
ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଟେରୁ ଜଳସେଚନ ବିଭାଗର ତମସା ମୁଖ୍ୟ କେନାଲ ଭାଙ୍ଗିବା ଘଟଣାରେ ବିବ୍ରତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ତିନିଦିନ ତଳେ ଏମ୍ପିଭି-୨ ଗାଁ ନିକଟରେ ଘାଇ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଦେଖିବା ପରେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ଆଦୌ ତତ୍ପରତା ଦେଖାଇ ନଥିଲେ ଅଧିକାରୀ। ଏପରିକି କିଛି ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇ ଏଡ଼ାଇ ଦେଇଥିଲେ। ଯାହାର ପରିମାଣ ସ୍ବରୂପ ଘାଇ ଆକାର ବଢ଼ିଯାଇଥିଲା। ଗତକାଲି ଯାହା ଘଟିଲା ତାହା କୌଣସି ବନ୍ୟା ପରିସ୍ଥିତି ଠାରୁ କମ୍ ନଥିଲା। ଅନ୍ୟପଟେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଭରପୂର ପ୍ରୟାସ ଆରମ୍ଭ ହୋଇଛି। କେନାଲ ଅତି ପୁରୁଣା ହୋଇଯାଇଥିବା ପ୍ରତିକ୍ରିୟା ଦେଇ ଦୋଷ ଝାଡ଼ିବାକୁ ଯଥାସାଧ୍ୟ ଚେଷ୍ଟା କରିବାକୁ ପଛାଇ ନାହାନ୍ତି ଅଧିକାରୀ।

ଅପରାହ୍ଣ ପ୍ରାୟ ୪ଟାରେ ମାଟି ବନ୍ଧକୁ ଭାଙ୍ଗି ଦେଇ କେନାଲ ପାଣି ଗାଁ ଭିତରେ ପଶିଥିଲା। ଚାହୁଁଚାହୁଁ ପୂରା ଗାଁ ଜଳମଗ୍ନ ହୋଇଯାଇଥିଲା। ଶହ ଶହ ଏକର ଜମିରେ ପାଣି ପଶି ଲକ୍ଷାଧିକ ଟଙ୍କାର ଫସଲ କ୍ଷତିଗ୍ରସ୍ତ ହୋଇଛି। ଆଜି ବି ଚାଷ ଜମି ମଧ୍ୟରେ ପଶିଥିବା ପାଣି ନିଷ୍କାସିତ ହୋଇ ନାହିଁ। ଏତେ ଜୋର୍ରେ ପାଣି ମାଡ଼ିଆସିଲା ଯେ ଘରେ ଥିବା ଜିନିଷକୁ ବାହାର କରିବା ପାଇଁ ଲୋକେ ସମୟ ପାଇ ନଥିଲେ। ସମସ୍ତେ ଭୟରେ ଘର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲେ। ସାମାନ୍ୟ ଅବହେଳା ପାଇଁ ଏତେ ବଡ଼ ଘଟଣା ଘଟିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହିଁ ଏଭଳି ଘଟିଥିବା ଆଜି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଭୁଲ୍ କରିବା ସତ୍ତ୍ବେ ବିଭାଗୀୟ ଅଧିକାରୀଙ୍କ ଚେତା ପଶି ନଥିବା ଦେଖିବାକୁ ମିଳିଛି। ଘଟଣାର ପ୍ରାୟ ୧୮ ଘଣ୍ଟା ପରେ ଆଜି ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଥିଲେ। ଏବେ ଦୋଷ ଘୋଡ଼ାଇବାକୁ ପ୍ରଚେଷ୍ଟା ଚାଲିଥିବା ଦେଖିବାକୁ ମିଳିଛି। ସହକାରୀ ଯନ୍ତ୍ରୀ ମଧ୍ୟ ଅଜବ ସଫେଇ ଦେଇଥିଲେ। ସେ କହିଛନ୍ତି, ଏହି କେନାଲ ୩୫ ବର୍ଷ ପୁରୁଣା। ତେଣୁ ଏଥିରେ ଘାଇ ସୃଷ୍ଟି ହୋଇଛି। ତେବେ ତୁରନ୍ତ ମରାମତି କରାଯାଇ ସ୍ବାଭାବିକ କରାଯିବ ବୋଲି ସେ କହିଥିଲେ।
The post ତମସା ମୁଖ୍ୟ କେନାଲ ଭାଙ୍ଗିବା ଘଟଣା: ଜଳସେଚନ ଅଧିକାରୀଙ୍କ ଅବହେଳାରୁ କୃତ୍ରିମ ବନ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3nf4bZe
0 Comments