ରାୟଗଡ଼ା: ଜଙ୍ଗଲ ନିଆଁ ବଢ଼ାଉଛି ମୁଣ୍ଡବ୍ୟଥା। ନିଆଁ ରୋକିବାକୁ ପ୍ରଚେଷ୍ଟା କରି ଥକି ପଡିଲେଣି ଜଙ୍ଗଲ ଓ ଅଗ୍ନିଶମ ବିଭାଗ କର୍ମଚାରୀ। ପ୍ରତିଦିନ ଆଖପାଖ ଜଙ୍ଗଲରେ ନିଆଁ ଲାଗିଥିବା ନେଇ ସୂଚନା ଆସୁଥିବାରୁ ନିଆଁ ଆୟତ୍ତ କରିବା ଉଭୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଗତ ମାସକ ମଧ୍ୟରେ ଅଗ୍ନିଶମ ବିଭାଗ ଜଙ୍ଗଲ ନିଆଁ ସଂପର୍କିତ ୩୦ଟି କଲ୍ ପାଇଛି। କର୍ମଚାରୀ ସଙ୍କଟରେ ଘାଣ୍ଟି ହେଉଥିବା ଅଗ୍ନିଶମ ବିଭାଗ ଅନ୍ୟ ଘଟଣା, ଦୁର୍ଘଟଣାସ୍ଥଳକୁ ଯିବା ସହ ଜଙ୍ଗଲ ନିଆଁ ରୋକିବା କାଠିକର ହୋଇ ପଡିଛି।

ରାୟଗଡ଼ା ସହର ଆଖପାଖରେ ଥିବା ସଂରକ୍ଷିତ ଓ ଅଣସଂରକ୍ଷିତ ଜଙ୍ଗଲ ଏକ ମାସରୁ ଉର୍ଧ୍ବ ସମୟ ହେଲା ଜଳୁଛି। ଗୁମ୍ମା, ପିତାମହଲ, କୋଲନରା, କେରେଡ଼ା ସମେତ ଅନ୍ୟ ଗ୍ରାମାଞ୍ଚଳ ଗୁଡ଼ିକରେ ଅଧିକ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି। ଦିନ ଦିନ ଧରି ଜଙ୍ଗଲ ଜଳୁଥିଲେ ମଧ୍ୟ ଯାତାୟାତ ସମସ୍ୟା ଓ ଅଗ୍ନିଶମ ବିଭାଗରେ କର୍ମଚାରୀ ଅଭାବ କାରଣରୁ ନିଆଁକୁ ଆୟତ୍ତ କରି ହେଉନି।

ଗତ ୨ ଦିନ ଧରି ଗୁମ୍ମା ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି। ଅଗ୍ନିଶମ ବିଭାଗ ରାସ୍ତା ପାର୍ଶ୍ବରେ ଲାଗିଥିବା ନିଆଁକୁ ଲିଭାଉ ଥିଲେ ମଧ୍ୟ ଆଭ୍ୟନ୍ତରୀଣ ଜଙ୍ଗଲରେ ନିଆଁର ପ୍ରକୋପ ଅଧିକ ରହିଛି। ସେହିପରି ପିତାମହଲ, କେରେଡା, ବାଇସିଂ ଓ କୋଲନରା ଜଙ୍ଗଲରେ ମଧ୍ୟ ନିଆଁର ପ୍ରକୋପ ଅଧିକ ରହିଛି। ଗ୍ରୀଷ୍ମର ପ୍ରକ‌ୋପ କାରଣରୁ ଗଛ ସବୁ ପତ୍ର ଝଡ଼ା ଦେବା ସହ ଶୁଖିଲା ଅବସ୍ଥାରେ ରହିଛି। ଯାହାର ଫାଇଦା ଉଠାଉଛନ୍ତି ସ୍ଥାନୀୟ ଲୋକ। ପୋଡୁ ଚାଷ ଓ ଅଙ୍ଗାର ଲୋଭରେ ସଂଧ୍ୟାରେ ଜଙ୍ଗଲରେ ନିଆଁ ଲଗାଇ ପଳାଇ ଯାଉଛନ୍ତି। ଦିନେ, ଦୁଇ ଦିନ ଜଙ୍ଗଲ ଜଳିବା ପରେ ଆସି ‌ଅଙ୍ଗାର, ପୋଡା କାଠ ସଂଗ୍ରହ କରିବା ସହ ପୋଡୁ ଚାଷ ପାଇଁ ଜମି ସମୁତଲ କରୁଥିବାର ଦେଖିବାକୁ ମିଳିଛି। ନିଆଁ ରୋକିବା ପାଇଁ ଜଙ୍ଗଲ ବିଭାଗ ସ୍ବତନ୍ତ୍ର ସ୍କ୍ବାର୍ଡ କରି ଜଗୁଛି। କିନ୍ତୁ ସ୍କ୍ବାର୍ଡ ଟିମକୁ ଚକମା ଦେଇ ଦୁର୍ବୃତ୍ତମାନେ ନିଆଁ ଲଗାଇ ଖସି ଯିବାରେ ସକ୍ଷମ ହେଉଛନ୍ତି।

