ରାଉରକେଲା: ରାଉରକେଲା ସହରରେ ୧୮ ପ୍ଲସ୍ ବର୍ଗଙ୍କ କୋଭିଡ୍-୧୯ ଟିକାକରଣ ପାଇଁ ଆଉ ୪ଟି କେନ୍ଦ୍ର ଖୋଲିବାକୁ ଯାଉଛି। ୨୦ ତାରିଖରୁ ୨ଟି କେନ୍ଦ୍ର ଖୋଲୁଥିବା ବେଳେ ୨୪ ତାରିଖରୁ ଆଉ ୨ଟି ଟିକାକରଣ କେନ୍ଦ୍ର ଖୋଲିବ। ତେଣୁ ଏହାକୁ ମିଶାଇଲେ ସହରରେ ମୋଟ ୧୨ଟି ଟିକାକରଣ କେନ୍ଦ୍ର ହେବ। ଏହି ନୂତନ ଟିକାକରଣ କେନ୍ଦ୍ର ଲାଗି ମେ’୧୯ ବୁଧବାର ଦିନ ୧୧ଟା ପରେ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଉଦିତ ନଗରସ୍ଥିତ ମ୍ୟୁନିସିପାଲ କଲେଜ ଏବଂ ସେକ୍ଟର-୧୮ ସ୍ଥିତ ସୋସିଆଲ ହୋମରେ ୨୦ ତାରିଖରୁ ଯୁବ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ସେହିପରି କୋଏଲ ନଗର ‘ସି’ ବ୍ଲକସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ଏବଂ ଷ୍ଟିଲ ଟାଉନସିପର ଆମବାଗାନସ୍ଥିତ ଭଞ୍ଜ ଭବନଠାରେ ୨୪ ତାରିଖରୁ ନୂତନ ଟିକାକରଣ କେନ୍ଦ୍ର ଚାଲିବ। ଏହିସବୁ କେନ୍ଦ୍ରରେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ।

କେବଳ ୧୮-୪୪ ବର୍ଷ ବର୍ଗର ପଞ୍ଜୀକରଣ କରି ସ୍ଲଟ୍ ପାଇଥିବା ହିତାଧିକାରୀଙ୍କୁ ସେଠାରେ ଟିକା ଦିଆଯିବ। ଏହି ନୂତନ ୪ଟି କେନ୍ଦ୍ର ଲାଗି ମେ’ ୨୮ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହି ଟିକାକରଣ ସୂଚୀ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ଜାରି କରାଯାଇଥିବା ସୂଚୀ ଅନୁଯାୟୀ ଯେଉଁମାନେ ପଞ୍ଜୀକରଣ କରି ବିଭିନ୍ନ କେନ୍ଦ୍ରରେ ଟିକାକରଣ ଲାଗି ସ୍ଲଟ ପାଇଛନ୍ତି ସେମାନେ ସେହି ଅନୁଯାୟୀ ଟିକା ନେଇ ପାରିବେ।

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ଏବଂ ୪୫ ପ୍ଲସ୍ ବର୍ଗଙ୍କ ପାଇଁ ଟିକାକରଣ ଚାଲିଛି। ଟିକାଦାନ ସମୟରେ ହିତାଧିକାରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି। କୋଭିଡ୍ ସମ୍ପର୍କିତ କୌଣସି ସୂଚନା ଓ ସହାୟତା ପାଇଁ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ଏବଂ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧ / ୦୧୧ – ୪୧୧୮୨୧୩୮ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି।

The post ରାଉରକେଲାରେ ୧୮ ପ୍ଲସ୍ ବର୍ଗଙ୍କ ପାଇଁ ଖୋଲିବ ଆଉ ୪ଟି ଟିକାକରଣ କେନ୍ଦ୍ର, ମେ’ ୧୯ ଦିନ ୧୧ଟା ପରେ ସ୍ଲଟ୍ ବୁକିଂ first appeared on Sambad.

from ଜିଲ୍ଲା | Sambad https://ift.tt/3hItKkF