
ସମ୍ବଲପୁର : ଶୁକ୍ରବାର କଚୋରି ରୋଡ଼ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ହଠାତ୍ ଜଣେ ମହିଳା ଏକ ଦୋକାନରେ ଛିଡ଼ା ହୋଇଥିବା ଅଧ୍ୟାପକଙ୍କୁ ଟାଣି ଆଣିଲେ। ତାପରେ ଝଗଡ଼ା ଆରମ୍ଭ। ଆଉ ସେଠାରେ ଉପସ୍ଥିତ ଲୋକେ କିଛି ବୁଝିବା ଆଗରୁ ମହିଳା ଜଣକ ସଂପୃକ୍ତ ଅଧ୍ୟାପକଙ୍କ ମୁହଁରେ ଚପଲରେ ମାରିଚାଲିଲେ। ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଏହି ହାଇ ପ୍ରୋଫାଇଲ୍ ଡ୍ରାମା ଦେଖିବା ପାଇଁ ମିଳିଛି। ପରେ ଜଣାପଡ଼ିଥିଲା ଯେ, ଅଧ୍ୟାପକ ଓ ସଂପୃକ୍ତ ମହିଳା ହେଉଛନ୍ତି ସ୍ବାମୀ-ସ୍ତ୍ରୀ। ପରକିୟା ପ୍ରୀତିକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଡ୍ରାମା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କ ମୁଣ୍ଡ ଖରାପ ଦେଇଥିଲା।

ହୀରାକୁଦ ଥାନା ଅନ୍ତର୍ଗତ ଭିଏସ୍ଏସ୍ କଲୋନିର ମହିଳା ଜଣକ ଶୁକ୍ରବାର ଜୋରରେ ଚିତ୍କାର କରିବା ସହ ହୀରାକୁଦ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ଅକ୍ଷୟ ସୂତାରଙ୍କୁ ମାଡ଼ ମାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣକ ଅକ୍ଷୟଙ୍କୁ ବୈଦିକ ରୀତିରେ ୨୦୦୬ ମସିହାରେ ବିବାହ କରିଥିଲେ। ତେବେ, ଅଧ୍ୟାପକ ସୂତାର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ସ୍ଥିତି ଏତେ ବଢ଼ିଯାଇଥିଲା ଯେ କିଛି ଦିନ ହେବ ଅଧ୍ୟାପକ ତାଙ୍କ ଘରକୁ ବି ଯାଉନାହାନ୍ତି। ସ୍ତ୍ରୀ ତାଙ୍କୁ ଖୋଜି ଖୋଜି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଇବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁଇ ଜଣଙ୍କୁ ଅଟକାଇବା ପାଇଁ ସେଠାରେ ଉପସ୍ଥିତ ଲୋକେ ପ୍ରୟାସ କରିଥିଲେ ମଧ୍ୟ କୌଣସି ଲାଭ ନମିଳିବାରୁ ଟାଉନ୍ ପୁଲିସକୁ ସୂଚନା ଦିଆଯାଇଥିଲା। ଟାଉନ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଥାନାକୁ ନେଇ ଯାଇଥିଲା।

ମହିଳାଙ୍କ କହିବାନୁସାରେ, ଅଧ୍ୟାପକ ସୂତାରଙ୍କ ସହିତ ୨୦୦୬ରେ ତାଙ୍କର ବିବାହ ହୋଇଥିଲା। ପ୍ରଥମରୁ ସେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇଆସିଛନ୍ତି। ସେଥିପାଇଁ ସେ ତାଙ୍କ ମାଆଙ୍କ ପାଖରେ ଅଧିକାଂଶ ସମୟ ରୁହନ୍ତି। ହୀରାକୁଦ ଥାନାରେ ତାଙ୍କ ନାଁରେ ୮ଟି ମାମଲା ରହିଛି। ପୁଲିସ ବାରମ୍ବାର ଘରକୁ ଆସୁଛି। ତାଙ୍କର ଏକ ପିଲା ଥିବାବେଳେ ତା’ ପାଠପଢ଼ା ଓ ଚଳିବା ପାଇଁ ତାଙ୍କ ସ୍ବାମୀ କୁଆଡ଼େ ଟଙ୍କା ଟିଏ ମଧ୍ୟ ଦେଉନାହାନ୍ତି। କେବଳ ସେତିକି ନୁହେଁ, ଅଧ୍ୟାପକ ପୂର୍ବରୁ ମଧ୍ୟ ବିବାହ ହୋଇଥିବା ଏବଂ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ତାଙ୍କୁ ବିବାହ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏ ନେଇ ସେ ହୀରାକୁଦ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ହୀରାକୁଦ ପୁଲିସ ଶୁକ୍ରବାର ତାଙ୍କ ସ୍ବାମୀ ଅଧ୍ୟାପକ ସୂତାରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ତେବେ ସ୍ତ୍ରୀଙ୍କ ଅଭିଯୋଗକୁ ଅଧ୍ୟାପକ ଜଣକ ଖଣ୍ଡନ କରିଛନ୍ତି।
The post ଜିଲ୍ଲାପାଳଙ୍କ ଅଫିସ ଆଗରେ ହାଇଭୋଲ୍ଟେଜ୍ ଡ୍ରାମା, ଅଧ୍ୟାପକ ସ୍ବାମୀଙ୍କୁ ସ୍ତ୍ରୀଙ୍କ ଚପଲ ମାଡ଼ first appeared on Sambad.from ଜିଲ୍ଲା | Sambad https://ift.tt/3fSJUXE
0 Comments