ରାୟଗଡ଼ା: ଜାତୀୟ ବଜାରରେ ପହଞ୍ଚିଛି ରାୟଗଡ଼ାର ଫୁଲଝାଡ଼ୁ। ହାଇଦ୍ରାବାଦର ଏକ କମ୍ପାନି ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ାରୁ ଟ୍ରେନ୍ ଯୋଗେ ୨ ଟନ୍ ଫୁଲଝାଡ଼ୁ ନେଇଛି। ଖୁବ୍ ଶୀଘ୍ର ଆଉ ୩ ଟନ୍ ଫୁଲ ଝାଡ଼ୁ ନେବାକୁ କମ୍ପାନି ବେହେରାଗୁଡ଼ା ମା’ ତାରିଣୀ ବ୍ରୁମ୍ ବାଇଣ୍ଡିଂ ସହ ଚୁକ୍ତି କରିଛି। ଜାତୀୟ ବଜାରରେ ଧୀରେ ଧୀରେ ରାୟଗଡ଼ା ପାହାଡ଼ିଆ ଫୁଲଝାଡ଼ୁର ଚାହିଦା ବଢ଼ୁଥିବାରୁ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ‘ଆମାଜନ୍’ ସହ ମଧ୍ୟ ଚୁକ୍ତି ହୋଇଛି। ବାରକୋର୍ଡ ପ୍ରକ୍ରିୟା ଶେଷ ହେଲେ ଝାଡ଼ୁ ଅନଲାଇନରେ ବିକ୍ରି ହେବ।

ରାୟଗଡ଼ା ବ୍ଲକ୍ ପିତାମହଲ ପଞ୍ଚାୟତର ବେହେରାଗୁଡ଼ାରେ ଥିବା ମା ତାରିଣୀ ବ୍ରୁମ ବାଇଣ୍ଡିଂ ଗ୍ରୁପରେ ୨୦ରୁ ଉର୍ଧ୍ବ ମହିଳା କାମ କରୁଛନ୍ତି। ସମସ୍ତ ମହିଳା ବିଭିନ୍ନ ଗାଁ ବୁଲି ଝାଡ଼ୁ ପତ୍ର (କଞ୍ଚା ମାଲ) ସଂଗ୍ରହ କରିବା ପରେ କନ୍ଧଖିଲମରେ ଥିବା ଗୋଦାମ ଗୃହରେ ଝାଡ଼ୁ ପ୍ରସ୍ତୁତ କରୁଛନ୍ତି। ରାୟଗଡ଼ା ବ୍ଲକର କଣବେଶୁ, ହାଣ୍ଡେଶ ସମେତ ବିଭିନ୍ନ ପାହାଡ଼ିଆ ଗାଁରୁ ବହୁଳ ପରିମାଣରେ ଝାଡ଼ୁ ଉତ୍ପାଦନ ହେଉଥିବା ବେଳେ କେଜି ପିଛା ଗ୍ରୁପ୍ ମହିଳା ୩୫ ଟଙ୍କାରେ କିଣୁଛନ୍ତି। ଗୋଟିଏ କେଜି ଝାଡ଼ୁପତ୍ରରେ ୪ରୁ ୫ଟି ଝାଡ଼ୁ ପ୍ରସ୍ତୁତ ହେଉଛି। ବଜାର ଚାହିଦାକୁ ଆଖିରେ ରଖି ଝାଡ଼ୁକୁ ଆକର୍ଷଣୀୟ କରିବା ପାଇଁ ଗ୍ରୁପ ପକ୍ଷରୁ ଝାଡ଼ୁରେ ପ୍ଲାଷ୍ଟିକ୍ ବେଣ୍ଟ ଲଗାଯିବା ସହ ପ୍ଲାଷ୍ଟିକ୍ ସୂତାରେ ବେଣ୍ଟକୁ ଆକର୍ଷଣୀୟ ମଧ୍ୟ କରାଯାଉଛି।

ରାୟଗଡ଼ାରେ ପ୍ରସ୍ତୁତ ହେଉଥିବା ଝାଡ଼ୁ ଉନ୍ନତମାନର ହୋଇଥିବାରୁ ହାଇଦ୍ରାବାଦର ଏକ କଂପାନି ୫ ଟନ୍ ଝାଡ଼ୁପତ୍ର ନେବା ପାଇଁ ପ୍ରସ୍ତୁତ ହୋଇଛି। ଗୋଟିଏ ଥରରେ କଂପାନି ୫ ଟନ୍ ଝାଡ଼ୁ ନେବା ପାଇଁ ଚାହିଁଥିଲେ ମଧ୍ୟ ଟ୍ରେନରେ ପରିବହନ ସମସ୍ୟା ପାଇଁ ୨ ଟନ୍ ନେଇଛି। ମା ତାରିଣୀ ବ୍ରୁମ୍ ବାଇଣ୍ଡିଂ ଗ୍ରୁପ୍ ଝାଡ଼ୁପତ୍ର କେଜି ପିଛା ୩୫ ଟଙ୍କାରେ କିଣି ସଂପୃକ୍ତ କଂପାନିକୁ ୫୦ ଟଙ୍କାରେ ବିକ୍ରି କରିଛି।

ବିକ୍ରି ବାବଦ ୧ ଲକ୍ଷ ଟଙ୍କା କଂପାନି ଗ୍ରୁପର ଆକାଉଣ୍ଟକୁ ମଧ୍ୟ ପୈଠ କରି ସାରିଥିବା ଗ୍ରୁପର ତଥା ସ୍ବଂୟ ସହାୟକ ଗୋଷ୍ଠୀ ରାୟଗଡ଼ା ବ୍ଲକ ଫେଡେରେସନର ସଭାପତି କୁମାରୀ ପାଲକା ସୂଚନା ଦେଇଛନ୍ତି। ଓଡ଼ିଶା ବଜାରରେ ଗୋଟିଏ ଝାଡ଼ୁ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ହାଇଦ୍ରାବାଦ ସମେତ ଅନ୍ୟ ସହରରେ ଝାଡ଼ୁ ୧୨୦ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ରାୟଗଡ଼ାର ପାହାଡ଼ିଆ ଝାଡ଼ୁ (ହିଲ୍ ବ୍ରୁମ) ଅନ୍ୟ ଝାଡ଼ୁ ତୁଳନାରେ ଅଧିକ ଦିନ ସେବା ଯୋଗାଉଥିବା ଯୋଗୁ ଝାଡ଼ୁ ପ୍ରସ୍ତୁତକାରୀ କଂପାନି କଞ୍ଚାମାଲ ପାଇଁ ଏବେ ରାୟଗଡ଼ାମୁହାଁ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ବର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ‘ଆମାଜନ୍’ ସହ ପ୍ରଶାସନ ଅନୁବନ୍ଧିତ ହୋଇ ଚଳିତ ବର୍ଷ ୧ ଲକ୍ଷ ଝାଡ଼ୁ ଅନଲାଇନରେ ବିକ୍ରି ପାଇଁ ଲକ୍ଷ୍ୟ ରଖିଛି।

The post ଜାତୀୟ ବଜାରରେ ପହଞ୍ଚିଲା ରାୟଗଡ଼ା ଫୁଲଝାଡ଼ୁ first appeared on Sambad.

from ଜିଲ୍ଲା | Sambad https://ift.tt/3aeXP6x