ଖଇରା: ଔପଦା ଥାନା ଅନ୍ତର୍ଗତ କଳମଚୂଆ ଗ୍ରାମର କସ୍ତୁରୀ ପାତ୍ରଙ୍କ ୨୭ବର୍ଷୀୟା ଝିଅ ପ୍ରଭାତୀ ପାତ୍ରଙ୍କୁ ତାଙ୍କ ଶଶୁର ଘର ଲୋକେ ମାରିଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ଔପଦା ଥାନା ଅନ୍ତର୍ଗତ କେତିକିଝୁରି ଗ୍ରାମର ସୁରେନ୍ଦ୍ର ପାତ୍ରଙ୍କ ପୁଅ ପ୍ରଶାନ୍ତ ପାତ୍ର କଳମଚୂଆ ଗ୍ରାମର କସ୍ତୁରୀ ପାତ୍ରଙ୍କ ଝିଅ ପ୍ରଭାତୀ ପାତ୍ରଙ୍କୁ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ହେଲେ ଆଜି ସକାଳେ ପ୍ରଭାତୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିବା ନେଇ ଶଶୁର ଘର ଲୋକେ ତାଙ୍କ ବାପଘର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଖଇରା ମେଡ଼ିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହେଲେ ପ୍ରଭାତୀଙ୍କ ସ୍ବାମୀ ବର୍ତ୍ତମାନ ବିଦେଶରେ ରହିଥିବାବେଳେ ଶଶୁର ଘର ଲୋକେ ମିଶି ଝିଅକୁ ମାରିଦେଇଥିବା ନେଇ ବାପଘର ଲୋକେ ଅଭିଯୋଗ କରିଛନ୍ତି।

ବାହାଘର ପରେ ଶଶୁର ଘର ଲୋକେ ଯୌତୁକ ଦାବି କରିବା ସହିତ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ। ଗତ ୩ଦିନ ତଳେ ଶଶୁର ଘର ଲୋକେ ପ୍ରଭାତୀଙ୍କୁ ବାପଘରୁ ପଚାଶ ହଜାର ଟଙ୍କା ଆଣିବାକୁ କହିଥିଲେ। ହେଲେ ପ୍ରଭାତୀଙ୍କ ବାପା ଟଙ୍କା ଦେଇ ନପାରିବାରୁ ଝିଅକୁ ଶଶୁର ଘର ଲୋକେ ମାରିଦେଇଥିବା ନେଇ ପ୍ରଭାତୀଙ୍କ ମା ଔପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

The post ବଧୂହତ୍ୟା ଅଭିଯୋଗ: ଦେଢ଼ ବର୍ଷ ତଳେ ବିବାହ କରିଥିଲେ ଯୁବତୀ  first appeared on Sambad.

from ଜିଲ୍ଲା | Sambad https://ift.tt/3vy1Rze