କଟକ/ମହାନଦୀବିହାର: ଜଗତସିଂହପୁର ତଥା ଉପକୂଳ ଜିଲ୍ଲାରେ ଚୋରା ବନ୍ଧୁକ କାରବାର କରି ଭୁବନେଶ୍ୱରରେ ଅୟସ ଆରମରେ ଜୀବନ ବିତାଉଥିବା ଜଗତସିଂହପୁର ବାଲିଜଙ୍ଗ ସିଙ୍ଗିପୁର ଗ୍ରାମର ଜାନକୀ ବଲ୍ଲଭ ମହାରଣା (୩୨) ଓ ତାର ତିନି ସହଯୋଗୀଙ୍କୁ ଚାଉଳିଆଗଞ୍ଜ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ପାଞ୍ଚଟି ଦାମୀ ମାଉଜ଼ର ସହ ୨୮ ରାଉଣ୍ଡ ଗୁଳି, ଗୋଟିଏ ଦାମୀ କାର, ଚାରିଟା ମୋବାଇଲ ଫୋନ୍ ପୁଲିସ ଜବତ କରିଛି। ଏହି ଗ୍ୟାଙ୍ଗ କଟକ, ଭୁବନେଶ୍ୱର, ପୁରୀ, ଜଗତସିଂହପୁର ଜିଲ୍ଲାରେ ବନ୍ଧୁକ କାରବାର କରୁଥିବା ପୁଲିସ ଜାଣିବାକୁ ପାଇଛି। କନ୍ଦରପୁର ନିମେଇସାପୁରର ଗ୍ୟାଙ୍ଗଷ୍ଟର ପ୍ରଶାନ୍ତ ଦାସ ଓରଫ ତପୁର ସହଯୋଗୀ ଜାନକୀ ଗ୍ୟାଙ୍ଗ ଏହି ଚୋରା କାରବାରର ମୁଖ୍ୟ କୁହାଯାଉଥିବା ବେଳେ ତାର ଅନ୍ୟ ତିନି ସହଯୋଗୀ ହେଉଛନ୍ତି ଜଗତସିଂହପୁର ସିଙ୍ଗପୁର ଗ୍ରାମର ବାପି ଓରଫ ଅମ୍ବିକା ପ୍ରସାଦ ସ୍ୱାଇଁ(୨୯), କାଦୁଆପଡା ଗ୍ରାମର ରାକା ଓରଫ ରାକେଶ କୁମାର ମଲ୍ଲିକ(୩୦) ଓ ବାଲିକୁଦା ଈଶ୍ୱରପୁର ଗ୍ରାମର ଲିକୁନା ଓରଫ ଚନ୍ଦନ ମହାନ୍ତି(୨୮)।

