
କଟକ : କୋଭିଡ୍ ସଂକ୍ରମଣ ସ୍ଥିତିରେ ଜୀବନକୁ ବାଜି ଲଗାଇ ଘରକୁ ଘର ବୁଲି ରନ୍ଧନ ଗ୍ୟାସ ଦେଇ ଆସୁଥିବା ଡେଲିଭରି ବଏ ଏବେ ବି ଅସୁରକ୍ଷିତ। ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ପରିଗଣିତ ରନ୍ଧନ ଗ୍ୟାସ ଯୋଗାଣରେ ବିଭ୍ରାଟ ହେଲେ ପରିବାରରେ ଚୁଲି ଜଳିବା ଅସମ୍ଭବ ହୋଇ ପଡିବ। କିନ୍ତୁ ଏଭଳି ସ୍ଥିତିରେ ରାଜ୍ୟରେ ଏହି ଡେଲିଭରି ବଏ ମାନଙ୍କୁ ଟିକାକରଣରେ କୌଣସି ପ୍ରାଧାନ୍ୟ ଦିଆଯାଇ ନାହିଁ। ପୁରୀ ଓ ହିଞ୍ଜିଳିରେ ୨ ଜଣ ଡେଲିଭରି ବଏ କୋଭିଡରେ ପ୍ରାଣ ହରାଇଥିବା ବେଳେ ଅନେକ ଏବେ ସଂକ୍ରମିତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ୨୦ ହଜାର ଏଲପିଜି ଡେଲିଭରି ବଏ ଅଛନ୍ତି। ସେମାନେ ଦିନକୁ ହାରାହାରି ୫ଟି ଘରେ ଗ୍ୟାସ ଯୋଗାଉଥିବା ବେଳେ ୧ ଲକ୍ଷ ପରିବାରକୁ ପ୍ରତ୍ୟେକ ଦିନ ଭେଟୁଛନ୍ତି। ସେମାନେ ଯଦି ସଂକ୍ରମିତ ହୁଅନ୍ତି ତେବେ ସେହି ପରିବାର ଗୁଡିକ ପ୍ରତି ମଧ୍ୟ ବିପଦ ରହିବ। କରୋନା ସ୍ଥିତିରେ ରନ୍ଧନ ଗ୍ୟାସ ବଣ୍ଟନ ପରିଚାଳନାରେ ଓଡ଼ିଶା ଦେଶର ତୃତୀୟ ସଫଳ ରାଜ୍ୟ ମାନ୍ୟତା ପାଇଛି। ଇତିମଧ୍ୟରେ ତେଲେଙ୍ଗାନା ରାଜ୍ୟ ଡେଲିଭରି ବଏଙ୍କ ଟିକାକରଣ ଅଗ୍ରାଧିକାର ଭିତ୍ତିରେ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପରିଚାଳନାରେ ଦେଶରେ ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି ମୌଳିକ ସମସ୍ୟାକୁ ଉପଲବ୍ଧି କରି ରାଜ୍ୟର ୨୦ ହଜାର ଡେଲିଭରି ବଏଙ୍କୁ ଅନ୍ୟ କରୋନା ଯୋଦ୍ଧାମାନଙ୍କ ଭଳି ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ ଘୋଷଣା କରିବାକୁ ଏଲପିଜି ଡିଷ୍ଟ୍ରିବ୍ୟୁଟର୍ସ ଆସୋସିଏସନର ସଭାପତି ବିଶ୍ବନାଥ ମୁଖାର୍ଜୀ, ସଂପାଦକ ଲୋପାମୁଦ୍ରା ବକ୍ସିପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।
The post ରନ୍ଧନ ଗ୍ୟାସ ଡେଲିଭରି ବଏଙ୍କ ସୁରକ୍ଷାକୁ ନେଇ ଆଶଙ୍କା, ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3esm9EK
0 Comments