ସେମିଲିଗୁଡା /ସୁନାବେଡା: ସୁନାବେଡା ହାଲ ସହରାଞ୍ଚଳରେ ଗତ ୨୬ତାରିଖ ଦିନ ବେକରେ ଦଉଡି ଦେଇ ଶ୍ରାବଣୀ ମଲ୍ଲିକ ନାମ୍ନୀ ମହିଳା  ଆତ୍ମହତ୍ୟା କରିଥିଲେ। ଏବେ ଏହି ଘଟଣାର ଗୁମର ଫିଠିବାରେ ଲାଗୁଛି।  ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ମହିଳାଜଣକ ରେକର୍ଡ କରିଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଘୁରିବୁଲିଥିଲା।  ଏଥିରେ ମହିଳା ଜଣକ ନିଜ ମୃତ୍ୟୁ ପାଇଁ ଶାଶୁ ଘର ଲୋକ, କିଛି ହାଲ କର୍ମଚାରୀ ଓ କେତେକ ସ୍ଥାନୀୟ ବ୍ୟବସାୟୀଙ୍କୁ ଦାୟୀ କରିଥିଲେ। ତେବେ ଦୁଇ ଦିନ ତଳେ ମହିଳାଙ୍କ ଭାଇ ଯୋଗେନ୍ଦ୍ର ମଲ୍ଲିକ ସୁନାବେଡା ଥାନାରେ ପହଞ୍ଚି ଭିଡିଓରେ ମହିଳାଜଣକ ପ୍ରକାଶ କରିଥିବା ବ୍ୟକ୍ତି ବିଶେଷ ଓ ଶଶୁର ଘର ଲୋକଙ୍କ ନାମରେ ଏତଲା ଦାୟର କରିବାରୁ ଘଟଣା ଭିନ୍ନ ମୋଡ଼ ନେଇଥିଲା। 
ପ୍ରାଥମିକ ତଦନ୍ତରୁ ଚାପର ବଶବର୍ତ୍ତୀ ହୋଇ ମହିଳାଜଣକ ଆତ୍ମହତ୍ୟା କରିଥିବା ଜଣାପଡିଥିବା ବେଳେ ଏହା ପଛରେ ଅର୍ଥ କାରବାର ମୂଳ କାରବାର ବୋଲି ସୁରାକ ମିଳିଥିଲା । ସୂଚନାଯୋଗ୍ୟ ଯେ, ମୃତ ମହିଳାଙ୍କ ସ୍ୱାମୀ ଆନନ୍ଦ ପ୍ରସାଦ ମଣ୍ଡଳ ଜଣେ ହାଲ କର୍ମଚାରୀ ଥିବାବେଳେ ଗତ ଫେବ୍ରୁଆରି ମାସରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ଏହା ପରେ ମହିଳାଙ୍କ ଶାଶୁ ଘର ଲୋକେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏହା ସହିତ ହାଲର କେତେକ କର୍ମଚାରୀ ବେଆଇନ ଭାବେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଚିଟ ଫଣ୍ଡ ଖୋଲି ଅର୍ଥ ଆଦାୟ କରୁଥିବା ବେଳେ ଆନନ୍ଦ ମଧ୍ୟ ଏଥିରେ ସାମିଲ ଥିଲେ।
କିନ୍ତୁ ତାଙ୍କ ମୃତ୍ୟୁ ପରେ କାରବାର ସହିତ ଜଡିତ ଅନ୍ୟ ବ୍ୟକ୍ତିମାନେ ଶ୍ରାବଣୀଙ୍କୁ ପଇସା ମାଗିବା ସହ ହଇରାଣ କରୁଥିଲେ। ଏତଲାକୁ ଭିତ୍ତି କରି ସୁନାବେଡା ପୁଲିସ ଏତଲାରେ ନାମ ଥିବା କେତେକ ହାଲ କର୍ମଚାରୀ ଓ ଜଣେ ବ୍ୟବସାୟୀଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲେ। ପଚରାଉଚରା ପରେ ମହିଳାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଓ ବେଆଇନ ଅର୍ଥ କାରବାର କରିବା ଅଭିଯୋଗରେ ଦୁଇ ଜଣ ହାଲ କର୍ମଚାରୀ ପ୍ରଶାନ୍ତ କୁମାର ଲେଙ୍କା ଓ ହରେକୃଷ୍ଣ ନାୟକ ଙ୍କ ସମେତ ହାଲରେ କିରାଣୀ ଦୋକାନ କରିଥିବା ଶିଶିର କୁମାର ଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୁନାବେଡା ଥାନା ଅଧିକାରୀ ଭୀମସେନ ନାୟକ ସୂଚନା ଦେଇଛନ୍ତି। 
The post ଶ୍ରାବଣୀ ଆତ୍ମହତ୍ୟା ମାମଲା: ଦୁଇ ହାଲ କର୍ମଚାରୀଙ୍କ ସମେତ ୩ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3ub5vyH