
ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ): ରାୟଗଡ଼ା ବ୍ଲକ୍ ହାଲୁଆ ପଞ୍ଚାୟତର ଝୋଡ଼ିଆ ସାହିରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ୪ଟି ନଳକୂପ ଖନନ କରାଯାଇଛି। କିନ୍ତୁ ଗୋଟିଏ ବି କାମରେ ଆସୁନଥିବାରୁ ଝଞ୍ଜାବତୀ ନଦୀ ଜଳ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି। କାଳବୈଶାଖୀ ପ୍ରଭାବରେ ଏବେ ବର୍ଷା ଲାଗି ରହିଥିବାରୁ ନଦୀରେ ଗୋଳିଆ ପାଣି ଆସୁଥିବାରୁ ପାଣି ଟୋପାଏ ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଶୁଦ୍ଧ ପାନୀୟ ଜଳ ପାଇଁ ସାହିରେ ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ନଦୀର ଅଶୁଦ୍ଧ, ଅପରିଷ୍କାର ପାଣି ହିଁ ସାହା ଭରସା ପାଲଟିଛି। ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ରାଜ୍ୟ ସରକାର ଅନେକ ଯୋଜନା କରିଥିବା ବେଳେ ଜିଲ୍ଲା ସଦର ମହକୁମାରୁ ୫ କିମି ଦୂରରେ ଥିବା ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଇଁ ହାହାକାର ହେବା ଘଟଣା ବାସ୍ତବତାକୁ ପଦାରେ ପକାଇଛି। ପ୍ରତିଦିନ ସକାଳୁ ଗାଁର ମହିଳାମାନେ ହାଣ୍ଡି ଧରି ନଦୀକୁ ପାଣି ପାଇଁ ଯିବା ସହ ଯେଉଁଠୁ ପାଣି ଆସୁଛନ୍ତି ସେଠି ହିଁ ନିତ୍ୟକର୍ମ ସାରି ଫେରୁଛନ୍ତି।

ଝୋଡିଆ ସାହିରେ ଲାଗି ରହିଥିବା ପାନୀୟ ଜଳ ସଙ୍କଟ ଦୂର ପାଇଁ ଗ୍ରାମବାସୀ ୱାର୍ଡମେମ୍ବରଠୁ ଆରମ୍ଭ କରି ସରପଞ୍ଚ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ, ବିଡିଓ, ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରିଛନ୍ତି। ହେଲେ କୌଣସି ସୁଫଳ ମିଳିପାରିନି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ୩୨୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ନିକଟରେ ପ୍ରବାହିତ ହେଉଥିବା ଝଞ୍ଜାବତୀ ନଦୀରୁ ଅଶୁଦ୍ଧ, ଅପରିଷ୍କାର ପାଣି ସଂଗ୍ରହ କରୁଛନ୍ତି। ଗତ କିଛି ଦିନ ହେଲା ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆ କରି ଲୋକ ପାଣି ଆଣୁଥିବା ବେଳେ ଚୁଆ ପାଣି ପର୍ଯ୍ୟାପ୍ତ ପରିମାଣର ହୋଇପାରୁନି। ଘରର ସମସ୍ତ ସଦସ୍ୟ ହାଣ୍ଡି, ମାଠିଆ ଧରି ପାଣି ଆଣିବାକୁ ଯାଉଥିବା ବେଳେ ଫେରିବା ବେଳେ ରାଜପଥ ପାର ହୋଇ ଫେରୁଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି।
ପାନୀୟ ଜଳ ସଙ୍କଟ ଦୂର ପାଇଁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଝୋଡିଆ ସାହିରେ ୨ଟି ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ନଳକୂପ ଖୋଲା ଯାଇଥିଲା। କିନ୍ତୁ ନଳକୂପରୁ ଆବଶ୍ୟକ ପାଣି ନ ବାହାରିବାରୁ ତାହା ଫେଲ ମାରିଛି। ପରବର୍ତ୍ତୀ ସମୟରେ ପୁଣି ଏକ ନଳକୂପ ଖନନ କରାଯାଇଥିଲେ ମଧ୍ୟ ତାହା ମଧ୍ୟ ସାହିବାସିନ୍ଦାଙ୍କ କାମରେ ଆସୁନି। ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ନଳକୂପ ମାରିଲେ ମଧ୍ୟ ପାଣି ଟୋପାଏ ନିର୍ଗତ ହେଉନି ବୋଲି ଗ୍ରାମର ମହିଳା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଯଥା ଶୀଘ୍ର ସାହିବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣ ନିମେନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ହାଲୁଆ ସରପଞ୍ଚ ମାଧବରାଓ ବିଡ଼ିକାଙ୍କ କହିବାନୁଯାୟୀ, ଝୋଡ଼ିଆ ସାହିରେ ଥିବା ନଳକୂପରୁ ଆବଶ୍ୟକ ପାଣି ବାହାରୁନଥିବା ବେଳେ ଯେଉଁ ପାଣି ବାହାରୁଛି ସେଥିରେ ଲୌହ ଯୁକ୍ତ ହଳଦିଆ ରଙ୍ଗର ପାଣି ବାହାରୁଥିବାରୁ ତାହା ବ୍ୟବହାରରେ ଆସିପାରୁନି ବୋଲି କହିଛନ୍ତି।
The post ପାନୀୟ ଜଳ ସଙ୍କଟ: ଝଞ୍ଜାବତୀ ନଦୀର ଗୋଳିଆ ପାଣିରେ ମେଣ୍ଟୁଛି ଶୋଷ first appeared on Sambad.
from ଜିଲ୍ଲା | Sambad https://ift.tt/3w5tgsr
0 Comments