ମାଲକାନଗିରି: ମାଓବାଦୀମାନେ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାର ଗାଁରୁ ଅପହଣର କରିନେଇଥିବା ପୁଲିସ ଏସଆଇଙ୍କୁ ହତ୍ୟା କରିଛନ୍ତି । ଗତକାଲି ରାତିରେ ଅପହୃତ ପୁଲିସ ଏସଆଇ ମୁରଲୀ ତାତିଙ୍କ ମୃତଦେହ ଛତିଶଗଡ କୁସୁମପାର ଅଞ୍ଚଳରୁ ଉଦ୍ଧାର ହୋଇଛି । ପିଏଲଜିଏ ଦ୍ବାରା ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀମାନେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ମୃତ ଏସଆଇ ବସ୍ତର ଜିଲ୍ଲା ଜଗଦଲପୁରଠାରେ କାର୍ଯ୍ୟରତ ଥିଲେ। ତେବେ ଅପହରଣ ପରେ ତାଙ୍କୁ ଛାଡ଼ିଦେବା ପାଇଁ ଏସଆଇଙ୍କ ପରିବାର ଲୋକେ ମାଓବାଦୀଙ୍କୁ ଗୁହାରି କରିଥିଲେ ମଧ୍ୟ ମାଓବାଦୀମାନେ ତାଙ୍କ ଗୁହାରି ଶୁଣିନଥିଲେ। ମୃତ ଏସଆଇ ଗାଁ ଲୋକଙ୍କୁ ହଇରାଣ କରିବା ସହ ମାଓବାଦୀଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମାଓବାଦୀମାନେ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୧ତାରିଖରେ ତାଙ୍କୁ ଅପହରଣ କରିନେଇଥିଲା ଲାଲବାହିନୀ । ଛୁଟିରେ ଘରକୁ ଯାଇଥିବା ଯବାନ ଜଣକ ଘଟଣା ଦିନ ଅପରାହ୍ଣରେ ଗାଁ ନିକଟରେ ଚାଲିଥିବା ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କରିନେଇଥିଲେ । ଚଳିତ ମାସରେ ମାଓବାଦୀଙ୍କ ଦ୍ବାରା ଏହା ଥିଲା୨ୟ ଅପହରଣ ।

ଚଳିତ ମାସ ୩ ତାରିଖରେ ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ମାଓବାଦୀମାନେ  ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିବା ଫଳରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଏହା ସହିତ ମାଓବାଦୀମାନେ କମାଣ୍ଡୋ ରାକେଶ୍ବର ସିଂ ମାନହାସଙ୍କୁ ଅପହରଣ କରିନେଇଥିଲେ । ତେବେ ଏପ୍ରିଲ ୮ରେ ତାଙ୍କୁ ମାଓବାଦୀମାନେ ମୁକ୍ତ କରିଦେଇଥିଲେ ।

The post ଛତିଶଗଡ଼ ବିଜାପୁରରୁ ଅପହରଣ କରିଥିବା ପୁଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ first appeared on Sambad.

from ଜିଲ୍ଲା | Sambad https://ift.tt/2PgzeqK