
ଯାଜପୁର, (ପ୍ରଦୀପ କୁମାର ମହାପାତ୍ର): ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)। ଗ୍ରାମାଞ୍ଚଳର ଲୋକଙ୍କୁ ଘର ନିକଟରେ କାମ ଯୋଗାଇବା ସହ ଗାଁର ବିକାଶ ପାଇଁ ୟୁପିଏ ସରକାର ଅମଳରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଦାଦନ ଶ୍ରମିକ ହୋଇ ବାହାରକୁ ଯିବା ବଦଳରେ ଲୋକେ ନିଜ ଘର ପାଖରେ କାମ ପାଇବେ ବୋଲି ଲକ୍ଷ୍ୟ ରଖାଯାଇଥିଲା। କରୋନା ସମୟରେ ପ୍ରବାସୀ ଶ୍ରମିକ ଗାଁ ମୁହାଁ ହେବା ସମୟରେ ସେମାନଙ୍କ ହାତକୁ କାମ ଯୋଗାଇବାରେ ଏହି ଯୋଜନା ବେଶ୍ ସହାୟକ ହୋଇଥିଲା। ସତ୍ୟ ଏବଂ ଅହିଂସାର ପ୍ରତୀକ ମହତ୍ମା ଗାନ୍ଧୀଙ୍କ ନାମରେ ନାମିତ ଏହି ଯୋଜନା ଉପରେ ଏବେ ମୁଦ୍ରା ରାକ୍ଷାସଙ୍କ ନଜର ପଡ଼ିଛି। ଯୋଜନା ଯେତେ ଭଲ ହେଲେ ମଧ୍ୟ କାର୍ଯ୍ୟକାରିତାରେ ତଦାରଖ ଅଭାବ ହେଉ କିମ୍ବା ସରକାରୀ ବାବୁ ଏବଂ ଠିକାଦାରଙ୍କ ଲାଭଖୋର ମନୋଭାବ ଏହି ଯୋଜନାକୁ ଲାଇନ୍ଚ୍ୟୁତ କରି ଦେଇଛି।
ମନରେଗାକୁ ନେଇ ଅଧିକାଂଶ ପଞ୍ଚାୟତରେ ଏବେ ପୁଳାପୁଳା ଅଭିଯୋଗ। ମଣିଷ ବଦଳରେ ମେସିନ୍ କାମ କରିବା ଭଳି ଅଭିଯୋଗ ସତେ ଯେମିତି ସାଧାରଣ ପ୍ରସଙ୍ଗ ହୋଇଯାଇଛି। ଅନେକ ସ୍ଥାନରେ ଜିଆର୍ଏସ୍, ପିଇଓଙ୍କ ପାଖରେ ବନ୍ଧା ପଡ଼ିଛି ଜବ୍କାର୍ଡ। ଶ୍ରମିକ ତାଲିକାରେ ନାମ ଚଢ଼ାଇ ଦେଲେ କଥା ସରିଲା। ମନରେଗା କାମ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଉଥିବାରୁ ଠିକଣା ସମୟରେ କାମ ଶେଷ କରିବା ଚାପରେ ଉପରିସ୍ଥ ଅଧିକାରୀମାନେ ମଧ୍ୟ ଅଭିଯୋଗକୁ ଅଣଦେଖା କରନ୍ତି। ଶ୍ରମିକଙ୍କୁ କାମଦେବା ଏବଂ ଗାଁର ବିକାଶ ପାଇଁ ହୋଇଥିବା ଯୋଜନା ଅଧିକାଂଶ କ୍ଷେତ୍ରରେ ଦିଗହରା ହୋଇପଡିଛି। କେତୋଟି ଦୃଷ୍ଟାନ୍ତ ଦେଲେ ଏହି ଯୋଜନାରେ ହେଉଥିବା ଅନିୟମିତତା ସଂପର୍କରେ ସହଜରେ ବୁଝିହେବ।
ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ର ପାଣିକୋଇଲି ପଞ୍ଚାୟତରେ ମନରେଗାରେ ହୋଇଥିବା ଏକ ରାସ୍ତାକାମକୁ ଦେଖିଲେ ଆଖି ଟେରା ହୋଇଯିବ। ପାଣିକୋଇଲି ପଞ୍ଚାୟତର ଏଲ୍ ଆଣ୍ଡ ଟି ପୋଖରୀଠାରୁ କଣ୍ଟିଗଡ଼ିଆ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏଠାରେ ରାସ୍ତା ନିର୍ମାଣର ଚିହ୍ନବର୍ଣ୍ଣ ନାହିଁ। ବିଲ ମଝିରେ ଏକ ସୂଚନା ଫଳକ ପୋତି ଦେଇ ମନରେଗା କାମ ବୋଲି ଦର୍ଶାଯାଇଛି। ବିଲ ଭିତରେ ପଙ୍କୁଆ ମାଟି ଫାଟି ଜଳଜଳ ହୋଇ ଦିଶୁଛି। ଲୋକଙ୍କ ପାଦଚଲା ରାସ୍ତା ହୋଇଥିବାରୁ କିଛିଟା ସମତୁଲ ହୋଇଯାଇଛି। ଏଠାରେ ମାଟି ମୁଠାଏ ବି ନପକାଇ ମହାତ୍ମା ଗାନ୍ଧୀଙ୍କ ନାମରେ ହୋଇଥିବା ଯୋଜନାରୁ ୧୦ଲକ୍ଷ ଟଙ୍କା ସିଧାସଳଖ ହଡ଼ପ ହୋଇଛି। ଗାଁ ଲୋକ ବି ସମାନ ପ୍ରକାର ଅଭିଯୋଗ କରୁଛନ୍ତି। ହେଲେ ଏହା ଉଚ୍ଚ ଅଧିକାରୀଙ୍କ ତଦନ୍ତ ପରିସରକୁ ଆସିନି।
