ସୁନ୍ଦରଗଡ଼ : ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନ୍ତର୍ଗତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ରେ କିଣାଯାଇଛି ୫୦ଟି ଜେନେରେଟର୍‌। ଏହି ଜେନେଟେରର୍‌ରୁ ବି ଜିଲ୍ଲାପାଳଙ୍କ ବାସଭବନ‌ରେ ଲାଗିଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନଜୀବିକା ସହ ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ କିଭଳି ଜେନେରେଟର୍‌ କିଣାଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୯ ଅକ୍ଟୋବର ୩ରେ ଏଥିପାଇଁ ଟେଣ୍ଡର ଆହ୍ବାନ କରିଥିଲା ପ୍ରତିଷ୍ଠାନ। ୫ ବର୍ଷର ନିର୍ଭରପତ୍ର (ୱାରେଣ୍ଟି) ସହ ଡିଜେଲ ଜେନେରେଟର୍‌ ସେଟ୍‌ ଯୋଗାଣ ପାଇଁ ଇଚ୍ଛୁକ ସଂସ୍ଥା ଓ ଏଜେଣ୍ଟ ୨୦୧୯ ଅକ୍ଟୋବର ୨୨ ମଧ୍ୟରେ ଆବେଦନପତ୍ର ଦାଖଲ କରିବାକୁ ତାରିଖ ନିଧାର୍ଯ୍ୟ ହୋଇଥିଲା। ସେହି ମାସ ୨୪ ତାରିଖରେ ଆବେଦନପତ୍ର ଖୋଲାଯାଇଥିଲା। ତେବେ ଟେଣ୍ଡରରେ ଜେନେରେଟର୍‌ ସଂଖ୍ୟା ଉଲ୍ଲେଖ କରାଯାଇ ନ ଥିବାବେଳେ ଆବେଦନକାରୀଙ୍କ ଠାରୁ ମାତ୍ର ୫୦ ହଜାର ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ଚୁକ୍ତିନାମା ଅର୍ଥ (ଇଏମ୍‌ଡି) ଦାଖଲ କରିବାକୁ କୁହାଯାଇଥିଲା। ୧.୫ ଲକ୍ଷରୁ ୭ ଲକ୍ଷ ମୂଲ୍ୟରେ ଯୋଗାଇବାକୁ ଥିବା ଅଲଗା ଅଲଗା ଶକ୍ତିର ୫୦ରୁ ଅଧିକ ଜେନେରେଟର ପାଇଁ ମାତ୍ର ୫୦ ହଜାର ଟଙ୍କା ଇଏମ୍‌ଡି ଜମା ନେବା କେଉଁଠି ନା କେଉଁଠି ଟେଣ୍ଡର ନିୟମର ଖିଲାପକୁ ସୂଚୀତ କରୁଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା। ତେବେ ୫୦ରୁ ଅଧିକ ଡିଜେଲ ଜେନେରେଟର୍‌ ସେଟ୍‌ କ୍ରୟ କରି ତାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିଭିନ୍ନ ବିଭାଗର କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଆଦିବାସୀ ଛାତ୍ରାବାସ ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ମଧ୍ୟ ଏହି ଅର୍ଥରୁ କ୍ରୟ ଏକ ଜେନେରେଟର ସେଟ୍‌ ‌ଲାଗିଛି। ଅତୀତରେ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ କାର୍ଯ୍ୟକାଳ‌ରେ ଜିଲ୍ଲାପାଳଙ୍କ ସରକାରୀ ବାସଭବନର ନବୀକରଣ ନାମରେ ୬୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ସେ ଅର୍ଥ କେଉଁଠୁ ଆସିଥିଲା, ସେତେବେଳେ ତା’ର ଟେର୍ କେହି ପାଇ ନଥିଲେ। ଏବେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଥିବା ଡିଏମଏଫ୍‌ ଅର୍ଥରେ କ୍ରୟ ଜେ‌ନେରେଟର୍‌ ଜିଲ୍ଲାପାଳଙ୍କ ବାସଭବନରେ ବ୍ୟବହାର କରାଯିବା ସେ ପୁରୁଣା କଥା ପୁଣି ଚର୍ଚ୍ଚାକୁ ଆଣିଛି। ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଜେନେରେଟର୍‌ ଲାଗିବାକୁ କେହି ପ୍ରଶ୍ନ କରୁନାହିଁ, କିନ୍ତୁ ସେଥିପାଇଁ ଭିନ୍ନ ପାଣ୍ଠି ରହିଛି। ଏହା ସତ୍ତ୍ବେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ କ୍ରୟ ଉପକରଣ ସେଠାରେ ଲଗାଯିବା ଆଲୋଚନାର ବିଷୟ ହୋଇଛି।

The post ଡିଏମ୍‌ଏଫ୍‌ ପାଣ୍ଠି‌‌ରେ ୫୦ ଜେନେରେଟର୍‌ କିଣା, ଜିଲ୍ଲାପାଳଙ୍କ ବାସଭବନରେ ବି ଲାଗିଛି first appeared on Sambad.

from ଜିଲ୍ଲା | Sambad https://ift.tt/3t5ZXoT