
ଯାଜପୁର/ଦଶରଥପୁର/ବିଂଝାରପୁର : ପୁଣି ଘାଇ କରିଛି ଘାଇଲା। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଏହାର ଶାଖା ନଦୀ କାଣୀରେ ୪ଟି ଘାଇ ହୋଇଥିବାବେଳେ ଖରସ୍ରୋତାର ଶାଖା ନୂଆମାହାରାର ଗତବର୍ଷର ଘାଇ ପୁଣି ଖୋଲିଯାଇଛି। ଘାଇ ପାଇଁ ଶତାଧିକ ପରିବାର ଏବେ ପାଣିଘେରରେ ଥିବାବେଳେ ଶହ ଶହ ହେକ୍ଟର ଚାଷଜମି ବୁଡ଼ିଯାଇଛି। ବିଳମ୍ବରେ ଘାଇ ମରାମତି ପୁଣି ହଜାର ହଜାରଙ୍କୁ ବିପନ୍ନ କରିଦେଇଛି। ଯାହାକୁ ନେଇ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବୈତରଣୀ ବନ୍ୟା ପାଣି ଆଜି ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ତଳ ମୁଣ୍ଡ ଦଶରଥପୁର ଓ ବିଂଝାରପୁର ବ୍ଲକ୍ରେ ଘାଇ ସୃଷ୍ଟି ହୋଇଛି। ବୈତରଣୀର ଶାଖା କାଣୀ ନଦୀର ଡାହାଣ ପାର୍ଶ୍ବ କଣ୍ଟପଡ଼ା ଠାରେ ୩ଟି ଘାଇ ୧ଶହ ମିଟର ଦୂରତା ମଧ୍ୟରେ ହୋଇଛି। ସେହିପରି ବାମପାର୍ଶ୍ବର କସପା ପଞ୍ଚାୟତର ପଲ୍ଲାସାହି ନିକଟରେ ଅନ୍ୟ ଏକ ଘାଇ ହୋଇଛି। ୩୦ ରୁ ୫୦ଫୁଟ ଚଉଡ଼ାର ଘାଇ ବାଟେ ବନ୍ୟା ଜଳ ଚାଷଜମିକୁ ପ୍ରବେଶ କରୁଛି। ବନ୍ୟା ଜଳ ଦ୍ବାରା ଜୟନ୍ତରା ପଞ୍ଚାୟତର ମହାପାତ୍ରସାହିର ଶତାଧିକ ଲୋକ ପାଣିଘେରରେ ଅଛନ୍ତି।। ସେହିପରି କଟିକଟା ପଞ୍ଚାୟତ ଅନ୍ତର୍ଗତ କଟିକଟା ଗ୍ରାମବାସୀ ବନ୍ୟା ପାଣିଘେରରେ ଅଛନ୍ତି। ମଲ୍ଲିକାପୁର- ପଲ୍ଲାସାହି ରାସ୍ତାରେ ଥିବା କାଣି ପୋଲ ଉପରେ ୨ଫୁଟ୍ ବନ୍ୟାଜଳ ପ୍ରବାହିତ ହେଉଛି। କଣ୍ଟପଡ଼ା-ଆଖୁଆସାହି ରାସ୍ତାରେ ମଧ୍ୟ ୩ ଫୁଟ୍ ବନ୍ୟା ପାଣି ଢେଉ ମାରୁଛି। ବୈତରଣୀର ଦତ୍ତପୁର ଘାଇ ମରାମତି ଠିକ୍ ସମୟରେ ଓ ଠିକ୍ ଭାବେ ହେଉଥିବାରୁ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଘାଇରେ ଫାଟ ସୃଷ୍ଟି ହୋଇଛି। ଘାଇ ମରାମତି ଶେଷ ହୋଇ ନ ଥିବାବେଳେ ଠିକାଦାର ବ୍ୟବହୃତ ବଲ୍ଲା ଖୋଲି ନେଇଯାଇଛି। ଫଳରେ ଶାସକ ଦଳ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଂଝାରପୁର ବିଧାୟିକା ପ୍ରମିଳା ମଲିକ ଘାଇ ପରସ୍ଥିତି ଅନୁସନ୍ଧାନ କରିବାକୁ ଆସିଥିବା ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତ।।
ସେହିପରି ବିଂଝାରପୁର ବ୍ଲକ୍ ଜରି ପଞ୍ଚାୟତର ନାଉବାଙ୍କ ଠାରେ ଖରସ୍ରୋତାର ଶାଖା ନୂଆମାରାହା ନଦୀର ଘାଇ ବ୍ୟାପକ କ୍ଷତି ଘଟାଇଛି। ବ୍ରାହ୍ମଣ ନଦୀର ଶାଖା ଖରସ୍ରୋତା ସହିତ ବୈତରଣୀର ଶାଖା ବୁଢାନଦୀ ମିଶିଯିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତବର୍ଷ ଏହି ନାଉବାଙ୍କ ଠାରେ ହୋଇଥିବା ଘାଇ ଏଥର ପୁଣି ଭାଙ୍ଗିଯାଇଛି। ଏହି ଘାଇ ଗତବର୍ଷ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ମରାମତି ସଂପୂର୍ଣ୍ଣ ହୋଇନଥିଲା।
The post ବୈତରଣୀ ବନ୍ୟାରେ ୫ ଘାଇ first appeared on Sambad.from ଜିଲ୍ଲା | Sambad https://ift.tt/3uxonao
0 Comments