ରାଉରକେଲା: କରୋନା ସଙ୍କଟରେ ଫାଇଦା ଉଠାଉଛନ୍ତି ଜିଲ୍ଲା ଉପାନ୍ତ ଅଞ୍ଚଳରେ ବେଆଇନ କ୍ଲିନିକ୍ ଖୋଲି ରୋଗୀ ସେବା କରୁଥିବା କିଛି କ୍ବାକ୍। ସୁନ୍ଦରଗଡ ଜିଲ୍ଲାର ନୂଆଗାଁ, ଲାଠିକଟା, କୁତ୍ରା, ବୀରମିତ୍ରପୁର, ଲହୁଣୀପଡା, ଗୁରୁଣ୍ଡିଆ ସମେତ ଅନ୍ୟ କେତେକ ବ୍ଲକରେ ବଢ଼ିଯାଇଛି ଏମାନଙ୍କ ଗୁରୁତ୍ବ। ନା ଏମାନଙ୍କ ପାଖରେ ଅଛି ଡାକ୍ତର ସାର୍ଟିଫିକେଟ୍। ନା ଅଛି କ୍ଲିନିକ୍ ଖୋଲିବାର କୌଣସି ଲାଇସେନ୍ସ। ସବୁ କିଛି ଚାଲିଛି ବେନାମି ସାର୍ଟିଫିକେଟ୍ ଓ ଲାଇସେନ୍ସରେ। ମହାମାରୀ କରୋନା ସମୟରେ ରୋଗୀମାନଙ୍କୁ ମିଛ ସତ କହି ଶୋଷଣ କରୁଛନ୍ତି। ରୋଗୀଙ୍କ ସହ ଜୀବନ ଖେଳ ଖେଳୁଛନ୍ତି। ଏଭଳି ବେଆଇନ କ୍ଲିନିକ୍ ଓ କ୍ବାକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ।

ଆଜି ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାର ଓ ତାଙ୍କ ନେତୃତ୍ବରେ ଗଠିତ ଟିମ୍ ନୂଆଗାଁ ପଞ୍ଚାୟତ ନିକଟ ମା’ କ୍ଲିନିକ୍ ଓ ସାନ କ୍ଲିନିକ୍କୁ ସିଲ୍ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ଦୁଇଟି କ୍ଲିନିକ୍ ବେଆଇନ ଭାବେ ଚାଲି ଆସୁଥିଲା। କରୋନା ସଂକ୍ରମଣକୁ ବେଖାତିର କରି ଏସବୁ କ୍ଲିନିକ୍ ରୋଗୀମାନଙ୍କୁ ବିଭିନ୍ନ ଉପାୟରେ ଲୁଟୁଥିଲେ। ଚଢ଼ଉ ଭୟରେ ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଅନ୍ୟ କିଛି କ୍ଲିନିକ୍କୁ କ୍ବାକ୍ମାନେ ବନ୍ଦ କରି ଫେରାର ହୋଇଯାଇଥିଲେ। ସେମିତି କୁତ୍ରା ବ୍ଲକରେ ଗୋଟିଏ ବେଆଇନ କ୍ଲିନିକ୍ ମଧ୍ୟ ସିଲ୍ କରାଯାଇଛି।

ଲାଠିକଟା ବ୍ଲକ ଟାଇଁସର ବିରକେରା ଅଞ୍ଚଳରେ ମଧ୍ୟ କିଛି ବେଆଇନ କ୍ଲିନିକ୍ ବର୍ଷ ବର୍ଷ ଧରି ଚାଲୁଛି। ଗଛ ମୂଳେ ଖଟିଆ ପକାଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଏପରି ଗର୍ଭବତୀ ମହିଳାଙ୍କ ଗର୍ଭପାତ କରାଉଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ଲାଠିକଟା ବ୍ଲକର କେବଳ ବିରକେରା ନୁହେଁ ଅନ୍ୟ କେତେକ ସ୍ଥାନରେ ମଧ୍ୟ ସେହି ସମାନ ସ୍ଥିତି ଦେଖାଦେଇଛି। ନିରୀହ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଥିବା ଏସବୁ କ୍ଲିନିକ୍ ଓ କ୍ବାକ୍ ବିରୋଧରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

The post କରୋନା ସଙ୍କଟରେ ରୋଗୀଙ୍କୁ ଲୁଟୁଥିଲେ କ୍ବାକ୍, ୩ କ୍ଲିନିକ୍ ସିଲ୍ କଲା ପ୍ରଶାସନ first appeared on Sambad.

from ଜିଲ୍ଲା | Sambad https://ift.tt/33ylgnG