ତିନି ରଥର ତୁମ୍ବ ବିନ୍ଧ ଅନୁକୂଳ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଶନିବାର ୮ ଦିନ ପୂରିଛି। ଇତି ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ବେଶ ଆଗେଇଛି। ଗତକାଲି ସୂତାବାଡ଼ିଆ ଶେଷ ପରେ ଶନିବାର ତିନି ରଥର ତୁମ୍ବରେ ବିନ୍ଧ କାମ ଆରମ୍ଭ ହୋଇଛି। ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ଶୁଭଫଳ ନଡ଼ିଆ ବାଡ଼େଇ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଶନିବାର କାମ ଶେଷ ସୁଦ୍ଧା ତିନି ରଥର ୪୨ଟି ଯାକ ତୁମ୍ବ କାମ ‌ଶେଷ ହୋଇଛି।

ଶୁକ୍ରବାରଠାରୁ ତିନି ରଥର ୪୨ ତୁମ୍ବରୁ ୪୦ଟି ତୁମ୍ବର ନିର୍ମାଣ ସରିଥଲା। କେବଳ ତାଳଧ୍ବଜ ରଥର ଦୁଇଟି ତୁମ୍ବ ବାକି ରହିଥିଲା। ଶୁକ୍ରବାରର ରାତିରେ ଖପୁରିଆ ସ’ମିଲରୁ ବାକି ଥିବା ଦୁଇଟି ତୁମ୍ବ ପାଇଁ ଫାସି କାଠ ଆସି ପହଞ୍ଚିବା ପରେ ଶନିବାର କରତି ସେବକ ଏହାକୁ କାଟି ତାଳଧ୍ବଜ ରଥର ମହାରଣା ସେବକଙ୍କୁ ଯୋଗାଇ ଦେଇଥିଲେ। ଦୁଇଟି ଯାକ ତୁମ୍ବର ପ୍ରାରମ୍ଭିକ ଗୋଲେଇ କାମ ଶେଷ ପରେ ବିନ୍ଧ ଅନୁକୂଳ କରାଯାଇଛି। ପ୍ରତ୍ୟେକ ତୁମ୍ବରେ ୧୬ ଯୋଡ଼ା ଲେଖାଁଏ ୩୨ ଗୋଟି ବିନ୍ଧ ହେବ।

ତାଳଧ୍ବଜ ରଥର ନିର୍ମାଣ ସରିଥିବା ତୁମ୍ବଗୁଡିକର ଠେକ ତୁଲୁଆ ସହ ଘେର କଟା କାମ ଚାଲିଥିବାବେଳେ ଶନିବାର ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ଦେବଦଳନ ରଥର ମୋଟ ୧୨ଟି ତୁମ୍ବର ସୂତା ବାଡ଼ିଆ ସରିବା ପରେ ଶନିବାର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି। ବିନ୍ଧ ପରେ ଘେର କଟା କାର୍ଯ୍ୟ ହେବ। ନନ୍ଦିଘୋଷ ରଥର ୧୬ଟି ତୁମ୍ବର ସୂତାବାଡ଼ିଆ କାମ ଶେଷ ହୋଇଥିବାବେଳେ ଆଜି ଘେର କଟା ସହ ଠେକ ତୁଲିଆ କାମ ଚାଲିଛି। ୫ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି। ବିନ୍ଧ କାମ ଶେଷ ପରେ ପର୍ଯ୍ୟାୟକ୍ରମେ ଅର ଓ ପଈ ସଂଯୋଗ ସହ ଯନ୍ତା ବାଡ଼ିଆ କାମ ଆରମ୍ଭ ହେବ। ଏଥିପାଇଁ ଖପୁରିଆ ସ’ମିଲରୁ ଗତକାଲି ୬ଟି ଯନ୍ତା ପଟା, ଯନ୍ତା ଘର ପାଇଁ ଫାଳି କାଠ ବା ଥାଳି, ଆସନ କାଠ ୬ଟି ଆସି ପହଞ୍ଚିଛି।

The post ତିନି ରଥର ତୁମ୍ବ ବିନ୍ଧ ଅନୁକୂଳ first appeared on Sambad.

from ଜିଲ୍ଲା | Sambad https://ift.tt/3ucdmLJ

Post a Comment

0 Comments