଁ ମିଳିଛି।
ଘେଁସ୍ ରେଂଜ ଦୀପ୍ତିପୁର–ମେଲଛାମୁଣ୍ଡା ସେକ୍ସନରେ ଦେଖା ଦେଉଥିବା ହାତିବଲ କଟାବାହାଲ ଅଂଚଳରୁ ଘନାମାଲ ଦେଇ ନଦୀ ପାରି ହୋଇ ପଲସାପାଲି, ଖଲିଆମୁଣ୍ଡା, ଜ୍ଞାନ ଦେଇ ଟାଲ ଜଙ୍ଗଲକୁ ଆସୁଛନ୍ତି । ବାରପାହାଡ଼ରେ ଆଖିବୁଜା ଜ˚ଗଲ କାଟ୍ ଏବ˚ ପ୍ରାକୃତିକ ଜଳସ୍ରୋତ ଶୁଖି ଯିବାରୁ ହାତୀଙ୍କ ପାଖରେ ବ˚ଚିବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ। ତେଣୁ ବାରପାହାଡ଼ରେ ବିଗତ ଦିନ ଭଳି ହାତୀପଲ ସ୍ଥାୟୀ ଭାବେ ରହୁନାହାନ୍ତି। ଏଠାକାର ହାତୀ ଘେଁସ୍ ରେ˚ଜ୍ରେ ଥିବା ଝାଞ୍ଜପାହାଡ଼କୁ ପଳାୟନ କରିଛନ୍ତି। ଝାଞ୍ଜପାହାଡ଼ରେ ପାଖାପାଖି ୩୦ରୁ ଅଧିକ ହାତୀ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବେ ବସବାସ କରୁଛନ୍ତି। ଏହି ଇଲାକା ଛତିଶଗଡ଼ ବନାଞ୍ଚଳକୁ ସ˚ଯୋଗ କରୁଛି। କିନ୍ତୁ ହାତୀଗୁଡ଼ିକର ଗତିପଥ ଠାବ କରିବାକୁ ଜିପିଏସ୍ ବ୍ୟବସ୍ଥା ନାହିଁ। ଫଳରେ ଜଂଗଲ ବିଭାଗ ଜୀବଜନ୍ତୁଙ୍କ ସୁରକ୍ଷା କେବଳ କାମଚଳା ଭାବେ କରୁଥିବା ବାରି ହେଉଛି।
ପଦ୍ମପୁର ବ୍ଲକର କନସି˚ହା, ବରିହାପାଲି, ସର୍ଗିବାହାଲ, କୁର୍ଲୁବାହାଲ, ପଣ୍ତକିପାଲି ଆଦି ଅ˚ଚଳରେ ମଧୢ ହାତୀଙ୍କ ଚଲାପଥ ରହିଛି। ଫଳରେ ବିଗତ ଦିନରେ ଏସବୁ ଇଲାକାରେ ହାତୀ-ମଣିଷ ସଂଘର୍ଷ ଦେଖିବାକୁ ମିଳିଛି। କିନ୍ତୁ ମେଲ୍ଛାମୁଣ୍ଡା ଇଲାକା ସବୁଠୁ ସମ୍ବେଦନଶୀଳ ରହିଛି। ଏଠାରେ ୨୦୧୭ ଜାନୁଆରି ୧୦ ତାରିଖ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମର ବିପ୍ର ସାମିନି (୬୫) ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ୨୦୧୮ ମସିହା ନଭେମ୍ବର ୭ ତାରିଖ ସକାଳୁ ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଏବଂ ୩ଜଣ ଆହତ ହୋଇଥିଲେ। ମୃତକ ଦ୍ୱୟ ହେଲେ ଘନାମାଳ ଗ୍ରାମର ଦେବାନନ୍ଦ ବେହେରା (୬୨) ଏବଂ ସାରଙ୍କପୁର ଗ୍ରାମର ଲଳିତା ମେହେର(୪୦)। ବାରମ୍ବାର ହାତୀ ଚଳପ୍ରଚଳ ଜାରି ରହିଥିଲେ ହେଁ ବନ ବିଭାଗର ଚେତା ପଶୁନାହିଁ। ହାତୀପଲଙ୍କ ଗତିବିଧି ଖବର ବନବିଭାଗ ପାଖରେ ରହୁନାହିଁ। ଫଳରେ ଜିଲ୍ଲାରେ ଜନଜୀବନ ହାନୀ ହେଉଛି।
The post ଜୀବନ ନେଉଛନ୍ତି ହାତୀପଲ, ବରଗଡ଼ ଜିଲ୍ଲାରେ ଦେଢ଼ ବର୍ଷରେ ୬ ଜଣଙ୍କୁ ଦଳିଲେଣି first appeared on Sambad.from ଜିଲ୍ଲା | Sambad https://ift.tt/3gkBNDz
0 Comments