ଜୟପୁର: ପାମ୍ପୁଣୀ ରାଣୀପୁଟସ୍ଥ ଗୋପାଳ କୃଷ୍ଣ କଲେଜ  ଅଫ୍ ଇଂଜିନିୟରିଂ ଏଣ୍ଡ ଟେକ୍ନଲୋଜି(ଜିକେସିଇଟି)ର ଅଧ୍ୟକ୍ଷ ଗୌରୀଶଙ୍କର ସାହୁଙ୍କର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର କୋଭିଡ୍ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା। ଗତ କାଲି ସଂଧ୍ୟାରେ ତାଙ୍କର ମୃତ୍ୟୁ ହେବା ପରେ ବ୍ରହ୍ମପୁର ଠାରେ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ତାଙ୍କ ବଡ଼ ପୁଅ ମୁଖାଗ୍ନି ଦେଇଥିବା ସୂଚନା ମିଳିଛି।

ସେ ଗତ କିଛି ଦିନ ତଳେ ବିଶାଖାପାଟଣା କାମରେ ଯାଇ ସଂକ୍ରମିତ ହୋଇଯାଇଥିଲେ। ପରେ କଲେଜର କିଛି କର୍ମଚାରୀଙ୍କ ସହ ତାଙ୍କ ପତ୍ନୀ ଓ ସାନପୁଅ ସଂକ୍ରମିତ ହୋଇଥିଲେ। ବଡ ପୁଅ ଓ ବୋଉ ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିଶେଷଞ ଡାକ୍ତର ଛାତ୍ର ଥିବାରୁ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଏପରିକି ସେମାନେ ଦୁହେଁ ବି ସଂକ୍ରମିତ ହୋଇଯାଇଥିଲେ। ପରିବାରର ସମସ୍ତ ସଦସ୍ୟ ଚିକିତ୍ସାଧୀନ ରହିବା ପରେ ସଂପ୍ରତି ସଂକ୍ରମଣ ମୁକ୍ତ ହୋଇଥିଲେ।

ତେବେ ଗତ କାଲି ସଂଧ୍ୟାରେ ଗୌରୀଶଙ୍କରଙ୍କ ମୃତ୍ୟୁ ହୋଇଯାଇଥିଲା। ସେ ଜଣେ ଧର୍ମପରାୟଣ, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ, ଛାତ୍ରବତ୍ସଳ, ହସହସ ମୁହଁ ବ୍ୟକ୍ତି ଭାବେ ସହରରେ ସବୁ ବର୍ଗରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।

ପରିଚାଳନା କମିଟିର ସଭାପତି ଗୁପ୍ତପ୍ରସାଦ ଦାଶ, କାଳୀ ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ପଦ୍ମନାଭ ନାହାକଙ୍କ ସମେତ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ଆଦି ଶୋକ ପ୍ରକାଶ କରିଛନ୍ତି। ଜଣେ ସଂକ୍ରମିତ ହେବା ଦ୍ବାରା ପ୍ରାୟ ୮ଜଣ ସଂକ୍ରମିତ ହୋଇଯାଇଛନ୍ତି। ତେଣୁ ଲୋକେ ସଚେତନ ରହିବା ସହ ଅମାନିଆ ହୋଇ ନ ବୁଲିବା, ସାନିଟାଇଜର ସବୁ ବେଳେ ବ୍ୟବହାର କରିବା, ବାରମ୍ବାର ହାତ ଧୋଇବା, ସରକାରୀ ଗାଇଡ୍ ଲାଇନ୍, ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ଏହି କଲେଜର ଜଣେ ସଂକ୍ରମିତ ଅନୁରୋଧ କରିଛନ୍ତି।

The post ଜିକେସିଇଟ କଲେଜ ଅଧ୍ୟକ୍ଷଙ୍କର କରୋନାରେ ମୃତ୍ୟୁ! first appeared on Sambad.

from ଜିଲ୍ଲା | Sambad https://ift.tt/3eb349X