
ସମ୍ବଲପୁର : କୁଳପତିଙ୍କ ଦ୍ବାରା ଅପମାନିତ ହୋଇ ଆତ୍ମଦାହ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆଗେଇ ଆସିଛନ୍ତି ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର କର୍ମଚାରୀ ନେତା। ରାଜ୍ୟପାଳ ତଥା କୁଳାଧିପତିଙ୍କୁ ପତ୍ର ଲେଖି କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ଛୁଟିରେ ପଠାଇବା ଏବଂ ଘଟଣାର ବିଚାର ବିଭାଗୀୟ ତଦନ୍ତ ଅନୁରୋଧ କରିଛନ୍ତି।
ନିକଟରେ ନିଖିଳ ଭାରତ ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ ପକ୍ଷରୁ ଯୁଗ୍ମ ସଂପାଦକ ଅଂଜନ କୁମାର ଘୋଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଥିଲେ। ଏହି ମାମଲାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।ଏବେ ପୁଣି ମହାସଂଘର ସହିତ ସଂପୃକ୍ତ ଉତ୍ତରପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ପଶ୍ଚିମବଂଗ, ଗୋଆ, ମହାରାଷ୍ଟ୍ର, ଛତିଶଗଡ଼, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ନେତାମାନେ କୁଳାଧିପତିଙ୍କୁ ଏହି ପ୍ରସଂଗରେ ପତ୍ର ଲେଖିଛନ୍ତି।
ଏହିପତ୍ରରେ ଉଲ୍ଲେଖ କରାଯାଇଛି ଯେ କୁଳପତି ପ୍ରଫେସର ମିତ୍ତଲ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରୁଛନ୍ତି। ସାକ୍ଷୀମାନଙ୍କୁ ତାଙ୍କ ସପକ୍ଷରେ ମତ ଦେବା ପାଇଁ ଚାପ ପକାଉଛନ୍ତି। ଏଭଳି ସ୍ଥିତିରେ ନିରପେକ୍ଷ ତଦନ୍ତ ହୋଇପାରିବା ସମ୍ଭବ ନୁହେଁ ବୋଲି ଏହି କର୍ମଚାରୀମାନେ ନେତା କହିଛନ୍ତି। ସେହିପରି ଏହି ମାମଲାର ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଦିଆଯାଇଥିବା ଆଦେଶକୁ ଏହି କର୍ମଚାରୀମାନେ ସ୍ବାଗତ କରିଛନ୍ତି। ତେବେ, ମୁଖ୍ୟ ଶାସନ ସଚିବ କିମ୍ବା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସ୍ତରର ଜଣେ ଅଧିକାରୀ କିମ୍ବା ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍ ଅଧ୍ୟକ୍ଷତାରେ ଏହି ତଦନ୍ତ କମିଟି ଗଠନ କରିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ଉକ୍ତ ତଦନ୍ତ କମିଟି ଅନ୍ୟୂନ ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତ ୨୦ ଏପ୍ରିଲ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଦୀନବନ୍ଧୁ ମିଶ୍ର ଆତ୍ମଦାହ କରିଥିଲେ।
The post ଦୀନବନ୍ଧୁ ଆତ୍ମଦାହ ମାମଲାରେ ଆଉ ଏକ ମୋଡ଼: କୁଳାଧିପତିଙ୍କୁ ଚିଠି ଲେଖିଲେ ବିଭିନ୍ନ ରାଜ୍ୟର କର୍ମଚାରୀ ନେତା first appeared on Sambad.from ଜିଲ୍ଲା | Sambad https://ift.tt/3bijQCb
0 Comments