ଅଧିକାଂଶ  ଜଙ୍ଗଲ ଅଞ୍ଚଳ ପାହାଡ଼ିଆ ଇଲାକା ହୋଇଥିବାରୁ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରୁନି ବନ ବିଭାଗ। ତଥାପି ଇତି ମଧ୍ୟରେ ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ ୩ ଜଣଙ୍କୁ ଗିରଫ କଲାଣି। ଅନ୍ୟପକ୍ଷରେ ଜଙ୍ଗଲ ନିଆଁ ଲିଭାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅଗ୍ନିଶମ ବିଭାଗ ଗତ ମାସକ ମଧ୍ୟରେ ନିଆଁ ଲିଭାଇବା କଲ୍ ଆଟେଣ୍ଡ କରି ଥକି ପଡିଲାଣି। ଜିଲ୍ଲା ସଦର ମହକୁମା ଅଗ୍ନିଶମ କାର୍ଯ୍ୟାଳୟରେ ୭ ଫାୟାରମ୍ୟାନ୍ ପଦବି ଖାଲି ପଡିଥିବାରୁ ବର୍ତ୍ତମାନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଉପରେ ଅତ୍ୟଧିକ ଚାପ ପଡୁଛି। ବାରମ୍ବାର ଦାବି ସତ୍ତ୍ବେ ଖାଲି ପଡିଥିବା ପଦବି ପୂରଣ ହେଉନି। ସଦର ମହକୁମା ଦମକଳ କେନ୍ଦ୍ରରେ ଜଣେ ଅଫିସରଙ୍କ ସହ ୨ଜଣ ହାବିଲଦାର, ୩ ଜଣ ଡ୍ରାଇଭର ଓ ୯ ଜଣ ଫାଏରମ୍ୟାନ୍ ରହିଛନ୍ତି।

ସେହିପରି ନିଆଁ ଲିଭାଇବା ପାଇଁ ଥିବା ୬ ହଜାର ଲିଟର କ୍ଷମତା ବିଶିଷ୍ଟ ଆଡଭାନ୍ସ ୱାଟର ଟେଣ୍ଡର ଗୋଟିଏ ଗାଡି ସହ ୩ ହଜାର ଲିଟର କ୍ଷମତା ବିଶିଷ୍ଟ ଗୋଟିଏ ମିନି ଏମଏଫଇ ଓ ୨ଟି ପାଣି ଟାଙ୍କି ଏବଂ ୩ ଶହ ଲିଟର କ୍ଷମତା ବିଶିଷ୍ଟ ଗୋଟିଏ କ୍ୱିକ୍ ରେସପନସ୍ ୟୁନିଟ୍ ଗାଡି ରହିଛି।  ତେବେ ପାଣି ଟାଙ୍କି ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପାଣି ଭରିବା ନିମନ୍ତେ କେନ୍ଦ୍ରରେ କୌଣସି ବ୍ୟବସ୍ଥା ନାହିଁ। ପାଣି ଭରିବାକୁ ହେଲେ ଜନସ୍ବାସ୍ଥ୍ୟ ବିଭାଗର ବିଶୋଧନାଗାରକୁ ଯାଇ ପାଣି ଲୋଡ କରିବାକୁ ପଡୁଛି। ନିଆଁ ଲିଭାଇ ଆସିବା କ୍ଷଣି ପାଣି ଭରିବା ଚିନ୍ତା ରହୁଥିବାରୁ ବିଭାଗୀୟ କର୍ମଚାରୀ ଅଧିକ କଷ୍ଟ ଭୋଗୁଛନ୍ତି। ଧୀରେ ଧୀରେ ଗ୍ରୀଷ୍ମର ପ୍ରକୋପ ବଢ଼ୁଥିବାରୁ ଆଗକୁ ଅଗ୍ନିଶମ ବିଭାଗକୁ ଅଧିକ ତତ୍ପର ରହିବାକୁ ପଡ଼ିବ। ଖାଲି ପଡିଥିବା ୭ ଫାୟାରମ୍ୟାନ୍ ପଦବି ଖୁବ୍ ଶୀଘ୍ର ପୂରଣ ହେବା ପାଇଁ ବିଭାଗ ଆଶ୍ବସନା ଦେଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

 

The post ଜଙ୍ଗଲ ନିଆଁ ବଢ଼ାଉଛି ଅଗ୍ନିଶମ ବିଭାଗର ଚିନ୍ତା: ମାସକରେ ୩୦ କଲ୍, ନାହାନ୍ତି ଆବଶ୍ୟକ କର୍ମଚାରୀ first appeared on Sambad.

from ଜିଲ୍ଲା | Sambad https://ift.tt/39GdNqi