ସେହିପରି ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସେହି କୋରେଇ ବ୍ଲକ୍ରେ। ଏଠି ମଧ୍ୟ ଫଳକ ପୋତି ୩ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ୨୦୨୦-୨୧ ବର୍ଷରେ କୋରେଇ ବ୍ଲକ୍ ଧନେଶ୍ବର ପଞ୍ଚାୟତ ଅନ୍ତର୍ଗତ ସାନପାଟୁଳୀ ଗ୍ରାମରେ ଏକ ଖେଳପଡ଼ିଆରେ ମନରେଗାରେ ବୃକ୍ଷରୋପଣ କରାଯାଇଥିବା ଦର୍ଶାଯାଇଛି। ହେଲେ ଏଠାରେ ଗଛର ଚିହ୍ନବର୍ଣ୍ଣ ନାହିଁ। ଯେଉଁଆଡେ ଆଖି ବୁଲାଇଲେ ବେଣାବୁଦା କିଛି ଦେଖିବାକୁ ମିଳୁଛି। ସୂଚନାଫଳକଟି ପୋତା ଯାଇଥିବାରୁ ଏଠାରେ ଏଭଳି ଏକ ଯୋଜନା କରାଯାଇଥିଲା ବୋଲି ପ୍ରମାଣ ମିଳୁଛି। ଯଦି ସେତକ ନଥାନ୍ତା ତାହାହେଲେ ଅନ୍ୟ ପ୍ରକଳ୍ପ ଭଳି ଏହା ମଧ୍ୟ ସରକାରୀ ଫାଇଲ୍ରେ ହଜିଯାଇଥାନ୍ତା।
ଆଉ ଏକ ଅଭିଯୋଗ ଆସିଛି ଦଶରଥପୁର ବ୍ଲକ୍ରୁ। ଦତ୍ତପୁର ପଞ୍ଚାୟତ ବାଲିପାଟଣା ଗ୍ରାମରେ ଫାର୍ମ ପୋଖରୀ ଖନନ ମେସିନ୍ ଲଗାଇ କରାଯାଉଛି। ଏଠାରୁ ଟ୍ରାକ୍ଟରରେ ମାଟି ଉଠାଇ ନେଇ ନଦୀବନ୍ଧ ଠିକାଦାରଙ୍କୁ ବିକ୍ରି କରାଯାଉଛି। ଏକାସାଙ୍ଗରେ ଦୁଇ ପ୍ରକାର ଫାଇଦା ମିଳୁଥିବା ବେଳେ କାମ ପାଉନଥିବା ଶ୍ରମିକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତର ବାଜବାଟୀ ଗ୍ରାମ। ଏଠାରେ ମନରେଗା କାମରେ ରାସ୍ତା କରାଯାଇଥିବା ଦର୍ଶାଯାଇଥିଲେ ମଧ୍ୟ ମାଟି ମୁଠାଏ ବି ପଡ଼ିନଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି।
ସେହିପରି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆଶ୍ଚର୍ଯ୍ୟ କରିବା ଭଳି ସୂଚନା ପଦାକୁ ଆସିଛି। ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଜହ୍ନେଇପଶି ଗ୍ରାମରେ ଏକ ସୂଚନା ଫଳକ ଲାଗିଛି। ବର୍ଷାଜଳ ପରିଚାଳନା ପାଇଁ କାମ ହେଉଛି ଏବଂ ଡିଆରଡିଏ କେନ୍ଦୁଝର ପକ୍ଷରୁ କାମ କରାଯାଉଛି ବୋଲି ଲେଖା ହୋଇଛି। ହେଲେ ଏହି କାମ କେଉଁ ବିଭାଗ କରୁଛି ତାହା ଜଣାପଡୁ ନାହିଁ। ଏ ସଂପର୍କରେ ଗଣମାଧ୍ୟମ ଖୋଳତାଡ଼ ଚଳାଇବାରୁ କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପାଟଣା ବିଡିଓ ତଦନ୍ତ କରିବା ପରେ ଏହି ପ୍ରକଳ୍ପ କାମ କିଏ କାହିଁକି କରୁଛି ଜଣାପଡ଼ିବ।
ଏହିସବୁ ଅଭିଯୋଗ ଏବଂ ଦୃଷ୍ଟାନ୍ତକୁ ଦେଖିଲେ ଶ୍ରମିକ ପରିବାରକୁ ଦାନ ଦେବାକୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମରେ ହୋଇଥିବା ଯୋଜନାକୁ ତୃଣମୂଳସ୍ତରରେ କିଭଳି ଦଳିମକଚି ଦିଆଯାଉଛି ତାହା ଜଳଜଳ ହୋଇ ଦିଶୁଛି।
The post ମନରେଗା କହୁଛି ମନର କଥା first appeared on Sambad.from ଜିଲ୍ଲା | Sambad https://ift.tt/3sqyugm
0 Comments