ଭୁବନ: କରୋନାରେ ଚାଲିଗଲା ଆଉ ଏକ ଜୀବନ। ମୃତଦେହ ଉଠାଇବାକୁ ଗ୍ରାମବାସୀଙ୍କ ସହ ମିଶିଲେ ତହସିଲଦାର, ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ବିଜେପି ନେତା। ପରିବାରର ସମସ୍ତ ସଦସ୍ୟ କରୋନାରେ ଆକ୍ରାନ୍ତ କାରଣରୁ ପାଖକୁ ଆସିନଥିଲେ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେଣନ୍ଦାପାଟଣାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ସେହି ଗାଁର ନିରଞ୍ଜନ ବେହେରା(୩୬)।

ନିରଞ୍ଜନ ବେହେରା ଭୁବନେଶ୍ୱରସ୍ଥିତ ଏକ ଘରୋଇ ନ୍ୟୁଜ୍ ଚାନେଲରେ ସିକ୍ୟୁରିଟି ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ସେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ୨ ଦିନ ତଳେ ଘରକୁ ଏକ କାର ଯୋଗେ ଆସିଥିଲେ। ସୋମବାର ଭୋର ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କର କୋଭିଡ ପଜିଟିଭ୍ ଥିବା ଜଣା ପଡିଥିଲା। ଦୀର୍ଘ ସମୟ ଧରି ତାଙ୍କର ଶବ ଘରେ ପଡି ରହିଥିଲା।

ଶବଦାହ ପାଇଁ ଗ୍ରାମବାସୀ ସହଯୋଗର ହାତ ବଢାଇଥିଲେ। ସମସ୍ତେ ନିଜ ଘର ଓ ବାଡ଼ିରୁ କାଠ ଯୋଗାଡ କରିଥିଲେ। ଗ୍ରାମର ସୁଜିତ୍ ରାଉତ୍, ଶିବ ବେହେରାଙ୍କ ସହ ବାରୁଆଁ ଆର୍ ଆଇ ସୁନିଲ ନାୟକ, ଭୁବନ ତହସିଲଦାର ପ୍ରଭାତ ବେହୁରା ବିଜେପି ରାଜ୍ୟ କାର୍ଯ୍ୟକାରିଣି ସଭ୍ୟ ଶତ୍ରୁଘ୍ନ ଜେନା, ଯୁବ ସମାଜସେବୀ ମନୋରଞ୍ଜନ ଦାସ (ଅନଳ), ପ୍ରତାପ ସ୍ୱାଇଁ(ମୁରୁଗାଁ) ପିପିଈ କିଟ ପିନ୍ଧି ଶବକୁ ସଂସ୍କାର ଭାରତୀ ପାହାଡ଼ ତଳେ ଅନ୍ତିମ ସଂସ୍କାର କରିଥିଲେ। ତାଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

The post କରୋନା ଲାଗି ଆସିଲେନି ପରିବାର ଲୋକେ, ମୃତଦେହ ଉଠାଇଲେ ତହସିଲଦାର-ରାଜସ୍ୱ ନିରୀକ୍ଷକ first appeared on Sambad.

from ଜିଲ୍ଲା | Sambad https://ift.tt/3tzIhRQ