କେନ୍ଦୁଝର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା‌ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ସେହି ଅନୁସାରେ ଅକ୍ସିଜେନ୍‌ର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି। ଅକ୍ସିଜେନ୍‌ ଅଭାବ ଦୂର କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। କେନ୍ଦୁଝର ସହର ଉପକଣ୍ଠ ରାଙ୍କିରେ ଥିବା କୋଭିଡ ହସ୍ପିଟାଲରେ ରାଜ୍ୟର ପ୍ରଥମ ଅକ୍ସିଜେନେରେଟର ପ୍ରତିଷ୍ଠା କରାଯାଇଛି। ଏହି ଅକ୍ସିଜେନେରେଟର ଦ୍ବାରା ଏଠାରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଜିଲ୍ଲା ଖଣିଜ ପାଣ୍ଠିରୁ ଗତବର୍ଷ ତାଇୱାନରୁ ଏକ ଅତ୍ୟାଧୁନିକ ଅକ୍ସିଜେନେରେଟର କିଣାଯାଇଥିଲା। ଏହା ପିଏସ୍ଏ ଟେକ୍ନୋଲୋଜି (ପ୍ରେସର ସୁଇଙ୍ଗ ଆଡ୍‌ଜରସନ୍‌) ଦ୍ବାରା ନିର୍ମିତ। ଏଥିରୁ ପ୍ରତିଦିନ ୮.୫ ଲକ୍ଷ ଲିଟର ମେଡିକାଲ ଅକ୍ସିଜେନ୍‌ ଯୋଗାଇ ଦିଆଯିବ। ପ୍ରତିଘଣ୍ଟାରେ ଏହି ଅକ୍ସିଜେନେରେଟରରୁ ମୋଟ ୫ଟି ଜୁମ୍ବୋ ସିଲିଣ୍ଡର ଭର୍ତ୍ତି କରାଯାଇପାରିବ। ଅନ୍ୟପକ୍ଷରେ କେନ୍ଦୁଝର କୋଭିଡ ହସ୍ପିଟାଲରେ ଗତବର୍ଷ କରୋନା ବେଳେ ମୋଟ ୧୪ଟି ଆଇସିୟୁ ଏବଂ ୧୨ଟି ଭେଣ୍ଟିଲେଟର ଥିଲା। ଚଳିତ ବର୍ଷ ଏହାକୁ ବଢ଼ାଯାଇ ୪୫ଟି ଆଇସିୟୁ ଏବଂ ୧୪ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ସେହିପରି ମୋଟ ୧୩୦ଟି ଅକ୍ସିଜେନ୍‌ ବ୍ୟବସ୍ଥା ଥିବା ଶଯ୍ୟା ଉପଲବ୍ଧ କରଯାଇଛି। ଆଇସିୟୁ, ଭେଣ୍ଟିଲେଟର ପାଇଁ ଦୈନିକ ସର୍ବାଧିକ ୨୯୦ ଜୁମ୍ବୋ ସଲିଣ୍ଡର ଅକ୍ସିଜେନ୍‌ ଆବଶ୍ୟକ ହୋଇଥାଏ। ଏହି ଅକ୍ସିଜେନେରେଟର ଏହାକୁ ଯୋଗାଇବାରେ ସମର୍ଥ ବୋଲି ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

The post ରାଜ୍ୟର ପ୍ରଥମ: ରାଙ୍କି କୋଭିଡ୍‌ ହସ୍ପିଟାଲରେ ଲାଗିଲା ଅକ୍ସିଜେନେରେଟର first appeared on Sambad.

from ଜିଲ୍ଲା | Sambad https://ift.tt/33FSIbS