ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ବୁଢ଼ାଖମଣ ପଞ୍ଚାୟତ ନଳପଙ୍ଗା ଗ୍ରାମର ୨୧ଜଣ ମହିଳା ପରିବା ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି। ଏହି ମହିଳା ଚାଷୀମାନେ ପ୍ରଗତି ଉତ୍ପାଦନ ଗୋଷ୍ଠୀ ନାମରେ ଏକ ସଂଗଠନ କରିଛନ୍ତି। ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସ୍ରିଷ୍ଟି’ରୁ ବୈଷୟିକ ତାଲିମ ପାଇ ଗ୍ରାମ‌ରେ ୧୧ ଏକର ଜମିରେ ବାଇଗଣ, କଲରା, ଟମାଟୋ ଚାଷ କରିଛନ୍ତି। ଏହି ଗୋଷ୍ଠୀ ଏପର୍ଯ୍ୟନ୍ତ ୧୫ ଲକ୍ଷ ୩୯ ହଜାର ଟଙ୍କାର ପରିବା ବିକ୍ରି କରିସାରିଲାଣି। ଆଗକୁ ଚାଷରୁ ଆହୁରି ୨ ଲକ୍ଷ ଟଙ୍କା ଆୟ ହେବ ବୋଲି ମହିଳା ଚାଷୀମାନେ ଆଶା ରଖିଛନ୍ତି।

ଗାଁ ମୁଣ୍ଡରେ ଥିବା ଏକ ପୋଖରୀ ଓ ଆଡ଼ିବନ୍ଧରୁ ମୋଟର ସାହାଯ୍ୟରେ ପାଣି ଉଠାଇ ମହିଳାମାନେ ଚାଷ କରିଛନ୍ତି। ପରିବା ବିକ୍ରି କରିବାକୁ ସେମାନଙ୍କୁ ବଜାର ଯିବାକୁ ପଡ଼ୁନାହିଁ। ଆନନ୍ଦପୁର ଅଞ୍ଚଳର ବେପାରୀମାନେ ଗ୍ରାମକୁ ଆସି ପରିବା କିଣି ନେଉଛନ୍ତି। ଇତିମଧ୍ୟରେ ପ୍ରତ୍ୟେକ ମହିଳା ୬୦ରୁ ୬୫ ହଜାର ଟଙ୍କା ଲେଖାଏଁ ଆୟ କରିଛନ୍ତି। ଆଗକୁ ପରିବା ଚାଷ ଜାରି ରଖିବେ ବୋଲି ମମତା ମହାନ୍ତ, ଅଞ୍ଜଳି ସାହୁ, ଅବନ୍ତି ସାହୁ, ରଶ୍ମିରେଖା ମହାନ୍ତ, କାମିନୀ ସାହୁ ପ୍ରମୁଖ କହିଛନ୍ତି।

The post ମହିଳାଙ୍କୁ ରୋଜଗାର ଦେଇଛି ପରିବା ଚାଷ first appeared on Sambad.

from ଜିଲ୍ଲା | Sambad https://ift.tt/33Y3gnb