ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ): ୪୫୦ ପରିବାର ପାଇଁ ଅଛି ୪ ନଳକୂପ। ସେଥିରୁ ପୁଣି ୩ଟି ଅଚଳ। ଯେଉଁ ଗୋଟିଏରୁ ପାଣି ବାହାରୁଛି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଥିବାରୁ ଗ୍ରାମବାସୀଙ୍କ ଶୋଷ ମେଣ୍ଟିପାରୁନି। ଅଚଳ ନଳକୂପ ମରାମତି ପାଇଁ ଗୁହାରି କରି ଥକିବା ପରେ ଶେଷରେ ପଞ୍ଚାୟତ ଅଫିସ୍ ଘେରାଉ କରିଛନ୍ତି ମହିଳା। ବିଷମକଟକ ବ୍ଲକ୍ ଚାଟିକଣା ପଞ୍ଚାୟତ ଅଫିସକୁ ମହିଳା ଘେରାଉ କରିବା ପରେ ନିଦ ଭାଙ୍ଗିଛି ପ୍ରଶାସନର। ନଳକୂପ ମରାମତି ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ।
ଚାଟିକଣା ପଞ୍ଚାୟତର ମଳିପଡା ଓ ଗେଙ୍ଗପଡ଼ାରେ ବାସ କରୁଛନ୍ତି ୪୫୦ରୁ ଉର୍ଧ୍ବ ପରିବାର। ଗତ ୧୫ ଦିନ ହେଲା ଏହି ଦୁଇ ସାହିକୁ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି। ପାଇପ ଜଳ ଯୋଗାଣ ଫେଲ୍ ମାରିଲେ ଲୋକେ ଗାଁରେ ଥିବା ନଳକୂପ ଉପରେ ନିର୍ଭର କରୁଥିଲେ। କିନ୍ତୁ ୩ଟି ନଳକୂପ ଅଚଳ ହୋଇ ପଡିଥିବାରୁ ୧୫ ଦିନ ହେଲାଣି ଦୁଇ ସାହିବାସୀ ପାଣି ପାଇଁ ଡହଳ ବିକଳ ହୋଇ ପଡୁଛନ୍ତି। ଗୋଟିଏ ନଳକୂପରୁ ପାଣି ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ଲୋକେ ବାଧ୍ୟ ହୋଇ ନାଳ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜଳ ଯୋଗାଣ ସ୍ବାଭାବିକ ହେଉନଥିବାରୁ ୫୦ରୁ ଉର୍ଧ୍ବ ମହିଳା ଚାଟିକଣା ପଞ୍ଚାୟତ ଅଫିସ୍ ସମ୍ମୁଖରେ ପହଞ୍ଚି ଘେରାଉ କରିଥିଲେ। ତୁରନ୍ତ ନଳକୂପ ମରାମତି ନ କଲେ ପଞ୍ଚାୟତ ଅଫିସରେ ତାଲା ଝୁଲାଇବାକୁ ମହିଳା ଚେତାବନୀ ଦେଇଛନ୍ତି। ପାଇପ ମରାମତି କରି ଜଳ ଯୋଗାଣ ସ୍ୱାଭାବିକ କରାଯିବ ବୋଲି କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ।

ସେହିପରି ରାୟଗଡ଼ା ବ୍ଲକ୍ ଜେମାଦେଇପେଣ୍ଠ ପଞ୍ଚାୟତର ତିଲେସୁ ଗାଁରେ ମଧ୍ୟ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଗାଁରେ ଥିବା ନଳକୂପ ୩ ବର୍ଷ ହେଲା ଅଚଳ ହୋଇ ପଡ଼ିଥିବାରୁ ଲୋକେ ନାଳ ପାଣି ଉପରେ ନିର୍ଭର କରୁଛନ୍ତି। ବହୁ ଗ୍ରାମବାସୀ ନାଳ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ଗାଁରେ ବାସ କରୁଥିବା ୧୬ଟି ଘରର ଜନ ସଂଖ୍ୟା ୮୦ରୁ ଉର୍ଧ୍ବ ହେବ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ଗାଁରେ ଦୁଇଟି ନଳକୂପ ଥିବା ବେଳେ ଗୋଟିଏ ସ୍କୁଲ ଭିତରେ ଏବଂ ଅନ୍ୟଟି ବାହାରେ ରହିଛି। ଗାଁ ଭିତରେ ଥିବା ନଳକୂପରୁ ଯେଉଁ ପାଣି ବାହାରୁଛି ତାହା ପିଇବା ପାଇଁ ଉପଯୁକ୍ତ ନୁହେଁ। ଫଳରେ ଗ୍ରାମବାସୀ ଦୀର୍ଘ ବର୍ଷ ହବ ନାଳ ଉପରେ ନିର୍ଭର କରୁଛନ୍ତି। ନାଳ ପାଣିରେ ଗ୍ରାମବାସୀ ଗାଧୋଇବା, ଶୌଚ ହେବା ସହ ଉକ୍ତ ପାଣିକୁ ହିଁ ପାନୀୟ ଜଳ ଭାବରେ ବ୍ୟବହାର କରୁଥିବାରୁ ଚର୍ମ ରୋଗ ସହ ଡାଇରିଆରେ ଆକ୍ରାନ୍ତ ହେଉଥିବା ଗ୍ରାମର ବାତୁକି କିଲକା, ଡମୁ କିଲକା ପ୍ରମୁଖ ଅଭିଯୋଗ କରିଛନ୍ତି।
ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚ, ଓାର୍ଡମେମ୍ବରଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛନ୍ତି। ହେଲେ କୌଣସି ସୁଫଳ ମିଳିନି। ଏ ସଂପର୍କରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଭୂତଳ ଜଳସ୍ତର କମୁଥିବାରୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଉଛି। ଆଗକୁ ଜଳାଭାବ ଦେଖାଦେଲେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି।
The post ଜଳ ପାଇଁ ବିକ୍ଷୋଭ: ୪୫୦ ପରିବାର ପାଇଁ ଥିବା ୪ ନଳକୂପରୁ ୩ ଅଚଳ, ପଞ୍ଚାୟତ ଅଫିସ୍ ଘେରିଲେ ମହିଳା first appeared on Sambad.from ଜିଲ୍ଲା | Sambad https://ift.tt/3uTTeyw
0 Comments