
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ସୁଦ୍ଧା ଦିନକରେ ଶହେ ପାର ହୋଇନଥିଲେ ମଧ୍ୟ ପ୍ରତିଦିନ ୭୦ରୁ ୮୦ ଜଣ ସଂକ୍ରମିତ ହେଉଛନ୍ତି। ଗତ ୫ ତାରିଖରୁ ରାଜ୍ୟ ସରକାର ଲକ୍ ଡାଉନ ଘୋଷଣା କରିଥିବା ବେଳେ ଆଜି ଧିଲା ଲକ୍ ଡାଉନ ପିରିୟଡର ପ୍ରଥମ ସଟ୍ ଡାଉନ। ତେବେ ଆଜି ମାଲକାନଗିରି ଜିଲ୍ଲାପାଳ ଵାଇ.ବିଜୟ ନିଜେ ମାଲକାନଗିରି ପୌର ପରିଷଦର ସମସ୍ତ ଗଳିକନ୍ଦି ବୁଲି ଲୋକଙ୍କୁ ସଚେତନ କରାଇବା ସହ ଅମାନିଆଙ୍କୁ ସାବାଡ କରୁଥିବା ଦେଖିବାକୁ ମିଳିଥିଲା। ସଟ୍ ଡାଉନରେ କେବଳ ଅତ୍ୟାବଶକୀୟ ଜିନିଷ ଖୋଲା ରହିଥିବା ବେଳେ ମଟର ସାଇକେଲ ଚଳାଚଳକୁ ସଂପୂର୍ଣ୍ଣ ମନା କରାଯାଇଛି। ତେବେ ଲୋକେ ଅମାନିଆ ହୋଇ ଘରୁ ବାହାରକୁ ବାହାରି ବିନାକାରଣରେ ବୁଲୁଥିବା ଦେଖିବା ପରେ ଜୋରିମାନା ପକାଇବା ସହ ଆଗକୁ ଏଭଳି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ସେ ସାମ୍ବାଦିକମାନଙ୍କ ନିକଟରେ ନିଜର ବକ୍ତବ୍ୟ ରଖୁଥିବା ବେଳେ କହିଥିଲେ ଯେ ପୌର ପରିଷଦର ସମସ୍ତ ଛକମାନଙ୍କରେ ମାଜିଷ୍ଟ୍ରେଟମାନଙ୍କୁ ରଖାଯିବ। ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଲୋକଙ୍କୁ ଆହୁରି ସଚେତନ କରାଇବ। କରୋନାର ବିପଦ ମାଲକାନଗିରିରେ ମଧ୍ୟ ଅଧିକା ରହିଥିବାରୁ ଏହାକୁ ବିଜୟ କରିବାକୁ ହେଲେ ସମସ୍ତେ ସହଯୋଗ କରିବା ଦରକାର ବୋଲି କହିଥିଲେ।ସଟ୍ ଡାଉନ ସମୟରେ କେହି ମଧ୍ୟ ଘରୁ ଦରକାର ନହେଲେ ବାହାରନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଵାଇ.ବିଜୟ ଅନୁରୋଧ କରିଥିଲେ।ମୁହଁରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ ବୋଲି କହିଥିଲେ।
ଆଜି ଜିଲ୍ଲାରେ ୭୦ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ପୌର ପରିଷଦରେ ୧୯ ଜଣ,ମାଲକାନଗିରି ବ୍ଲକରେ ୪ ଜଣ,ମାଥିଲି ବ୍ଲକରେ ୪ ଜଣ,ଖଇରପୁଟ ବ୍ଲକରେ ୨୦ ଜଣ,କାଲିମେଳା ବ୍ଲକରେ ୧୫ ଜଣ,କୋରକୋଣ୍ଡା ବ୍ଲକରେ ୪ ଜଣ,ପଡିଆ ବ୍ଲକରେ ୨ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୨ ଜଣ ଚିହ୍ନଟ ହୋଇଛନ୍ତି।ତେବେ ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୬୦୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ୨୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୫୨୮ ଜଣ ଚିକିତ୍ସିତ ହେଉଥିବା କୁହାୟାଇଛି।ଜିଲ୍ଲାରେ ସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି। ତେଣୁ ଲୋକେ ସଚେତନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ବରେ ବିଭିନ୍ନ ଅମାନିଆ ଦୋକାନ ଏବଂ କୋଚିଂ ସେଣ୍ଟର ଉପରେ ଚଢାଉ କରାଯାଇଥିଲା। ଲୁଚାଛପାରେ ଜିନିଷ ବିକ୍ରି କରିବା ଏବଂ ପିଲାଙ୍କୁ ନେଇ ଟ୍ୟୁସନ କରିବା ଦେଖିବାକୁ ମିଳିଥିଲା।ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ଗର୍ଜିଛି। ଆଗାମୀ ଦିନରେ ଯଦି କେହି ଏଭଳି ଅମାନିଆ ହୁଅନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
The post ସଟ୍ ଡାଉନରେ ଅମାନିଆଙ୍କୁ ସାବାଡ କଲେ ଜିଲ୍ଲାପାଳ: ଜିଲ୍ଲାରେ ଆଜି ୭୦ କରୋନା ରୋଗୀ ଚିହ୍ନଟ first appeared on Sambad.from ଜିଲ୍ଲା | Sambad https://ift.tt/3f4fjnV
0 Comments