
କଟକ : ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଆୟ ବର୍ହିଭୂତ ସଂପତ୍ତି ଠୁଳ, ଭିଜିଲାନ୍ସ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଦାଲତରେ ତାଙ୍କୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତକାଲି ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଥିଲା। କିନ୍ତୁ ଏହି ଟଙ୍କା କେଉଁଠୁ ଆସିଥିଲା, ସେ ସଂପର୍କରେ ସେ ତଥ୍ୟ ଦେଇ ପାରି ନଥିଲେ। ପରେ ତାଙ୍କର ସଂପତ୍ତି ଖୋଳତାଡରୁ ଭିଜିଲାନ୍ସ ତାଙ୍କର ୫୫ ଲକ୍ଷ ୬୯ ହଜାର ୪୬୮ ଟଙ୍କାର ସଂପତ୍ତି ଠାବ କରିଛି। ୨୦୧୬ରେ ଚାକିରି ଆରମ୍ଭ କରିଥିବା ବିଚିତ୍ରାନନ୍ଦ ନାୟକ ମାତ୍ର ୫ ବର୍ଷ ଭିତରେ ଏତେ ସଂପତ୍ତି ଠୁଳ କରିଛନ୍ତି। ତାଙ୍କର କାର୍ଯ୍ୟକଳାପ ଉପରେ ଭିଜିଲାନ୍ସ ଅଭିଯୋଗ ପାଇ ନଜର ରଖିଥିବା ବେଳେ ଗତକାଲି ସେ ଗାଡିରେ ଭୁବନେଶ୍ବର ରଘୁନାଥପୁର ଠାରେ ଥିବା ଆପାର୍ଟମେଣ୍ଟରୁ ବାହାରୁଥିବା ସମୟରେ ତାଙ୍କ ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଶ୍ରୀ ନାୟକ ଭିଜିଲାନ୍ସ ଅଧିକାରୀଙ୍କୁ ସହଯୋଗ କରିବା ବଦଳରେ ଖସି ଯିବାକୁ ଚେଷ୍ଟା କରିଥିଲେ ଏବଂ ପରେ ଟଙ୍କାକୁ ଗାଡିରୁ ବାହାରକୁ ଫିଙ୍ଗି ଦେଇଥିଲେ। ସେହି ୧ ଲକ୍ଷ ୭ ହଜାର ଟଙ୍କାକୁ ଭିଜିଲାନ୍ସ ଅଧିକାରୀ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।
The post ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ, ୫ ବର୍ଷ ଭିତରେ ଠୁଳ କରିଛନ୍ତି ୫୫ ଲକ୍ଷ ଟଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3rYFGAe
0 Comments