କଟକ : ସାମନ୍ୟ ହାଇଡ୍ରୋସିଲ୍‌ ରୋଗର ଚିକିତ୍ସା ସୁବିଧା କ’ଣ ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟ ପ୍ରାଣକେନ୍ଦ୍ର ଭିମସାର୍‌ରେ ନାହିଁ? ଏକଥା ଆମେ କହୁନୁ, ଏସ୍‌ସିବି ଚିକିତ୍ସା ପାଇଁ ଆସିବାର କାରଣ ହିଁ ଏମିତି ସଙ୍କେତ ଏକ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଏହି ପ୍ରଶ୍ନ ହିଁ ଯଥେଷ୍ଟ ସନ୍ଦେହର ବଳୟ ତିଆରି କରୁଛି ଯେ ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ପ୍ରତି ବିଭିନ୍ନ ସ୍ତରରେ ଭୀଷଣ ଦରଦ ପ୍ରଦର୍ଶନ କରାଯାଇଛି, ଯାହାର ଫାଇଦା ନେଇ ସେ ଖସିଯାଇଛି। ଗୋଟିଏ ମହଲ ସିଧା ସିଧା ଏ ଅଭିଯୋଗ ବି କରୁଛନ୍ତି ଯେ ହାଇଦରକୁ ଖସାଇଦିଆଯାଇଛି ଓ ଏହାପଛରେ ଏକ ବଡ଼ ଡିଲ୍ ହୋଇଥିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ହାଇଦରର ଯେଉଁ ରୋଗ ସବୁର ଚିକିତ୍ସା ପାଇଁ ତାକୁ ଏଏସ୍‌ବି ମେଡି଼କାଲକୁ ଅଣାଯାଇଥିଲା, ସେହି ରୋଗ ପାଇଁ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ। କେବଳ ଔଷଧରେ ଭଲ ହୋଇଯାଇଥିଲା ରୋଗ। ସୋମବାର ଦିନ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯିବ ବୋଲି ହାଇଦରକୁ ଡାକ୍ତର କହି ସାରିଥିଲେ। ଏହି ଖବର ଶୁଣିବା ପରେ ହିଁ ସେ ଶନିବାର ଅପରାହ୍ନରେ ଏସ୍‌ସିବିରୁ ଚମ୍ପଟ ମାରିଥିଲା।

ହାଇଦର୍‌ ଫେରାର ପଛରେ ବଡ଼ଧରଣର ଷଡ଼୍‌ଯନ୍ତ୍ର ଓ ଏକ ବଡ଼ ଡିଲ୍‌ର ଗନ୍ଧ ବାରି ହୋଇପଡ଼ିଲାଣି। ଏହାର ଚେର ସମ୍ବଲପୁର ସର୍କଲ ଜେଲଠାରୁ ଆରମ୍ଭ କରି ଭିମ୍‌ସାର ଓ ଏସ୍‌ସିବି ପର୍ଯ୍ୟନ୍ତ ଲମ୍ବିଛି। ଏହି ସନ୍ଦେହ ଆହୁରି ବଢ଼ୁଛି, କାରଣ ‌ଯେଉଁଠି ସାଧାରଣ ରୋଗୀ ଚିକିତ୍ସା ପାଇଁ ଖୋଜି ଖୋଜି ନୟାନ୍ତ ହୋଇପଡ଼ିଲେ ବି କ୍ୟାବିନ୍‌ ମିଳିପାରୁନି, ସେଭଳି କ୍ଷେତ୍ରରେ ଜଣେ ଗ୍ୟାଙ୍ଗଷ୍ଟର ପାଇଁ ଏତେ ବିଳାସପୂର୍ଣ୍ଣ ଚିକିତ୍ସା (ଏସି କ୍ୟାବିନ୍‌) ପଛରେ ରହସ୍ୟ କଣ ଥାଇପାରେ?

