ସୁନ୍ଦରଗଡ଼ : ସଂକ୍ରମଣ ଭୟରେ କରୋନା ମୃତକଙ୍କ ଶବକୁ କାନ୍ଧ ଦେଲେନି ଗାଁ ଲୋକେ। ଏପରିକି ପାଖକୁ ବି ଆସିଲେନି। ବହୁ ସମୟ ଧରି ଗାଁରେ ପଡ଼ିରହିଥିଲା ଶବ। ଶେଷକୁ ସତ୍କାର ପାଇଁ ରାତିଅଧରେ ସୁନ୍ଦରଗଡ଼ରୁ ୫୦ କିଲୋମିଟର ଯାଇଥିଲେ ଶବଦାହ କରୁଥିବା ବନ୍ଧୁଗୋଷ୍ଠୀ ଶ୍ମଶାନବନ୍ଧୁ। କରୋନା କାଳରେ ଗାଁର ଆପଣାର ଲୋକେ ପର କରି ଦେଇଥିବା ବେଳେ ଦୂର ସହରର ଅଚିହ୍ନା ଶ୍ମଶାନବନ୍ଧୁମା‌ନେ ଯାଇ ଶବ ସତ୍କାର କରିବାର ମହାନୀୟତା ଦେଖାଇଥିଲେ। ଏହି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍‌ ଦେଓଗାଁରେ। ସବୁଠାରୁ ବଡ଼ କଥା ହେଲା, ହିନ୍ଦୁ ଧର୍ମର ଏହି ଶ୍ମଶାନବନ୍ଧୁମାନେ ‌ସେଠାକୁ ଯାଇ ମୃତକ ଖ୍ରୀଷ୍ଟିଆନ ଧର୍ମର ବୋଲି ଜାଣିବା ପରେ ରାତି ଅଧିରେ କଫିନ୍‌(କାଠ ବାକ୍ସ) ତିଆରି କରି ତାଙ୍କ ଧର୍ମୀୟ ରୀତିନୀତିରେ ଶବକୁ ପୋତି ଫେରିଥିଲେ।

ସୂଚନା ଅନୁସାରେ, ଅନୁଗୁଳ-ରେଙ୍ଗାଲି ଓଡ଼ିଶା ହାଇଡ୍ରୋ ପ୍ରୋଜେକ୍ଟର ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସବଡେଗା ବ୍ଲକ ଦେଓଗାଁର ଯୋଶ କୁଜୁର ଦୁଇଦିନ ତଳେ ପରୀକ୍ଷା ପରେ କରୋନା ସଂକ୍ରମିତ ଜଣାପଡ଼ିଥିଲେ। ତାଙ୍କର ବିଶେଷ କୌଣସି ଲକ୍ଷଣ ନଥିବାରୁ ରେଙ୍ଗାଲିସ୍ଥିତ ବାସଭବନରେ ସେ ସଂଗରୋଧରେ ଥିଲେ। କିନ୍ତୁ ମଙ୍ଗଳବାର ଅପରାହ୍ନରେ ତାଙ୍କ ସ୍ବାସ୍ଥ୍ୟ ହଠାତ ବିଗିଡ଼ି ଯାଇଥିଲା। ଅକ୍ସିଜେନ୍‌ ସ୍ତର କମିଯିବାରୁ ତାଙ୍କୁ ଅନୁଗୁଳ କୋଭିଡ୍‌କେନ୍ଦ୍ରକୁ ନିଆଯାଉଥିଲା। କିନ୍ତୁ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହାପରେ ପରିବାର ଲୋକେ ମୃତଦେହକୁ ଦେଓଗାଁକୁ ନେଇ ଆସିଥିଲେ। ଆଶା ଥିଲା, ଜ୍ଞାତିକୁଟୁମ୍ବ ଓ ଗାଁ ଲୋକଙ୍କ ଉପସ୍ଥିତିରେ ଜନ୍ମମାଟି‌ରେ ତାଙ୍କ ଶେଷକୃତ୍ୟ କରାଯିବ। କିନ୍ତୁ ଗାଁକୁ ପହଞ୍ଚିବା ପରେ ପରିବାର ଲୋକଙ୍କ ଆଶା ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଥିଲା। କରୋନା ସଂକ୍ରମଣ ଭୟରେ କେହି ପାଖ ମାଡ଼ି ନଥିଲେ। ମୃତ୍ୟୁର ଦୁଃଖ ମଧ୍ୟରେ ଗାଁ ଲୋକଙ୍କ କରଛଡ଼ା ପରିବାରକୁ ମ୍ରିୟମାଣ କରି ଦେଇଥିଲା। ଶବ ସତ୍କାର ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ସନ୍ଧ୍ୟାରେ ଗାଁକୁ ପହଞ୍ଚିଥିବା ଶବ ରାତି ୧୨ଟା ପରେ ବି ସେମିତି ପଡ଼ି ରହିଥିଲା। ଶେଷକୁ କେହି ଜଣେ ସୁନ୍ଦରଗଡ଼ର ଶ୍ମଶାନବନ୍ଧୁଙ୍କ କଥା ମନେ ପକାଇ ଦେଇଥିଲେ। ଏହାପରେ ପରିବାର ଲୋକେ ଶ୍ମଶାନବନ୍ଧୁଙ୍କୁ ଫୋନ୍‌କରି ଶବ ସତ୍କାରର ସହଯୋଗ କରିବାକୁ ଅନୁନୟ ହୋଇଥିଲେ। ରାତି ୧୧ଟାରେ ସୁନ୍ଦରଗଡ଼ ମଶାଣିରେ ଅନ୍ୟ ଶବ ସତ୍କାର କରି ଘରକୁ ଫେରିଥିବା ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ତା, ଶିଶିର ବେହେରା, କମଲେଶ ନଥାନୀ, ବିଜୟ ‌ହୋତା ଓ ଦେବେନ ସାହୁ ତୁରନ୍ତ ଦେଓଗାଁ ଅଭିମୁଖେ ବାହାରି ପଡ଼ିଥିଲେ। ରାତି ୧ଟାରେ ସେଠାରେ ପହଞ୍ଚି ପିପିଇ କିଟ୍‌ପିନ୍ଧି କଫିନ ତିଆରି କରିବା ସହ ତାକୁ କାନ୍ଧେଇ ଦେଢ଼ କିଲୋମିଟର ଦୂର ମଶାଣିକୁ ନେଇ ଯଥାରୀତି ସତ୍କାର କରିଥିଲେ।

The post ଅଧରାତିରେ ୫୦ କିମି ଯାଇ ସତ୍କାର କଲେ ଶ୍ମଶାନବନ୍ଧୁ first appeared on Sambad.

from ଜିଲ୍ଲା | Sambad https://ift.tt/3tIWLi8