ପୁରୀ/ଡେଲାଙ୍ଗ : ପିପିଲି ଉପନିର୍ବାଚନ ପୂର୍ବରୁ ଡେଲାଙ୍ଗ ବ୍ଲକ୍‌ ଜେନାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ବେଳେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ଆକ୍ଷେପ ଓ ପରେ କାଠଫାଳିଆ ଉଡ଼ିଛି। ଫଳରେ ପ୍ରଚାର କ୍ଷେତ୍ର ଆଜି ରଣକ୍ଷେତ୍ର ପାଲଟିଥିଲା। ଆକ୍ରମଣ ପ୍ରତିଆକ୍ରମଣରେ ଉଭୟ ପକ୍ଷର ୬ଜଣ ଆହତ ହୋଇଛନ୍ତି। ଦୁଇଜଣ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର ହୋଇଛନ୍ତି। ଏ ସମ୍ପର୍କରେ ଉଭୟ ବିଜେଡି ଓ ବିଜେପି ଡେଲାଙ୍ଗ ଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଜେପି କର୍ମୀମାନେ ବିଜେଡିର କର୍ମୀ ଓ ମହିଳା ନେତ୍ରୀଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରିଥିବା ବିଜେଡି ଥାନାରେ ଅଭି‌ଯୋଗ କରିଥିବା ବେଳେ ସମାନ ଅଭିଯୋଗ ଆଣିଛି ବିଜେପି। ଉଭୟ ବିଜେଡି ଓ ବିଜେପି ଏହି ଘଟଣାରେ ରାସ୍ତାରୋକ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି।

ବିଜେଡି ଡେଲାଙ୍ଗ ଷ୍ଟେସନ୍‌ ବଜାରଠାରେ ରାସ୍ତାରୋକ କରିଥିବାବେଳେ ବିଜେପି ହାଟ ଡେଲାଙ୍ଗଠାରେ ରାସ୍ତାରୋକ କରିଛି। ରାତି ପ୍ରାୟ ସାଢ଼େ ୯ଟାରେ ଆହତଙ୍କୁ ଭେଟିବାକୁ ଡେଲାଙ୍ଗ ଡାକ୍ତରଖାନାକୁ ଯାଉଥିବାବେଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡ଼ି(ଓଡି-୦୭ଏଜି-୧୭୨୮)କୁ ଭଙ୍ଗାରୁଜା କରାଯାଇଛି। ବିଜେପି କର୍ମୀମାନେ ତାଙ୍କ ଗାଡ଼ିକୁ ଠେଲାପଥର ମାଡ଼ କରିଛନ୍ତି। ଏହାପରେ ପୁନର୍ବାର ଦୁଇପକ୍ଷ ମୁହାଁମୁହିଁ ହୋଇଛନ୍ତି। ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇ ପୁଲିସ ମୃଦୁ ଲାଠି ଚାଳନା କରିଛି। ପରେ ପୁଲିସ ସୁରକ୍ଷାରେ ସୁଶାନ୍ତ ସିଂ ଡାକ୍ତରଖାନାରୁ ଫେରିଛନ୍ତି। ଆକ୍ରମଣରେ ସୁଶାନ୍ତ ସିଂଙ୍କ ଗାଡ଼ି କାଚ ଭାଙ୍ଗିଯାଇଛି। ତେବେ ସୁଶାନ୍ତ ସିଂଙ୍କ ଅକ୍ଷତ ଥିବା ପୁଲିସ କହିଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ୧୦ରୁ ଅଧିକ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଜେନାପୁର ଗ୍ରାମ ପଞ୍ଚାୟତ ପାଇକସାହିର ଅକ୍ଷୟ ମହାପାତ୍ର, ଭିକାରୀ ଦାଶ ଓ ବାବୁଲି ମହାପାତ୍ରଙ୍କୁ ବେରବୋଇ ରେଳଫାଟକ ନିକଟରେ ଏକ ବୋଲେରୋ ଗାଡ଼ିରେ ଆସିଥିବା ୧୦ ଜଣ ଯୁବକ ହଠାତ୍‌ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଚିତ୍କାର କରିବାରୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହାକୁ ନେଇ ଡେଲାଙ୍ଗ ଥାନା ନିକଟରେ ବିଜେଡିର ଶତାଧିକ ମହିଳା ଓ ପୁରୁଷ କର୍ମୀ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାସ୍ତାରୋକ କରିଥିଲେ।