ପୁଲିସ ଦେଇଥିବା ସୁଚନା ଅନୁଯାୟୀ ଚୌଦ୍ୱାର ଜେଲରେ ଥିବା ଜଣେ ଗ୍ୟାଙ୍ଗଷ୍ଟର ଜାନକୀକୁ ୫ଟି ବନ୍ଧୁକ ଯୋଗାଇବା ପାଇଁ କହିଥିଲେ। ଏ ସଂକ୍ରାନ୍ତରେ ପୁଲିସ ଖବର ପାଇବା ପରେ ନିଜେ ଗ୍ରାହକ ହୋଇ ଜାନକୀ ସହ ଯୋଗାଯୋଗ କରିଥିଲା। ଜାନକୀ ବ୍ୟାଙ୍କ ଆକାଉଣ୍ଟରେ ଅଗ୍ରୀମ ଏକ ଲକ୍ଷ ଟଙ୍କା ଜମା କରିବା ପରେ ଜାନକୀ ବନ୍ଧୁକ ଆଣି କଟକ ଆସୁଥିବା ବେଳେ ଏସିପି ତାପସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଥାନା ଏସଆଇ ମନେଶ୍ୱର ପ୍ରଧାନ, ଥାନା ସ୍କ୍ବାଡ଼ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ ପ୍ରମୁଖ ଜାନକୀକୁ କାବୁ କରିଥିଲେ। ଜାନକୀ ନାମରେ ପୂର୍ବରୁ ଭୁବନେଶ୍ୱର, ଜଗତସିଂହପୁର ଟାଉନ ଥାନା, ତିର୍ତ୍ତୋଲ ଥାନାରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ଟେଣ୍ଡର ଫିକ୍ସିଂ, ହତ୍ୟା ଉଦ୍ୟମ, ଦାଦାବଟି ଭଳି ୧୨ରୁ ଅଧିକ ସଙ୍ଗିନ ଅଭିଯୋଗ ରହିଛି। ଜାନକୀକୁ ରିମାଣ୍ଡରେ ଅଣାଯାଇ ତାର ବନ୍ଧୁକ ବେପାର ସମ୍ପର୍କରେ ଅଧିକ ଖୋଲତାଡ଼ କରାଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଅପରାଧ ଇତିହାସ
ନିମେଇସାପୁରର ଗ୍ୟାଙ୍ଗଷ୍ଟର ତପୁ ଓରଫ ପ୍ରଶାନ୍ତ ଦାସର ପ୍ରମୁଖ ସହଯୋଗୀ ଭାବେ ଜାନକୀ ଜଗତସିଂହପୁରରେ ତାର ପ୍ରଭାବ ବିସ୍ତାର କରିଥିଲା। କନ୍ଦରପୁର ଅଞ୍ଚଳରେ ଗୋଟିଏ ଛୋଟ ଷ୍ଟେସନାରୀ ଦୋକାନ କରିଥିବା ଜାନକୀ ତପୁ ଇସାରାରେ ବିରିଡି ଅଞ୍ଚଳରେ ଜଣେ ଠିକାଦାର ଘରକୁ ବୋମାମାଡ଼ କରି ଚର୍ଚ୍ଚାକୁ ଆସିଥିଲା। କିଛି ବର୍ଷ ଭିତରେ ବନ୍ଧୁକ କାରବାର କରିବା ପରେ  ସେ ଭୁବନେଶ୍ୱରରେ ଏକ ଫ୍ଲାଟ କିଣି ଅୟସ ଆରାମରେ ରହୁଥିଲା। ଜଗତସିଂହପୁର ଅଞ୍ଚଳରେ ଲୋକଙ୍କୁ ଧମକ ଦେଇ ପ୍ରାୟ ଚାରିଟି ବାଲି ଘାଟରେ ଅଂଶୀଦାର ରହି ବାଲି ଘାଟରୁ ଆସୁଥିବା ଟଙ୍କାରେ ବନ୍ଧୁକ ଆଣି କାରବାର କରୁଥିଲା। ଜାନକୀ ଓ ତାର ସହଯୋଗୀ ବିହାରର ମୁଙ୍ଗେରରୁ ତିରିଶ ହଜ଼ାର ଟଙ୍କାରେ ବନ୍ଧୁକ ଆଣି ତାକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ। ଜାନକୀର ସହଯୋଗୀ ମୁଙ୍ଗେରକୁ ଟ୍ରେନରେ ନଯାଇ ବସ ଓ କାର ଯୋଗେ ଯାଉଥିବା ବେଳେ ଏକ ଦାମୀ କାରରେ ନକଲି ପାସ ବ୍ୟବହାର କରୁଥିଲେ। ଏହି ଚୋରା ବନ୍ଧୁକ ସେ କିଛି ଠିକାଦାର ମାନଙ୍କୁ ଦେଇଥିବା ବେଳେ ଗୋଟିଏ ବନ୍ଧୁକରେ ଗୋଟିଏ ଗୁଳି ଭତ୍ତି ମଗାଜିନ ମାଗଣାରେ ଦେଉଥିଲା। ଆଉ ଗୋଟିଏ ମାଗାଜିନ ପାଇଁ ଅଧିକ ଦଶ ହଜ଼ାର ଟଙ୍କା ନେଉଥିଲା।

The post ଦୁର୍ଦ୍ଦାନ୍ତ ଜାନକୀ ମହାରଣାର କାରନାମା first appeared on Sambad.

from ଜିଲ୍ଲା | Sambad https://ift.tt/34sEsUB