
ବାଲେଶ୍ବର : କୋଭିଡର ଦ୍ବିତୀୟ ଲହରରେ ପ୍ରତିଦିନ ମୁଣ୍ଡ ଗଡ଼ୁଥିବା ବେଳେ ଗତ ରବିବାର ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବିରୁଆଁ ପଞ୍ଚାୟର ରଘୁବୀରପାଟଣା ଗ୍ରାମର ୧୦୭ ବର୍ଷୀୟ ବୃଦ୍ଧ ଦୟାନିଧି ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ସୁସ୍ଥ ହେବା ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ତେବେ ଆଜି ସକାଳେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇ ଯାଇଥିବା ଜଣାଯାଇଛି।
ଚଳିତମାସ ୫ ତାରିଖରେ ଦୟାନିଧି ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ଜିଲ୍ଲା ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର କୋଭିଡ୍ ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା। କୋଭିଡ୍ ହସ୍ପିଟାଲରେ ପ୍ରଥମରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାବେଳେ ଚିକିତ୍ସା ପରେ ଧୀରେ ଧୀରେ ଅବସ୍ଥାରେ ଉନ୍ନତି ଆସିଥିଲା। ଶନିବାର ବେଳକୁ ସେ ସୁସ୍ଥ ହୋଇଯାଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ସେହି ଅନୁସାରେ ରବିବାର ଡିସ୍ଚାର୍ଜ ହୋଇ ସେ ଘରକୁ ଯାଇଥିଲେ। ହେଲେ ଆଜି ସକାଳେ ଦୟାନିଧିଙ୍କ ହୃଦଘାତରେ ପରଲୋକ ହୋଇଯାଇଥିଲା। ଡରରେ ପାଖ ପଡ଼ୋଶୀ କେହି ଶବ ସତ୍କାର ପାଇଁ ଆସିନଥିଲେ। ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ବାଲେଶ୍ବର ଶାଖାର ମହେଶ ମଲ୍ଲିକ, ପ୍ରଦ୍ୟୁମ୍ନ ଜେନା, ସ୍ମୃତିରଞ୍ଜନ ବାରିକ, ସଞ୍ଜୟ ଜେନା, ମଳୟ ଜେନା ପ୍ରମୁଖ ସେଠାରେ ପହଞ୍ଚି ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବେଚ୍ଛାସେବୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା।
The post କରୋନାକୁ ହରାଇ ହୃଦ୍ଘାତରେ ଆଖି ବୁଜିଲେ ୧୦୭ ବର୍ଷର ବୃଦ୍ଧ first appeared on Sambad.from ଜିଲ୍ଲା | Sambad https://ift.tt/3w58YPM
0 Comments