ତେଲକୋଇ/ଜଗମୋହନପୁର: ଏକ ବଣୁଆ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମର ଗୈରଚନ୍ଦ୍ର ନାୟକ(୫୨)। ସେ ଆଜି ସକାଳ ପ୍ରାୟ ୬ଟା ବେଳେ ଶୌଚ ପରେ ଗାଁ ମୁଣ୍ଡ ଘାଗି ସାହି ଆମ୍ବ ବଗିଚାକୁ ଯାଇଥିଲେ। ତେବେ ସେଠାରେ ଏକ ଦନ୍ତାହାତୀ ସହ ମୁହାଁମୁହିଁ ହୋଇଯିବାରୁ ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଛି। କିଛି ସମୟ ଧରି ଶବଟିକୁ ଗୋଡେଇ ତୁଡେଇ ବିଭତ୍ସ କରିବା ପରେ ଛାଡି ଦେଇ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି।

ଖବର ପାଇ ପରିବାର ଲୋକେ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତେଲକୋଇ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଆଣିଛନ୍ତି। ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କାର ପ୍ରାଥମିକ ସହାୟତା ଯୋଗାଇ ଦିଆଯିବା ସହିତ ପରେ ଅନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

The post ତେଲକୋଇ: ବଣୁଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3tUb83e