
କଟକ: କରୋନା ମହାମାରୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟୁଛି। କରୋନା ସ୍ଥିତିରେ ଅନ୍ୟ ରୋଗୀ ବି ଠିକରେ ଚିକିତ୍ସା ନପାଇ ପ୍ରାଣ ହରାଉଛନ୍ତି। ଏଭଳି ସ୍ଥିତିରେ ଏବେ ରକ୍ତ ସଙ୍କଟ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। କରୋନା ପାଇଁ ଏବେ ରାଜ୍ୟରେ ରକ୍ତଦାନ ଶିବିର ଏକପ୍ରକାର ବନ୍ଦ ହୋଇଯାଇଛି। କୋଭିଡ୍ କଟକଣା, କରୋନା ଡର ଓ ଟିକା ପାଇଁ ରକ୍ତଦାନ କରିବାକୁ ରହିଥିବା ପ୍ରତିବନ୍ଧକ ଯୋଗୁଁ ଏବେ ରକ୍ତର ଘୋର ସଙ୍କଟ ଉପୁଜିଲାଣି। ଏପରିକି ପ୍ରତି ମାସରେ ବିନା ବଦଳରେ ରକ୍ତ ନେଉଥିବା ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ଅଭାବ ଦେଖାଦେଲାଣି। ଆଉ କିଛିଦିନ ପରେ ସେମାନଙ୍କୁ ବଦଳ ରକ୍ତ ଦେବାକୁ ପଡ଼ିପାରେ ବୋଲି କୁହାଯାଉଛି। ଏ ପରିସ୍ଥିତିର ମୁକାବିଲା ନ ହେଲେ ଆଗକୁ ଆହୁରି ସଙ୍କଟ ଉପୁଜିବାର ଆଶଙ୍କା ରହିଛି।
ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କୁହାଯାଉଥିବା କଟକରେ ଏବେ ରକ୍ତ ସଙ୍କଟ ଉତ୍କଟ ରହିଛି। ଦୈନିକ କଟକରେ ହାରାହାରି ୫୦୦ ୟୁନିଟ୍ ରକ୍ତ ଆବଶ୍ୟକ ହେଉଥିବା ବେଳେ ଏବେ କିନ୍ତୁ କଟକର ଦୁଇ ପ୍ରମୁଖ ରକ୍ତଭଣ୍ଡାରରେ ସେତିକି ବି ରକ୍ତ ନାହିଁ। ବିନା ବଦଳରେ ରକ୍ତ ଦେବା ବନ୍ଦ କରି ଦିଆଯାଇଛି।
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବିଏମ୍ସିଏଚ୍) ରକ୍ତଭଣ୍ଡାରରେ ୨୦୦ରୁ କମ ୟୁନିଟ୍ ରକ୍ତ ରହିଛି। ଗତ ୧୫ ଦିନ ହେବ ଏଭଳି ସଙ୍କଟ ଦେଖାଦେଇଛି। କେବଳ ରକ୍ତ ବଦଳରେ ହିଁ ରକ୍ତ ଦିଆଯାଉଛି। ବିରଳ ଗ୍ରୁପ୍ର ରକ୍ତ ମିଳୁ ନ ଥିବାରୁ ରୋଗୀଙ୍କ ଜୀବନ ହାନି ଘଟୁଥିବା ମଧ୍ୟ ଅଭିଯୋଗ ହେଉଛି। ସେହିଭଳି ରାଜ୍ୟର ସର୍ବାଧିକ ଆବଶ୍ୟକତା ପୂରଣ କରୁଥିବା କଟକର କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାରରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଏଠାରେ ସାଧାରଣ ସମୟରେ ୭୦୦ରୁ ୯୦୦ ୟୁନିଟ ରକ୍ତ ମହଜୁଦ ରହୁଥିବା ବେଳେ ଏବେ ୩୦୦ ୟୁନିଟ୍ରୁ କମ ରକ୍ତ ରହିଛି। ଏଠାରେ ମଧ୍ୟ ବିନା ବଦଳରେ ରକ୍ତ ଦିଆଯାଉ ନାହଁ। ନେଗେଟିଭ୍ ଗ୍ରୁପର ରକ୍ତ ମଧ୍ୟ ନାହିଁ। ଏଭଳି ସଙ୍କଟ ଲାଗି ରହିଲେ ବହୁ ଗୁରୁତର ରୋଗୀଙ୍କ ଜୀବନ ହାନି ଘଟିବ ବୋଲି ଆଶଙ୍କା କରାଯାଉଛି। କରୋନା ମହାମାରୀ ଡର ଓ କଟକଣା ଯୋଗୁଁ ସବୁ ରକ୍ତଦାନ ଶିବିର ବାତିଲ ହୋଇଛି। ସେପଟେ ଟିକାକରଣ ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଟିକା ନେଇଥିବା ବ୍ୟକ୍ତି ଟିକା ନେବାର କେତେଦିନ ପରେ ରକ୍ତଦାନ କରିପାରିବେ ସେ ନେଇ ଲୋକଙ୍କୁ ସରକାରଙ୍କ ପକ୍ଷରୁ ସଚେତନ କରାଯାଉ ନ ଥିବାରୁ ଲୋକ ରକ୍ତଦାନ କରିବାକୁ ପଛଘୁଞ୍ଚା ଦେଉଛନ୍ତି। କରୋନା କାଳରେ ରକ୍ତ ଅଭାବକୁ ଦୂର କରିବାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଏ ନେଇ ରକ୍ତଦାତାଙ୍କୁ ସଚେତନ କରିବା ସହିତ କୋଭିଡ୍ କଟକଣା ଭିତରେ କିଭଳି ଶିବିର ହୋଇପାରିବ ସେ ନେଇ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏ ସଂପର୍କରେ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି ଯେ ରକ୍ତ ସଙ୍କଟ ଦୂର କରିବା ପାଇଁ ରକ୍ତଭଣ୍ଡାର ପକ୍ଷରୁ ଉଦ୍ୟମ ଜାରି ରହିଛି। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ଉପରେ ଅଧିକ ଚାପ ରହିଛି। ପ୍ରତିଦିନ ୩୦ରୁ ଅଧିକ ଥାଲେସେମିଆ ରୋଗୀ ବିନା ବଦଳରେ ରକ୍ତ ନିଅନ୍ତି। ପ୍ରତିଦିନ କର୍କଟ ରୋଗୀ ପ୍ଲାଜମା, ଆର୍ବସି ପାଇଁ ଏଠାରୁ ରକ୍ତ ଆବଶ୍ୟକ କରନ୍ତି। ମାତ୍ର କରୋନା ପାଇଁ ଶିବିର କମିଛି। ତେବେ ଛୋଟ ଶିବିର ଆୟୋଜନ କରିବାକୁ ପ୍ରୟାସ ଜାରି ରହିଛି। ଯେଉଁମାନେ ରକ୍ତଦେବାକୁ ଚାହିଁବେ ସେମାନଙ୍କୁ ରକ୍ତଭଣ୍ଡାର ପକ୍ଷରୁ ଗାଡି ଯାଇ ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଆଣିବା ଓ ଛାଡିବା ବ୍ୟବସ୍ଥା କରିବେ। ସ୍ବେଚ୍ଛାସେବୀମାନେ ଚାହିଁଲେ ଛୋଟ ଶିବିର ଆୟୋଜନ କରିପାରିବେ। କିଛି ଛୋଟ ଶିବିର ମଧ୍ୟ କରାଯାଉଛି।
ଲୋକଙ୍କ ମନରେ ଥିବା ଭ୍ରାନ୍ତଧାରଣା ଦୂର ହେବା ଆବଶ୍ୟକ। ଜଣେ ବ୍ୟକ୍ତି ଟିକା ନେବାର ୧୪ ଦିନ ପରେ ରକ୍ତଦାନ କରିପାରିବେ। ଏ ନେଇ ଗାଇଡ୍ଲାଇନ୍ ବି ରହିଛି। ପ୍ରଥମ ଡୋଜ୍ ଟିକା ନେବାର ୧୪ ଦିନ ଓ ଦ୍ବିତୀୟ ଡୋଜ୍ ଟିକା ନେବାର ୧୪ ଦିନ ପରେ ସୁରକ୍ଷିତ ରକ୍ତଦାନ କରିପାରିବେ। ରକ୍ତ ଦ୍ବାରା କରୋନା ବ୍ୟାପେ ନାହିଁ। ଯେଉଁମାନେ ରକ୍ତଦାନ କରିବାକୁ ଚାହିଁବେ ସେମାନଙ୍କ ପାଇଁ ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ତେବେ ଏ ସଙ୍କଟ ସମୟରେ କରୋନା ସହିତ ଅନ୍ୟ ରୋଗୀଙ୍କ କଥା ଚିନ୍ତା କରିବା ଉଚିତ। ସମସ୍ତେ ଏଥିପାଇଁ ଆଗେଇ ଆସିଲେ ରକ୍ତ ସଙ୍କଟ ରହିବ ନାହିଁ ବୋଲି ଡାକ୍ତର ଦାସ କହିଛନ୍ତି।
The post ରକ୍ତ ଭଣ୍ଡାରରେ ରକ୍ତ ଅଭାବ first appeared on Sambad.from ଜିଲ୍ଲା | Sambad https://ift.tt/3hyPuzj
0 Comments