
ବାଲେଶ୍ବର : ମୁହଁରୁ ଅନର୍ଗଳ ବାହାରୁଛି ବେଦମନ୍ତ୍ର, ଭକ୍ତ ସାଲବେଗଙ୍କ ପରି ଗାଇ ଚାଲିଛନ୍ତି ଭଜନ। ଆପଣ ଭାବୁଥିବେ ଇଏ କୌଣସି ନୈଷ୍ଠିକ ବ୍ରାହ୍ମଣ ପରିବାରର ଝିଅ ହୋଇଥିବ। କିନ୍ତୁ ଆପଣଙ୍କ ଭାବନାକୁ ଭୁଲ ପ୍ରମାଣିତ କରି ଦେଇଛନ୍ତି ଏହି ଝିଅ। କାରଣ, ଏ ହେଉଛନ୍ତି ଜଣେ ମୁସଲମାନ ପରିବାରର ଝିଅ। ମହାମୃତ୍ୟୁଞ୍ଜୟ ମନ୍ତ୍ର ସାଙ୍ଗକୁ ଗଣେଷ ବନ୍ଦନା ହେଉକି ଗୁରୁବନ୍ଦନା ସବୁକିଛି ମୁଖସ୍ଥ କରି ରଖିଛନ୍ତି। ଦେଖିଲେ ଲାଗୁଛି ସତେ ଯେମିତି ମା’ ସରସ୍ବତୀଙ୍କ କୃପା ଏହି ଝିଅଟି ଉପରେ ଅଜାଡ଼ି ହୋଇପଡ଼ିଛି। ଧର୍ମ ସିନା ଅଲଗା। ହେଲେ ଜାତୀୟତା ପରା ଭାରତୀୟ। ଜାତି ଓ ଧର୍ମକୁ ନେଇ ଅନେକ ଭେଦଭାବ ଥିବା ବେଳେ ସର୍ବଧର୍ମକୁ ଏକାକାର କରି ସମସ୍ତଙ୍କ ଉଦାହରଣ ସାଜିଛନ୍ତି ଏହି ଝିଅ। ତାହେଲେ ଆସନ୍ତୁ ଦେଖିବା ଏହି ଅନନ୍ୟ ପ୍ରତିଭାଙ୍କ ଜୀବନ କାହାଣୀ..

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସୂନାରୁଇ ଗ୍ରାମର ଏକ ଗରିବ ମୁସଲିମ ପରିବାରର ଝିଅ ହେଉଛନ୍ତି ମାମୁନି ଖାତୁନ। ପିଲାଟି ବେଳୁ ଜଗନ୍ନାଥଙ୍କ ପୂଜା କରିବା ସହ ହିନ୍ଦୁଗ୍ରନ୍ଥ ପଠନ ଏବଂ ବେଦମନ୍ତ୍ର ପ୍ରତି ବେଶ୍ ଆଗ୍ରହ ରହିଛି। ଶ୍ରୀଜଗନ୍ନାଥଙ୍କ ଭଜନ, ମା’ ସରସ୍ବତୀ ଏବଂ ଗଣେଶ ବନ୍ଦନା ସମେତ ସମସ୍ତ ହିନ୍ଦୁ ଦେବଦେବୀଙ୍କ ମନ୍ତ୍ରକୁ ଖୁବ ସୁନ୍ଦର ଏବଂ ସୁମଧୁର କଣ୍ଠରେ ଗାଉଛନ୍ତି ସେ। ଧର୍ମକୁ ନେଇ ସାରା ବିଶ୍ବରେ ଅନେକ ବିଦ୍ବେଷ ଦେଖିବାକୁ ମିଳେ। କିନ୍ତୁ ହିନ୍ଦୁ ଦେବଦେବୀଙ୍କ ମନ୍ତ୍ର ଓ ଭଜନରେ ନିପୁଣ ଏହି ମୁସଲିମ ଝିଅଟି ଆଜି ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ତାଙ୍କ ମୁହଁରୁ ଯିଏ ବି ଭଜନ ଆଉ ମନ୍ତ୍ର ଶୁଣୁଛନ୍ତି ସେ ମୁଗ୍ଧ ହୋଇଯାଉଛନ୍ତି।
ମୁସଲିମ ପରିବାରର ଝିଅ ହୋଇଥିଲେ ମଧ୍ୟ ହିନ୍ଦୁ ଦେବଦେବୀ ଏବଂ ଓଡ଼ିଆ ସଂସ୍କୃତି, ପରମ୍ପରା ପ୍ରତି ତାଙ୍କର ବେଶ ରୁଚି ରହିଛି। ସକାଳୁ ଘରୁ ବାହାରକୁ ଗଲେ ଜଗନ୍ନାଥଙ୍କୁ ମୁଣ୍ତିଆ ମାରି ବାହାରି ଯାଆନ୍ତି। ମୁସଲିମ ସମ୍ପ୍ରଦାୟର ଆଲ୍ଲାଙ୍କୁ ମଧ୍ୟ ସେ ଭକ୍ତି କରିବା ସହ ନମାଜ ପାଠ ବି କରନ୍ତି। ଝିଅର ଏଭଳି ଆଚରଣକୁ ପରିବାର ଲୋକେ କେବେ ବି ବିରୋଧ କରିନାହାନ୍ତି। ବରଂ ସେମାନେ ବେଶ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି। ମାମୁନିଙ୍କର ଇଚ୍ଛା ଅଛି ଭବିଷ୍ୟତରେ ଜଣେ ସଂସ୍କୃତ ଶିକ୍ଷୟିତ୍ରୀ ହୋଇ ଶିକ୍ଷାଦାନ କରିବା ପାଇଁ। ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ଧାରଉଧାର କରି ତାଙ୍କ ବାପା କଲେଜରେ ନାମ ଲେଖାଇଛନ୍ତି। ତେବେ କଲେଜରେ ମଧ୍ୟ ସେ ନିଜ ଇଚ୍ଛା ମୁତାବକ ସଂସ୍କୃତ ବିଷୟକୁ ପାଠ୍ୟକ୍ରମରେ ସାମିଲ କରିଥିବା ଦେଖାଯାଇଛି। ମାତ୍ର ବିଡ଼ମ୍ବନାର ବିଷୟ ମାମୁନିଙ୍କ ବାପା ଜଣେ ଦିନ ମଜୁରିଆ। ପର ଘରେ ମୂଲ ଲାଗିଲେ ପରିବାର ଚଳାନ୍ତି। ଯଦି ସରକାର କିମ୍ବା କୌଣସି ଅନୁଷ୍ଠାନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଏହି ଗରିବ ପରିବାରକୁ ସାହାଯ୍ୟର ହାତ ବଢ଼ାନ୍ତି, ତାହାଲେ ମାମୁନିଙ୍କ ସ୍ବପ୍ନ ସାକାର ହୋଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
The post ଗରିବ ମୁସଲିମ୍ ଛାତ୍ରୀ ମୁହଁରେ ବେଦମନ୍ତ୍ର, ବାଣ୍ଟୁଛନ୍ତି ସର୍ବଧର୍ମ ସମନ୍ବୟର ବାର୍ତ୍ତା first appeared on Sambad.from ଜିଲ୍ଲା | Sambad https://ift.tt/3g834Jb
0 Comments