ସୂଚନା ଅନୁସାରେ, ଗତବର୍ଷ ଡିସେମ୍ବର ୨୯ ତାରିଖରେ ହାଇଦର ପ୍ରଥମଥର ବୁର୍ଲାର ଭିମ୍‌ସାର୍‌କୁ ଚକ୍ଷୁ ଚିକିତ୍ସା ପାଇଁ ଯାଇଥିଲା। ସେଠାରୁ ତାକୁ କଟକ ଏସ୍‌ସିବିକୁ ପଠାଯାଇଥିଲା। ଜେଲ୍‌ ଓ ପୁଲିସ ବିଭାଗର ପ୍ରକ୍ରିୟା ପରେ ଜାନୁଆରି ୨୩ ତାରିଖରେ ସେ ଏସ୍‌ସିବି ଚକ୍ଷୁ ବିଭାଗରେ ଆସି ଡାକ୍ତରଙ୍କୁ ଦେଖାଇ ଫେରିଥିଲା। ଡାକ୍ତରଙ୍କ ପରାମର୍ଶ ପରେ ମାସକ ପରେ ଫେବ୍ରୁଆରି ୨୩ ତାରିଖରେ ଓ ତାର ମାସକ ପରେ ମାର୍ଚ୍ଚ ୨୩ ତାରିଖରେ ପୁଣି ଏସ୍‌ସିବିକୁ ଆସିଥିଲା। ଏଥର ତା’ର ପୂର୍ବରୋଗ ସହିତ ହାଇଡ୍ରୋକ୍ସିଲ୍‌, ମଧୁମେହ, ମାଂସପେଶୀରେ ଯନ୍ତ୍ରଣା, ସାଇନସ୍‌ ସମସ୍ୟା ଆଦି ସମସ୍ୟା କଥା ସେ କହିଥିଲା। ଆସିବା ଦିନଠାରୁ, ଅର୍ଥାତ୍‌ ୧୩ଦିନ ଧରି ସେ ସର୍ଜରି ବିଭାଗ ଏସି କ୍ୟାବିନ୍‌ ନମ୍ବର-୫ରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ ଏସ୍‌ସିବି ଆସିବା ଦିନଠାରୁ ହିଁ ହାଇଦରକୁ ଭେଟିବା ପାଇଁ ପ୍ରତିଦିନ ଅନେକ ଲୋକ ଆସୁଥିଲେ। ଏପରିକି ରୋଗୀ ଖାଦ୍ୟ ବଦଳରେ ଘରୋଇ ଖାଦ୍ୟ, ବିରିୟାନି ଆସୁଥିଲା ହାଇଦର ପାଇଁ। ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂଚନା ଅନୁସାରେ, ଯେଉଁ ମୁଖ୍ୟ ହାଇଡ୍ରୋକ୍ସିଲ ରୋଗର ଚିକିତ୍ସା ପାଇଁ ହାଇଦରକୁ ଏସ୍‌ସିବି ଅଣାଯାଇଥିଲା , ସେଥିରେ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଲାନି। ସପ୍ତାହେ ଔଷଧ ଦେବା ପରେ ତା’ ରୋଗ ଭଲ ହୋଇଯାଇଥିଲା। ମଧୁମେହ, ମାଂସପେଶୀରେ ଯନ୍ତ୍ରଣା, ସାଇନସ୍‌ ସମସ୍ୟା କଥା ହାଇଦର କହିଥିଲା ଓ ସେହି ରୋଗର ମଧ୍ୟ ଚିକିତ୍ସା ଚାଲିଥିଲା। ସବୁ ବିଭାଗର ରିପୋର୍ଟ ବି ଆସିସାରିଥିଲା। କେବଳ ଗୋଟିଏ ବିଭାଗର ରିପୋର୍ଟ ଆସି ନ ଥିବାରୁ ହାଇଦରକୁ ରଖାଯାଇଥିଲା, ସୋମବାର ସକାଳେ ଏସ୍‌ସିବିରୁ ଡିସଚାର୍ଜ କରାଯାଇଥାନ୍ତା। କିନ୍ତୁ ରୋଗମୁକ୍ତ ଓ ଡିସଚାର୍ଜ ହେବାର ଖବର ଜାଣିଥିବା ହାଇଦର ଏହାରି ଭିତରେ ରଚିଥିଲା ବଡ଼ ଷଡ଼ଯନ୍ତ୍ର। ଫେରାର ହେବାର କିଛି ଘଣ୍ଟା ପୂର୍ବରୁ ତାକୁ କେତେଜଣ ଘେରିକି ରହି ବିରିୟାନି ଖାଉଥିଲେ। ସେଇ ଲୋକମାନେ ହିଁ ‌ଚମ୍ପଟ ପଛରେ ମାଷ୍ଟର୍‌ମାଇଣ୍ଡ୍‌ ବୋଲି କୁହାଯାଉଛି। ହେଲେ ସେମାନେ କିଏ ଥିଲେ, କେମିତି ସୁରକ୍ଷାକର୍ମୀଙ୍କୁ ନିଶାସକ୍ତ କରି ରୋଗୀ ବେଶରେ ହାଇଦର୍‌କୁ ହସ୍ପିଟାଲ ବେଡ୍‌‌ରୁ ଚମ୍ପଟ କରାଇଥିଲେ, ସେ ସବୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ।

