କୋରାପୁଟ: ରାଜନୈତିକ କନ୍ଦଳ ଏବଂ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଘଟଣାରୁ କୋଟିଆରେ ହେବାକୁ ଥିବା ଆନ୍ଧ୍ରର ନିର୍ବାଚନ ଆପେଆପେ ବନ୍ଦ ହୋଇଯାଇଛି। ଆନ୍ଧ୍ର ସରକାର ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ରୋକ୍‌ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ। ପରବର୍ତ୍ତୀ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଚକ୍ରାନ୍ତ କରି ଓଡ଼ିଶାରେ ଆନ୍ଧ୍ର ସରକାର କରିବାକୁ ଯାଉଥିବା ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚି ଯାଇଛି। ଯାହାକି କୋରାପୁଟ ଜିଲ୍ଲାବାସୀଙ୍କୁ ଆଶ୍ବସ୍ତ କରିଛି।

ସୂଚନା ଅନୁଯାୟୀ, ଚଳିତ ମାସ ୧ତାରିଖ ଦିନ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ଆନ୍ଧ୍ର ସରକାର। ଆସନ୍ତା ୮ତାରିଖ ଦିନ ମତଦାନ ହୋଇ ୧୦ତାରିଖ ଦିନ ଭୋଟ ଗଣତି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ବିଜ୍ଞପ୍ତି ପ୍ରକାଶ ପାଇବାର ୮ଦିନ ପରେ ମତଦାନ ହେଉଥିବାରୁ ଆନ୍ଧ୍ରର ବିରୋଧୀ ଦଳ ଗୁଡ଼ିକ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ନିର୍ବାଚନକୁ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଟିଡିପି ଏବଂ ବିଜେପି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରିବା ପରେ ବିରୋଧୀଙ୍କ ପକ୍ଷ ଶୁଣିବା ପରେ ନିର୍ବାଚନକୁ ସ୍ଥିଗିତ ରଖିବାକୁ ଗତକାଲି ଆଦେଶ ଦେଇଛନ୍ତି। ଯାହାଫଳରେ ଓଡ଼ିଶାର କୋଟିଆରେ ହେବାକୁ ଥିବା ନିର୍ବାଚନ ମଧ୍ୟ ଆପେ ଆପେ ଘୁଞ୍ଚି ଯାଇଛି। ତେବେ କିଛି ସପ୍ତାହ କିମ୍ବା ମାସର ବ୍ୟବଧାନ ପରେ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

The post ଆନ୍ଧ୍ରର କୋଟିଆ ନିର୍ବାଚନ ସ୍ଥଗିତ, ସରକାରଙ୍କୁ ହାଇକୋର୍ଟଙ୍କ ଝଟ୍‌କା first appeared on Sambad.

from ଜିଲ୍ଲା | Sambad https://ift.tt/3wwG50b