
ଘଟଗାଁ : ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ହେବ ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ। ଏନେଇ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ମା’ଙ୍କ ଚଇତି ପର୍ବ ପାଳିତ ହେବ। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି, ମା’ଙ୍କ ଚଇତି ପର୍ବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ପ୍ରତିଦିନ ମା’ଙ୍କ ସୁନାବେଶ, ହୋମଯଜ୍ଞ, ଚଣ୍ଡୀପାଠ ଓ ସତ୍ୟନାରାୟଣ ପୂଜା ନୀତିକାନ୍ତି ଅନୁସାରେ ହେବ ବୋଲି କହିଛନ୍ତି।
କରୋନା ଦ୍ବିତୀୟ ଲହର ଆରମ୍ଭ ହୋଇଥିବାରୁ ଜିଲ୍ଲାପାଳ ଆଶିଷ ଠାକ୍ରେ ଚିଠି ନମ୍ବର ୭୦୨/ତା ୩୧.୩.୨୦୨୧ରେ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରିଛନ୍ତି। ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପରିସରକୁ ବିଶୋଧନ କରିବାକୁ ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି। ସେହିପରି ଚଇତି ପର୍ବ ଅବସରରେ ହେଉଥିବା ବାଦୀପାଲା, ଭଜନସନ୍ଧ୍ୟା, ଛଉନୃତ୍ୟ, ସମ୍ବଲପୁରୀ ନାଚ, ଘୋଡ଼ାନାଚ, ପ୍ରବଚନ ପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ୧୩ ଓ ୧୪ ତାରିଖ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ପଣା ଓ ପ୍ରସାଦ ବିତରଣ ମଧ୍ୟ ବନ୍ଦ କରାଯାଇଛି। ଶ୍ରଦ୍ଧାଳୁଙ୍କ ଦ୍ବାରା ଭୋଗ ଅର୍ପଣ କରାଯିବ ନାହିଁ। ମା’ଙ୍କ ସମସ୍ତ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୋସିଆଲ ମିଡିଆରେ ପ୍ରଦର୍ଶିତ ହେବ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି।
ସେହିପରି ମନ୍ଦିର କର୍ମଚାରୀ, ସେବାୟତ, ପୂଜକ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି। ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ସଦସ୍ୟ ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ବଳଭଦ୍ର ନନ୍ଦ, ରୁଦ୍ରନାରାୟଣ ମହାନ୍ତ, କ୍ଷୀରୋଦ ପ୍ରସାଦ ଦାସ ଉପସ୍ଥିତ ଥିଲେ। ସାମ୍ବାଦିକ ସଂଘ ସଭାପତି ପ୍ରଦୀପ କୁମାର ଶା, ବୈଦ୍ୟୁତିକ ଗଣମାଧ୍ୟମ ସଂଘ ସଭାପତି ସମୀର ପ୍ରଧାନ, ମହେନ୍ଦ୍ର କୁମାର ପାତ୍ର, ଦିଲୀପ ମିଶ୍ର, ପ୍ରଫୁଲ୍ଲ କୁମାର ସାହୁ, ପ୍ରଫୁଲ୍ଲ କୁମାର ରାଉତ, ଭୀମସେନ ବଳ, ଛବୀନ୍ଦ୍ର କୁମାର ଜେନା, ଶେଷନନ୍ଦନ ବଳ ଓ କୁଳମଣି ନାଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
The post କଟକଣା ମଧ୍ୟରେ ହେବ ମା’ ତାରିଣୀଙ୍କ ଚଇତି ପର୍ବ; ୧୩, ୧୪ ତାରିଖରେ ସାଧାରଣ ଦର୍ଶନ ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/3cP6Rcr
0 Comments