
କଟକ/ବିଦ୍ୟାଧରପୁର: ସହରର ବିଭିନ୍ନ ସ୍ଥାନରେ ଜାଇକା ମନମୁଖୀ ଢଙ୍ଗରେ କାର୍ଯ୍ୟ କରୁଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ କାମ ଅଧାରୁ ବନ୍ଦ କରି ଛାଡି ଦିଆଯାଇଛି। କେଉଁଠି ମ୍ୟାନହୋଲ୍ ଉପରେ ଘୋଡଣି ନାହିଁ ତ କେଉଁଠି ଚାମ୍ବର ଖୋଲା ରଖି କାର୍ଯ୍ୟ ଶେଷ କରାଯାଉ ନାହିଁ। ଖୋଲା ମ୍ୟାନହୋଲ୍ ଓ ଚାମ୍ବରରେ ପଡ଼ି ମଣିଷ ଓ ଗୋରୁଗାଈ ଗୁରୁତର ଆହତ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜାଇକା କାମରେ ସୁଧାର ଆସୁନାହିଁ। ନୂଆବଜାର ଗୋଶାଳା ରାସ୍ତା ସବୁବେଳେ ଚଳଚଞ୍ଚଳ ରହୁଛି। ଦୈନିକ ଏହି ରାସ୍ତାରେ ନୂଆବଜାରରୁ ତିନି ଘରିଆ, ବେଲେଶ୍ବର, ଓଏମପି, ଖପୁରିଆ ଶିଳ୍ପାଞ୍ଚଳ ଓ ସହରର ଅନ୍ୟ ସ୍ଥାନକୁ ଲୋକମାନେ ଯାଆସ କରୁଛନ୍ତି। ନୂଆବଜାର ପୂର୍ବାଞ୍ଚଳର ବଡ଼ ବ୍ୟବସାୟ କେନ୍ଦ୍ର। ସେଥିପାଇଁ ଏହି ଅଞ୍ଚଳରେ ସବୁବେଳେ ଭିଡ଼ ପରିଲକ୍ଷିତ ହୁଏ। ନୂଆବଜାର ଉପରେ ପୋଲ ନିର୍ମାଣ କରାଯାଇଛି। ଏହି ପୋଲ ଗୋଶାଳା ଶେଷ ଯାଏ ଲମ୍ବିଛି।
ପୋଲର ଦୁଇପାଖରେ ଯିବା ଆସିବା ପାଇଁ ରାସ୍ତା ହୋଇଛି। ନୂଆବଜାରକୁ ଆସିବା ରାସ୍ତାରେ ଗୋଶାଳା ମୁଖ୍ୟ ଫାଟକ ପାଖରୁ ଶେଷ ପାଚେରୀ ପର୍ଯ୍ୟନ୍ତ ଜାଇକା ୭ଟି ମ୍ୟାନହୋଲ୍ ରାସ୍ତା କଡ଼ରେ କରିଛି। କିନ୍ତୁ ମ୍ୟାନହୋଲ୍ ଉପରେ ଘୋଡ଼ଣି ନାହିଁ। ଦୀର୍ଘ ୧ବର୍ଷରୁ ଉର୍ଦ୍ଧ ହେବ ଜାଇକା ମ୍ୟାନହୋଲ୍ କରି ପଳାଇଛି ବୋଲି ଅଭିଯୋଗ ହେଉଛି। ପୋଲ ଉପରେ ବିଦ୍ୟୁତ ଖୁଣ୍ଟରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହି। ଫଳରେ ରାସ୍ତା ଅନ୍ଧାର ରହୁଛି। ଏହି ମ୍ୟାନହୋଲରେ ପଡ଼ି ବାଇକ ଆରୋହୀ, ଷଣ୍ଢ, ଗାଈ ଗୁରୁତର ଆହତ ହେଉଥିବା ଅଭିଯୋଗ କରିଛନ୍ତି ତିନି ଘରିଆ ବାସିନ୍ଦା ଷ୍ଟାଲିନ୍ ଖୁଣ୍ଟିଆ, ମୃତ୍ୟୁଞ୍ଜୟ ପାତ୍ର (ଟୁଟୁ), ରଞ୍ଜନ ସାହୁ, ରାଜ୍ ଖୁଣ୍ଟିଆ, ଅନୁଜ ମହାନ୍ତି, ବିରାଜ ମହାନ୍ତି, ପ୍ରିୟବ୍ରତ ପଶାୟତ, ଅନୀଲ ପାତ୍ର। ସେମାନେ କହିଛନ୍ତି ଯେ ଏଠାରେ ଦୁର୍ଘଟଣା ପ୍ରତିଦିନ ଘଟୁଛି। ଅନେକ ସମୟରେ ଆହତମାନଙ୍କୁ ଉଦ୍ଧାର କରି ସେମାନେ ମେଡିକାଲରେ ଭର୍ତ୍ତି କରୁଛନ୍ତି। ଏହି ମ୍ୟାନହୋଲ୍ ଉପରେ ଘୋଡ଼ଣି ଲଗାଇବା ପାଇଁ ଜାଇକା ପାଖରେ ଅଭିଯୋଗ କରିଛୁ। କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
The post ବିପଦପୂର୍ଣ୍ଣ ନୂଆବଜାର ଗୋଶାଳା ରାସ୍ତା; ମ୍ୟାନ୍ହୋଲ୍ରେ ଘୋଡ଼ଣି ନାହିଁ, ପ୍ରତିଦିନ ଦୁର୍ଘଟଣା first appeared on Sambad.from ଜିଲ୍ଲା | Sambad https://ift.tt/3dwNMLf
0 Comments