ସେହିପରି ବିଜେଡି ମହିଳା ସମାବେଶରେ ଯୋଗଦେଇ ଘରକୁ ଫେରିଥିବା ମହିଳାମାନଙ୍କୁ ବ୍ରାହ୍ମଣବାଡ଼ ଗ୍ରାମରେ କିଛି ବିଜେପି କର୍ମୀ ଗାଳିଗୁଲଜ କରୁଥିବା ଖବର ପାଇ ପ୍ରସନ୍ନ କୁମାର ସ୍ୱାଇଁ ସେଠାକୁ ଯାଇଥିଲେ। ସେଠାରେ ଶ୍ରୀ ସ୍ୱାଇଁ ପହଞ୍ଚିବା ମାତ୍ରେ ବିଜେପିର କର୍ମୀମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ପାଖରେ ଥିବା ଟଙ୍କା ଛଡ଼ାଇ ନେବା ସହ ମୋବାଇଲ ଭାଙ୍ଗି ଦେଇଥିବା ଥାନାରେ ସେ ଅଭିଯୋଗ କରିଥିଲେ।

ବିଜେଡିର ମହିଳା ନେତ୍ରୀ ପ୍ରମିଳା ପରିଡ଼ା ବିଜେଡି ପାଇଁ ପ୍ରଚାର କରିବାକୁ ମାଛପଡ଼ା ଯାଇଥିଲେ। ସେଠାରେ ଗ୍ରାମର କିଛି ବିଜେପି କର୍ମୀ ତାଙ୍କଠାରୁ ପୁସିଂ କାର୍ଡ ଛଡ଼ାଇ ନେବା ସହ ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିବା ଓ ବାଡ଼ିରେ ଆକ୍ରମଣ କରିଥିବା ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ। ପରେ ଡେଲାଙ୍ଗ ବ୍ଲକ୍‌ ବିଜେଡି ସଭାପତି ବୈରାଗୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସୁରେନ୍ଦ୍ର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଡେଲାଙ୍ଗ ଷ୍ଟେସନ୍‌ ବଜାରଠାରେ ବିଜେଡିର କର୍ମୀମାନେ ଧାରଣା ଦେଇଥିଲେ।

ଅନ୍ୟପଟେ ବିଳମ୍ବିତ ରାତିରେ ମିଳିଥିବା ଖବର ଅନୁସାରେ, ରବିବାର ଡେଲାଙ୍ଗ ବ୍ଲକ୍‌ର ଜେନାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗାଁ’ରେ ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଉଥିଲା। ଏହି ସମୟରେ ବିଜେଡିର କିଛି କର୍ମୀ ପହଞ୍ଚି ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ଫଳରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ କାଠ ଫାଳିଆ ଉଡ଼ିଥିଲା। ଏଥିରେ ମନୋରଞ୍ଜନ ବରାଳଙ୍କ ସମେତ ୩ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ପ୍ରଥମେ ଡେଲାଙ୍ଗ ଓ ପରେ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ବିଜେପି ପକ୍ଷରୁ ହାଟ ଡେଲାଙ୍ଗଠାରେ ରାସ୍ତାରୋକ କରାଯାଇଛି। ବିଳମ୍ବିତ ରାତି ସୁଦ୍ଧା ଏହି ରାସ୍ତାରୋକ ଜାରି ରହିଛି। ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ଶତାଧିକ ବିଜେପି କର୍ମୀ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଥିଲେ। ବିଜେପି ନେତା ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, ପ୍ରଭଞ୍ଜନ ମହାପାତ୍ର, ସ୍ମୃତି ପଟ୍ଟନାୟକ ପ୍ରମୁଖ ସେଠାରେ ପହଞ୍ଚି ଧାରଣା ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ରାତି ୧୦.୪୫ ମିନିଟ୍‌ ସମୟରେ ପୁରୀ ଏସ୍‌ପି ଡ. କେ.ବିଶାଳ ସିଂହ ଉଭୟ ରାଜନୈତିକ ଦଳର ଧାରଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ଦୁଇଦଳ ବିଜେଡି ଓ ବିଜେପି ଧାରଣା ପ୍ରତ୍ୟାହାର କରିଥିଲେ।

The post ଡେଲାଙ୍ଗରେ ନିର୍ବାଚନୀ ହିଂସା: ପ୍ରଚାରରେ ଉଡ଼ିଲା କାଠଫାଳିଆ, ବିଜେଡି ଓ ବିଜେପିର ୬ ଆହତ first appeared on Sambad.

from ଜିଲ୍ଲା | Sambad https://ift.tt/3wNnxZG