
ବାଲେଶ୍ବର: କରୋନା ମହାମାରୀ ସମୟରେ ସମ୍ପ୍ରତି ସାରା ଦେଶ କରୋନାରେ କବଳିତ ଥିଲା ବେଳେ ବହୁ ଲୋକ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସମୟରେ ବାଲେଶ୍ବର ସହରର କିଛି ସଂଗଠନ ଲୋକଙ୍କ ସେବାରେ ନିୟୋଜିତ ହୋଇଛନ୍ତି। ଅସହାୟ ରୋଗୀଙ୍କୁ ଖାଦ୍ୟ ବଣ୍ଟନ, ମାସ୍କ, ସାନିଟାଇଜର, କରୋନା ଆକ୍ରାନ୍ତଙ୍କ ଘରେ ଖାଦ୍ୟ ପହଞ୍ଚାଇବାଠୁ ନେଇ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାରେ ବିଭିନ୍ନ ସଂଗଠନ କାମ କରୁଛନ୍ତି। ଏଥିରୁ ବାଲେଶ୍ବର ‘ଦି ନ୍ୟୁ ହୋପ୍’ ସଂଗଠନ ଗୋଟିଏ ଉଦାହରଣ।
ସପ୍ତାହାନ୍ତ ସଟ୍ଡାଉନ୍ରେ ସହରର ବିଭିନ୍ନ ଛକ ମାନଙ୍କରେ ଅସହାୟ ଲୋକଙ୍କୁ ଏହି ସଂଗଠନ ଖାଦ୍ୟ ବଣ୍ଟନ କରୁଛି। ସେମିତି ଲକ୍ଡାଉନ୍ ସମୟରେ ବୁଲା ଗାଈଗୋରୁ, କୁକୁରଙ୍କୁ ମଧ୍ୟ ଏହି ସଂଗଠନ ଖାଦ୍ୟ ଯୋଗାଉଛି। ବଡ଼ କଥା ହେଲା, ଏହି ସଂଗଠନ ଲୋକଙ୍କ ପେଟ ଭୋକିଲା ନ ରଖିବା ପାଇଁ ଏକ ନିଆରା ପ୍ରୟାସ କିଛିଦିନ ତଳେ ଆରମ୍ଭ କରିଛି।
ବାଲେଶ୍ବର ସହର ଗଡ଼ଗଡ଼ିଆ ଛକ ନିକଟରେ ଏକ ଖାଦ୍ୟ ଭଣ୍ଡାର ଆରମ୍ଭ କରିଛି। ଏହି ଭଣ୍ଡାରରେ ଖାଦ୍ୟ ସବୁ ମହଜୁଦ୍ ରଖାଯାଇଛି। ଯେକୌଣସି ଲୋକ ଆସି ଏଠାରୁ ଖାଦ୍ୟ ନେଇ ଖାଇପାରିବେ। ସକାଳ ୯ଟାରୁ ୧୦ଟା ଏବଂ ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଭଣ୍ଡାର ଖୋଲା ରହୁଛି। ସେହିପରି ଗରିବ, ଅସହାୟ ଲୋକଙ୍କ ପାଇଁ ମାଗଣା ବସ୍ତ୍ର ଭଣ୍ଡାର ପ୍ରତିଷ୍ଠା କରି ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି। ନିୟମିତ ବସ୍ତ୍ର ଓ ଖାଦ୍ୟ ଲୋକଙ୍କୁ ଯୋଗାଇ ପ୍ରଶଂସା ସାଉଁଟୁଛି।
ସୂଚନାଯୋଗ୍ୟ, ସମାଜରେ ଥିବା ପ୍ରକୃତ ଦୁସ୍ତ ନିଷ୍ପେସିତ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କିଛି ଶିକ୍ଷିତ ଯୁବଗୋଷ୍ଠୀ ୨୦୧୫ ମସିହାରେ ଆରମ୍ଭ କରିଥିଲେ ଏହି ସଂଗଠନ। ସମସ୍ତ ସଦସ୍ୟ ନିଜସ୍ବ ଖର୍ଚ୍ଚରେ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସଂଗଠନ ସାହାଯ୍ୟ କରୁଛି। ସେହିପରି ଏହାକୁ ଛାଡ଼ି ସଂଗଠନ ରକ୍ତଦାନ ଶିବିର, ସ୍କୁଲରେ ଚକ୍ଷୁ ପରୀକ୍ଷା ଶିବିର, ବୃକ୍ଷରୋପଣ, ସଡ଼କ ସୁରକ୍ଷା ଅଭିଯାନ, ସାଇବର ସିକ୍ୟୁରିଟି କର୍ମଶାଳା, ଆହତ ଲୋକଙ୍କୁ ଚିକତ୍ସା, ସଫେଇ ଆଦି କାର୍ଯ୍ୟକ୍ରମ କରିଆସୁଛି। ସଂଗଠନର ଥିବା ୭୦ ଜଣ ସଦସ୍ୟ ବିଭିନ୍ନ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରୁଛନ୍ତି।
The post ମହାମାରୀ ସମୟରେ ଅସହାୟଙ୍କ ସାହା ‘ଦି ନ୍ୟୁ ହୋପ୍’ ସଂଗଠନ first appeared on Sambad.from ଜିଲ୍ଲା | Sambad https://ift.tt/3vYyMgN
0 Comments