ବ୍ରହ୍ମପୁର : ବାସହୀନକୁ ଘର ଦେବା ପାଇଁ ସରକାରୀସ୍ତରରେ ନାନା ଯୋଜନା ରହିଛି। ଏହାର ସଫଳ ରୂପାୟନ ମଧ୍ୟ ହେଉଛି। କିନ୍ତୁ ହିତାଧିକାରୀ ଘର ପାଇବା ପରେ ତାହା କେଉଁ କାମରେ ବିନିଯୋଗ ହେଉଛି ହୁଏତ ସେ ଦିଗରେ କେହି ତଦନ୍ତ କରୁନାହାନ୍ତି। ଏଭଳି ଏକ ଯୋଜନାରେ ଘର ପାଇ ତାକୁ ଭଡ଼ାରେ ଲଗାଇବା ଘଟଣା ସାମ୍ନାକୁ ଆସିଛି। ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥବିହାର ଅଷ୍ଟମ ଲାଇନ୍‌ ନିକଟସ୍ଥ ମଶାଣି ସାହିରେ ରହିଛି ଏହି ଘର। ପୁଣି ସେହି ଘରୁ ପୁଲିସ ଠାବ କରିଛି ଏକ ନକଲି ମଦ ଫ୍ୟାକ୍ଟ୍ରି। ଏଥିରୁ ସ୍ପଷ୍ଟ ହେଉଛି ଯେ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଘର କେଉଁ କାମରେ ବିନିଯୋଗ ହେଉଛି। ଏହା କେବଳ ଗୋଟିଏ ଉଦାହରଣ। ଘଟଣାର ଅଧିକ ତଦନ୍ତ କଲେ ଏଭିଳ ଆହୁରି ବହୁତଗୁଡ଼ିକ ଘର ବାହାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ମହିଳା ହିତାଧିକାରୀଙ୍କୁ ଘର ତିଆରି ପାଇଁ ଆର୍ଥିକ ସହାୟତା ମିଳିଥିଲା। ମହିଳା ଜଣକ ଘର ତିଆରି କରିଥିଲେ। କିନ୍ତୁ ସେହି ଘରେ ନରହି ସେ ଶ୍ରୀରାମନଗରରେ ଏକ ଭଡ଼ାଘରେ ରହିଥିଲେ। ଘର ଖାଲି ପଡ଼ିଥିବାରୁ ସେ ଶ୍ରୀରାମନଗରର ମନୋରଂଜନ ପଟ୍ଟନାୟକ ଓରଫ୍ ବୁଲୁଙ୍କୁ ଭଡ଼ା ଦେଇଥିଲେ। ଘରଭଡ଼ା ବାବଦରେ ମହିଳା ଜଣକ ବୁଲୁଙ୍କ ଠାରୁ ୨ହଜାର ୩ଶହ ଟଙ୍କା ନେଉଥିଲେ ବୋଲି ପୁଲିସ କହିଛି। ଗତକାଲି ପୁଲିସ ସେହି ଘରେ ଚଢ଼ଉ କରି ଏକ ନକଲି ମଦ ଫ୍ୟାକ୍ଟ୍ରିଂ ଠାବ କରିଥିଲା। ନିଛାଟିଆ ସ୍ଥାନରେ ଘରଟି ରହିଥିବାରୁ ସହଜରେ ସେଠାରେ କାହାରି ନଜର ପଡ଼ୁନାହିଁ। ଏହାର ଫାଇଦା ନେଇ ମଦ ମାଫିଆମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଥିବା ଘରେ ବେଧଡ଼କ ନକଲି ମଦ କାରବାର ଜାରି ରଖିଥିଲେ। ଚଢ଼ଉ ପରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍‌ ହୋଇଯାଇଛନ୍ତି। ପୁଲିସ ଘର ମାଲିକାଣୀଙ୍କୁ ମଧ୍ୟ ଚିହ୍ନଟ କରିଛି। ଏହି ବେଆଇନ କାମ ସମ୍ପର୍କରେ ଘର ମାଲିକାଣୀ କିଛି ଜାଣି ନଥିବା ପୁଲିସ ଆଗରେ କହିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ଭଡ଼ାରେ ଦେଇ ସେଠ‌ାରେ ନକଲି ମଦ ଫ୍ୟାକ୍ଟ୍ରି କରିବା ସମ୍ପୂର୍ଣ୍ଣ ବେଆଇନ। ଏଣୁ ପୁଲିସ ଏ ଦିଗରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରିବ ବୋଲି ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ବିଏମ୍‌ସି କମିସନର୍‌ ସିଦ୍ଧେଶ୍ବର ବଳିରାମ ବୋନ୍ଦାର କହନ୍ତି, ସରକାରୀ ଯୋଜନାରେ ହିତାଧିକାରୀ ଘର ପାଇ ତାହାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବା ସମ୍ପୂର୍ଣ୍ଣ ବେଆଇନ। ଏହି ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

The post ଭଡ଼ାରେ ଲାଗିଛି ପ୍ରଧାନମନ୍ତ୍ରୀ ଆବାସ, ମାସକୁ ଭଡ଼ା ୨ହଜାର ୩ଶହ first appeared on Sambad.

from ଜିଲ୍ଲା | Sambad https://ift.tt/34rQWeX