
ବହୁ ପ୍ରଭାବଶାଳୀ ଖାଦାନ ମାଲିକ ବାଦ ପଡ଼ିଲେ
୧୩ ଖାଦାନର ପୁନଃ ଟେଣ୍ଟର୍ ହେବ
ଖାଦାନ ସୁରକ୍ଷା ପାଇଁ ପୁଲିସକୁ ନିର୍ଦ୍ଦେଶ
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ କୋଟି କୋଟି ଟଙ୍କାର କଳାପଥର କେଳେଙ୍କାରୀକୁ ନେଇ ଚର୍ଚ୍ଚା ଲାଗିରହିଛି। କଳାପଥର ଟେଣ୍ଡରକୁ ନେଇ ବିବାଦ ଚାଲିଥିବା ବେଳେ ମାତ୍ର ୨ଟି ଟେଣ୍ଡର ଚୂଡ଼ାନ୍ତ ହୋଇଛି। ଅବଶିଷ୍ଟ ୧୩ଟି ଖାଦାନର ଟେଣ୍ଡରକୁ ଜିଲ୍ଲାପାଳ ବିଭିନ୍ନ କାରଣରୁ ରଦ୍ଦ କରିଦେଇଛନ୍ତି। ଏହାର ପୁନଃଟେଣ୍ଡର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି। କଳାପଥର କାରବାରରେ ସାମିଲ ବହୁ କୋଟିପତି ଖାଦାନମାଲିକ ଏଥର ଟେଣ୍ଡରରୁ ବାଦ ପଡ଼ିଛନ୍ତି। ପ୍ରଶାସନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ କେତେକ ଖାଦାନ ମାଲିକ ଏକାଠି ହେଉଥିବା ସୂଚନା ମିଳିଛି।
ଧର୍ମଶାଳା ତହସିଲର ୨୭ଟି କଳାପଥର ଖାଦାନ ପାଇଁ ଫେବ୍ରୁଆରି ମାସରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେମଧ୍ୟରୁ ବିଛାଖଣ୍ଡି ପାହାଡ଼ର ୯ଟି ଖାଦାନ ହାଇକୋର୍ଟ ନିର୍ଦେଶ ବଳରେ ଟେଣ୍ଡର ପ୍ରକ୍ରିୟାରୁ ବାଦ ପଡ଼ିଥିଲା ଏବଂ ଆରୁହାର ୩ଟି ଖାଦାନ ପାଇଁ କେହି ଆବେଦନ କରିନଥିଲେ। ଅବଶିଷ୍ଟ ୧୫ଟି ଖାଦାନ ପାଇଁ ଟେଣ୍ଡର ପ୍ରକ୍ରିୟା ଆଗେଇଥିଲା। ସେଥିରୁ ଅଞ୍ଜିରା-୧୦ ନମ୍ବର ଖାଦାନ ଓ ବାରମାଣ-୨ ନମ୍ବର ଖାଦାନ କୁନା ପ୍ରଧାନ ହାସଲ କରିଛନ୍ତି। ଅଞ୍ଜିରା ଖାଦାନ ପାଇଁ କ୍ୟୁବିକ୍ ମିଟର ୩୮୭ ଟଙ୍କା ଓ ବାରମାଣ ପାଇଁ ୪୨୭ଟଙ୍କାରେ ଶ୍ରୀ ପ୍ରଧାନ ସର୍ବାଧିକ ବିଡ୍ ଦର୍ଶାଇଥିଲେ। ଅଞ୍ଜିରା ଖାଦାନ ପାଇଁ ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ନିରଞ୍ଜନ ରାଉତ ୧୦୩ଟଙ୍କା ଦର୍ଶାଇଥିଲେ। ସେହିପରି ବାରମାଣ ପାଇଁ ୬ଜଣ ଆବେଦନ କରିଥିଲେ । ତ୍ରିନାଥ ଜେନା ଆବଶ୍ୟକ କାଗଜପତ୍ର ଥିବା ସତ୍ତ୍ବେ ମାତ୍ର ୭୩ ଟଙ୍କା ବିଡ୍ ଦର୍ଶାଇଥିଲେ। ଫଳରେ ଚୂଡ଼ାନ୍ତ ହୋଇଥିବା ୨ଟି ଖାଦାନ କୁନା ପ୍ରଧାନ ହାସଲ କରିଛନ୍ତି। ପୂର୍ବରୁ କୌଣସି ଖାଦାନ ତାଙ୍କ ନାମରେ ନାହିଁ। ମାତ୍ର ନିରଞ୍ଜନ ରାଉତ ଓ ତ୍ରିନାଥ ଜେନାଙ୍କ ନାମରେ ଯଥାକ୍ରମେ ଡଙ୍କାରୀ ଓ ଆରୁହାରେ ଖାଦାନ ରହିଛି। ଏହି ଦୁଇ ଖାଦାନ ମାଲିକ ଟେଣ୍ଡରରୁ ବାଦ ପଡ଼ିବା ଘଟଣାକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି। କେତେକ ଖାଦାନ ମାଲିକ ଏକାଧିକ ଖାଦାନ ପାଇଁ ଏଥର ଟେଣ୍ଡରରେ ଭାଗ ନେଇଥିଲେ। ସେମାନେ ଖାଦାନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରିକି କେତେକ ସର୍ବାଧିକ ବିଡର ମୂଲ୍ୟ ହିସାବରେ ଗତ ୧୩ତାରିଖରେ ସିକ୍ୟୁରିଟି ଅର୍ଥ ତହସିଲରେ ଜମା କରିଥିଲେ।
ଗତ ୧୫ତାରିଖରେ ଜିଲ୍ଲାପାଳ ଚକ୍ରବର୍ତ୍ତୀସିଂ ରାଠୋର ସମୀକ୍ଷା କରି ୨ଟି ଖାଦାନ ବ୍ୟତୀତ ୧୩ଟି ଟେଣ୍ଡରକୁ ରଦ୍ଦ କରି ପୁନଃଟେଣ୍ଡର ପାଇଁ ତହସିଲକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଖାଦାନଗୁଡ଼ିକ ଟେଣ୍ଡରରୁ ବାଦ ପଡ଼ିଲା, ସେଗୁଡ଼ିକର ସୁରକ୍ଷା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯିବ ବୋଲି ଭାରପ୍ରାପ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି କହିଛନ୍ତି। ଅପରପକ୍ଷରେ ଖାଦାନ ପାଇଁ ସର୍ବାଧିକ ବିଡ୍ର ମୂଲ୍ୟ ମୁତାବକ ସିକ୍ୟୁରିଟି ଜମା କରିଥିବା କେତେକ ଖାଦାନ ମାଲିକ ଆଇନ୍ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।
The post ୨ ଖାଦାନର ଲିଜ୍ ଚୂଡ଼ାନ୍ତ, ବାକି ରଦ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/3yhAOKI
0 Comments