କିଛି ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କର କହିବା କଥା ହେଉଛି, ଭିମସାର କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ସମ୍ବଲପୁର ସର୍କଲ ଜେଲ ଓ ଏସ୍‌ସିବିରେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ବି ଏତେ ବଡ଼ ଘଟଣାର ସାମାନ୍ୟତମ ସୁରାକ୍‌ ପାଇପାରିଲେନି କେମିତି? ଏସ୍‌ସିବିରୁ ଡିସ୍‌ଚାର୍ଜ ହେବା କଥା ଶୁଣିବା ପରେ ଏଭଳି ଯୋଜନା ହୋଇଥିଲା ନା ଏସ୍‌ସିବିକୁ ଆସିବା ଦିନରୁ ଏହିସବୁ ଯୋଜନା ଚାଲିଥିଲା, ତାହା ତଦନ୍ତସାପେକ୍ଷ। ଅଧିକାଂଶ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଓ ଉପଖଣ୍ଡୀୟ ମେଡିକାଲରେ ବି ହାଇଡ୍ରୋକ୍ସିଲ ଅସ୍ତ୍ରୋପଚାର ହୋଇପାରୁଛି। ମଧୁମେହ ଓ ଅନ୍ୟାନ୍ୟ ରୋଗ ଥିବାରୁ ଏସ୍‌ସିବିକୁ ଅଧିକ ଓ ଉତ୍ତମ ଚିକିତ୍ସା ପାଇଁ ଅଣାଯାଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବୁର୍ଲା ମେଡକାଲ କଲେଜ ଭଳି ରାଜ୍ୟର ପୁରାତନ ମେଡିକାଲ କଲେଜ ଓ ହସ୍ପିଟାଲରେ ଏସବୁ ସାମନ୍ୟ ରୋଗର ଚିକିତ୍ସା ନକରି ଏସ୍‌ସିବି ପଠାଇ ଦିଆଯିବା କେତେଦୂର ଗ୍ରହଣୀୟ, ତାହା ବୁଝାପଡ଼ୁନି। ‌ପୁଣି କିଏ ଓ କେଉଁ କାରଣରୁ ହାଇଦରକୁ ଏସି କ୍ୟାବିନ ଆଲଟ୍‌ କରିଥିଲେ ସେ ସବୁ ଉପରେ ଅଧିକ ତଦନ୍ତର ଆବଶ୍ୟକତା ରହିଛି।

The post ହାଇଡ୍ରୋସିଲ୍‌ ଚିକିତ୍ସା ଭିମ୍‌ସାରରେ ନାହିଁ? ସୋମବାର ଡିସ୍‌ଚା‌ର୍ଜ ହୋଇଥା’ନ୍ତା ହାଇଦର୍‌, ତା’ ପୂର୍ବରୁ ଚମ୍ପଟ ମାରିଲା first appeared on Sambad.

from ଜିଲ୍ଲା | Sambad https://ift.tt/3g1L3wb